-
ବ୍ୟବସାୟ ପରିମାଣ କୋଟିଏରୁ ଅଧିକ, ବଢ଼ୁଛନ୍ତି ବିଦେଶୀ ପର୍ଯ୍ୟଟକ
ଭୁବନେଶ୍ୱର – ଜାନୁଆରୀ ୨୬ ତାରିଖରୁ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଆଦିବାସୀ ମେଳାକୁ ଦୁଇଦିନରେ ପ୍ରାୟ ଅଢ଼େଇ ଲକ୍ଷ ଲୋକ ଆସିଥିବାବେଳେ ପ୍ରଥମ ଦିନରେ ହିଁ ଦେଢ଼ଲକ୍ଷରୁ ଅଧିକ ଲୋକ ଆସିଥିଲେ । ସେହିଭଳି ଏହି ଦୁଇ ଦିନରେ ମୋଟାମୋଟି ଭାବେ ଏକ କୋଟି ଟଙ୍କାର କାରବାର ହୋଇଥିବାବେଳେ ଖାଦ୍ୟ ଷ୍ଟଲରେ ବ୍ୟବସାୟ ସର୍ବାଧିକ ରହିଛି । କେବଳ ଗତକାଲି ଖାଦ୍ୟ ଷ୍ଟଲ୍ରେ ୫ଲକ୍ଷ ୫୦ ହଜାର ଟଙ୍କାର ବ୍ୟବସାୟ ହୋଇଛି ।
ଚଳିତ ବର୍ଷ ଆଦିବାସୀମେଳାରେ ୨୬୨ଟି ଷ୍ଟଲ ଲାଗିଥିବାବେଳେ ପ୍ରଥମଥର ପାଇଁ ଏଠାରେ ଜାତୀୟ ଆଦିବାସୀ ଖାଦ୍ୟମେଳା ଆୟୋଜନ ହୋଇଛି । ଓଡ଼ିଶା ସମେତ ୧୨ଟି ରାଜ୍ୟର ଆଦିବାସୀମାନେ ଏଠାରେ ଲୋକଙ୍କୁ ସେମାନଙ୍କର ପାରମ୍ପରିକ ଖାଦ୍ୟ ପରସି ଦେଉଥିବାବେଳ ଏହି ଷ୍ଟଲଗୁଡ଼ିକରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହେଉଛି । ଲୋକେ ଯେଭଳି ଉନ୍ନତମାନର ଖାଦ୍ୟ ପାଇପାରିବେ ସେଥିପାଇଁ ଖାଦ୍ୟମେଳା ପରିସରକୁ ପରିଷ୍କାର ରଖିବା ପାଇଁ ପାଇଁ ଗ୍ରୀନ୍ ନେଟ୍, ଡଷ୍ଟବିନ, ସଫେଇ କର୍ମଚାରୀ, ସୁରକ୍ଷିତ ରୋଷାଇଶାଳା ବ୍ୟବସ୍ଥା କରାଯାଇଅଛି । ଆବର୍ଜନାକୁ ତୁରନ୍ତ ସଫା କରାଯାଇ ପରିଷ୍କାର କରାଯାଉଅଛି । ପ୍ରତ୍ୟେକ ଦିନ ଖାଦ୍ୟର ମାନ ଯାଂଚ ସିଟି ହେଲଥ ଅଫିସରଙ୍କ ଦ୍ୱାରା କରାଯାଉଥିବା ଆଦିବାସୀ ମେଳା ଦାୟିତ୍ୱରେ ଥିବା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଡକ୍ଟର ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି ।
ସେହିଭଳି ଆଦିବାସୀ ହାଟରେ ମିଳୁଥିବା କଳା ଚାଉଳ, ଧଳା ଚଣା, ଶିକାକାୟୀ, ତେନ୍ତୁଳି, ଧଳା ସୋରିଷ, ହଳଦୀ, ଝୁଣା, ମହୁ, କାନ୍ଦୁଲ, କୋଳଥ, ମାଣ୍ଡିଆ, ମହୁ, ତେନ୍ତୁଳି, ହରିଡ଼ା, ବାହାଡ଼ା, ଅଁଳା, ଝାଡ଼ୁ, ସୁଆଁ, ଗୋଲମରିଚ, ପାଳୁଅ, ଡାଲଚିନି ଆଦି ଲଘୁଜାତ ଦ୍ରବ୍ୟ କିଣିବା ପାଇଁ ଲୋକଙ୍କର ବେଶ୍ ଭିଡ଼ ପରିଲକ୍ଷିତ ହୋଇଛି । ମେଳାକୁ ଆସୁଥିବା ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତବର୍ଷ ୭୦ଟି ସିସିଟିଭିକୁ ଲିଙ୍କ କରାଯାଇଛି । ଦୁଇଟି କଂଟ୍ରୋଲ ରୁମ ସହିତ ସାଦା ପୋଷାକରେ ପୁଲିସ ମୁତୟନ ହୋଇଛନ୍ତି । ସେହିଭଳି ଏବର୍ଷ ମେଳାକୁ ୧୦ କୋଟି ଟଙ୍କାରେ ବୀମାଭୁକ୍ତ କରାଯାଇଛି । ପ୍ରତ୍ୟେହ ଅପରାହ୍ନ ୨ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଚାଲୁଥିବା ଏହି ମେଳାରେ ଆଦିବାସୀ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହୁଥିବାବେଳେ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏହାକୁ ବେଶ ଉପଭୋଗ କରୁଛନ୍ତି । ଦୁଇଦିନ ମଧ୍ୟରେ ଇଂଲଣ୍ଡ, ଜାପାନ, ଚୀନ୍, ସୁଇଜରଲ୍ୟାଣ୍ଡ, ରୁଷିଆ ଭଳି ବାହାର ଦେଶରୁ ଅନ୍ୟୁନ ୨୦୦ ଜଣ ବିଦେଶୀ ପର୍ଯ୍ୟଟକ ଭ୍ରମଣ କରିବା ସହ ମେଳାର ଆନନ୍ଦ ଉପଭୋଗ କରିଛନ୍ତି । ବିଶେଷତଃ ଜନଜାତି ଗୃହପୁଞ୍ଜକୁ ଅତି ନିକଟରୁ ଦେଖି ନିର୍ମାଣ ଶୈଳୀ ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।