କନ୍ଧମାଳ- ଫିରିଙ୍ଗିଆ ବ୍ଳକ୍ର ବାଲନ୍ଦାପଡ଼ା ମା’ଗୃହ କାର୍ଯ୍ୟାଳୟ ଠାରେ ସୁରକ୍ଷିତ ମାତୃତ୍ୱ ନିମନ୍ତେ ମା’ ଗୃହର ଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ସ୍ୱାସ୍ଥ୍ୟ ମିଶନ-କନ୍ଧମାଳ, କ୍ରାଏ-କୋଲକାତାଙ୍କ ସହାୟତା ଓ ସ୍ୱାତୀ ଅନୁଷ୍ଠାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟଅତିଥି ବାଲନ୍ଦାପଡ଼ା ପଂଚାୟତ ସମିତି ସଭ୍ୟ ପଂଚାନନ ଦିଗାଲ, ମା’ ଗୃହ ବାଲନ୍ଦାପଡ଼ା ଅପହଂଚ ଇଲାକା ପାଇଁ କେତେ ଜରୁରୀ ତାହା ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଅନ୍ୟତମ ଅତିଥି ତଥା ସ୍ଥାନୀୟ ଆଦିବାସୀ ଯୁବ ନେତା ଗୋପୀନାଥ କହଁର ସ୍ୱାତୀ ଅନୁଷ୍ଠାନଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରୁ ପଂଚାୟତର ଶେଷ ଭାଗରେ ଥିବା ପରିବାର କିପରି ଲାଭ ନେଇପାରିବେ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ । ବାଲନ୍ଦାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକବୃନ୍ଦ କାର୍ଯ୍ୟକ୍ରମରେ ଯୋଗଦେଇ ଆଜିର କିଶୋରୀ କାଲିର ମା’ ଓ ମା’ ଗୃହର ଲାଭ ବିଷୟରେ ସମସ୍ତେ ଜାଣି, ତାର ଲା ନେଇ ସୁରକ୍ଷିତ ମାତୃତ୍ୱ ଓ ସୁସ୍ଥ ଶିଶୁ ଜନ୍ମ ଦେବାରେ ସମାଜକୁ ସହଯୋଗୀ କରିବାକୁ ଆହ୍ୱାନ କରିଥିଲେ । ସ୍ୱାତୀ ଅନୁଷ୍ଠାନର ସଂଯୋଜକ ବିଶ୍ୱରଞ୍ଜନ କର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ୨୦୧୩ ମସିହାଠାରୁ ଆଜି ପର୍ଯ୍ୟନ୍ତ ମା’ ଗୃହରେ ପରିଚାଳିତ ହୋଇଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଉପସ୍ଥଶପନ କରିବା ସହ କିପରି ମା’ ଗୃହର ଲାଭ ଅଧିକ ଜନସାଧାରଣ ନେଇପାରିବେ ତାହା ଜଣାଇଥିଲେ । କାର୍ଯ୍ୟକ୍ରମର ଶେଷରେ ବାଲନ୍ଦାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ମା’ ଗୃହର କାର୍ଯ୍ୟ ଓ ମିଳୁଥିବା ସୁବିଧା ସୁଯୋଗ, ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କ ଭୂମିକାକୁ ନେଇ ଛୋଟ ନାଟକ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମଟିକୁ ପରିଚାଳନାରେ ପୁଷ୍ପିତା ସାହୁ, ପଂଚୁଦେବ ପ୍ରଧାନ, ମଧୁସ୍ମିତା କହଁର, ସାମନ୍ତି ଦିଗାଲ, ରୀତାରାଣୀ ସାହୁ, ମାମିନା କହଁର ଓ କୃଷ୍ଣଚନ୍ଦ୍ର ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ ।
Related Stories
November 24, 2024
November 24, 2024