![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ସୁବର୍ଣ୍ଣପୁର– ପ୍ରତ୍ୟେକବର୍ଷ ଭଳି ଚଳିତବର୍ଷ ମଧ୍ୟ ସନ୍ଥକବି ଭୀମଭୋଇଙ୍କ ସାଧାନା, ସିଦ୍ଧି ଓ ସମାଧିପୀଠ ଖଲିଆପାଲି ଠାରେ ପବିତ୍ର ମାଘ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଆଜି ଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ ଓ ମାଘମେଳା କମିଟିର ମିଳିତ ଆନୁକୂଲ୍ୟରେ ହେବାକୁଥିବା ଏହି ସାରସ୍ୱତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ୧୦ ତାରିଖ ଅପରାହ୍ନ ୪ଟାରେ ଯୋଗ ଦେବେ । ଏହି ଦିନ ସମ୍ମାନୀତ ଅତିଥି ଭାବରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ. ନାଗରାଜୁ, ବଲାଙ୍ଗୀର ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣ କୁମାର ମେହେର ଓ ମୁଖ୍ୟବକ୍ତା ଭାବରେ ଲଛିପୁର କଲେଜର ଅଧ୍ୟକ୍ଷ ଅରୁଣ କୁମାର ଷଢଙ୍ଗୀ ଯୋଗଦେବେ । ଠିକ ସେହିପରି ୧୧ ତାରିଖର ସଂଧ୍ୟା ୬ଟାରେ ହେବାକୁଥିବା କାର୍ଯ୍ୟକ୍ରମରେ ସୋନପୁର ବିଧାୟକ ନିରଂଜନ ପୂଝାହାରୀ ମୁଖ୍ୟଅତିଥି, ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରଦୀପକୁମାର ଗୁରୁ ଓ ମୁଖ୍ୟବକ୍ତା ଭାବରେ ଜିଏମୟୁର ଭୀମଭୋଇ ଗବେଷଣାକେନ୍ଦ୍ରର ମୁଖ୍ୟ ଡ. ପ୍ରଦୀପ କୁମାର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେବେ । ୧୨ ତାରିଖରେ ମୁଖ୍ୟଅତିଥି ଭାବରେ ସୋନପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା ଓ ସମ୍ମାନୀତ ଅତିଥି ଭାବରେ ୬ଟି ବ୍ଲକର ଅଧ୍ୟକ୍ଷଗଣ ଯୋଗଦେବେ । ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଟ୍ରଷ୍ଟର ଅଧ୍ୟକ୍ଷା ଅନ୍ୟା ଦାସ,ଏସପି ରାମପ୍ରସାଦ ସାହୁ, ଉପଜିଲ୍ଲାପାଳ ତଥା ଟ୍ରଷ୍ଟର ଉପାଧ୍ୟକ୍ଷା ଡ. ସୌମ୍ୟରୂପା ରଥ, ମେନେଜିଂଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ମାଘମେଳା କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ବଗର୍ତି, ସଂପାଦକ ରଂଜନ ପୂଝାରୀ, ବିଡିଓ ସୋନପୁର ବ୍ଲକ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରତ୍ୟେକ ଦିନ ରହିବେ । ଏହି ଅବସରରେ ଟ୍ରଷ୍ଟର ମୁଖପତ୍ର ମହିମା ମଧ୍ୟ ଉନ୍ମୋଚନ ହେବ । ଠିକ୍ ସେହିପରି ମାଘମେଳା ଅବସରରେ ପଣ୍ଡିତ ଦୈତାରୀ ମହାପାତ୍ରଙ୍କୁ ଭୀମଭଇ ସ୍ମୃତିସମ୍ମାନ, ସାଧୁ ପ୍ରଭାକର ଦାସଙ୍କୁ ଭୀମଭୋଇ ମହିମା ସମ୍ମାନ, ଶ୍ରୀମତୀ ମୀନା ମହାରଣାଙ୍କୁ ଭୀମଭୋଇ ସାହିତ୍ୟ ସମ୍ମାନ, ସୁଶ୍ରୀ ତିଳୋତମା ସାହୁଙ୍କୁ ଭୀମଭୋଇ କଳାସମ୍ମାନ, ସିଦ୍ଧାର୍ଥ ଅଗ୍ରୱାଲ(ଆଶିଷ)ଙ୍କୁ ଭୀମଭୋଇ ଯୁବପ୍ରତିଭା ସମ୍ମାନ ଓ ସୁଶ୍ରୀ ପ୍ରିତୀ ମହାକୁରଙ୍କୁ ଭୀମଭୋଇ କ୍ରୀଡାସମ୍ମାନ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ସଂପାଦକ ଜନ୍ମେଜୟ ସ୍ୱାଇଁଙ୍କ ସୂଚନାରୁ ଜଣାଯାଇଛି ।
ମାଘମେଳା ଯାତ୍ରା ପାଇଁ ଏଠାରେ ହଜାର ହଜାର ସାଧୁ ସନ୍ୟାସୀ, ମହିମାଧର୍ମିଙ୍କ ସହ ସାଧାରଣଜନତାଙ୍କ ସମାବେଶ ହେବ । ଯାତ୍ରା କମିଟି ପକ୍ଷରୁ ମୀନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ମହିମାଧର୍ମର ଗୁରୁଶିଷ୍ୟ ପରଂମ୍ପରାରେ ମାଘମେଳାର ଗୁରୁତ୍ୱ ରହିଛି । ସନ୍ଥକବି ଭୀମଭୋଇ ମହିମାଧର୍ମର ସଂସ୍ଥାପକ ମହିମା ଗୋସାଇଁଙ୍କ ଗୁରୁକୃପାରେ ଦିବ୍ୟତ୍ୱଲାଭ କରିଥିଲେ ଓ ମହିମା ଧର୍ମର ପ୍ରଚାରପ୍ରସାର କରିଥିଲେ । ୧୮୭୭ ମସିହାରୁ ସୋନପୁର ଗଡଜାତ ରାଜ୍ୟର ଅଖ୍ୟାତ ପଲ୍ଲୀଖଲିଆପାଲି ଠାରେ ଭୀମଭୋଇ ଆଶ୍ରମ ସ୍ଥାପନ କରି ମହିମାଧର୍ମର ପ୍ରଚାରକ୍ଷେତ୍ର କରିଥିଲେ । ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ମାଘ ମାସର ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀରେ ମାଘମେଳା ଅନୁଷ୍ଠିତ ହୋଇଆସୁଛି । ଭୀମଭୋଇଙ୍କ ଜୀବିତାବସ୍ଥା ସମୟରୁ ତାଙ୍କର ଶିଷ୍ୟଗଣ ଭୀମଭୋଇ ଓ ତାଙ୍କର ଆଧ୍ୟାତ୍ମିକ ସଂଗୀନୀ ଅନ୍ନପୂର୍ଣ୍ଣାଙ୍କୁ ୧୦୮ ଜଳପୂର୍ଣ୍ଣ ବେଷ୍ଟିତ ବେଦିକାରେ ବସାଇ ପାଦପୂଜା କରାଯାଉଥିଲା । ଭୀମଭୋଇଙ୍କ ମହାପ୍ରୟାଣ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ପରମ୍ପରା ଚାଲୁରହିଛି । ପ୍ରତ୍ୟେକ ବର୍ଷ ମହିମାଧର୍ମିମାନେ ପବିତ୍ର ମାଘମେଳା ଯାତ୍ରା କରିଆସୁଛନ୍ତି । ମହିମାଧର୍ମ ଓ ଭୀମଭୋଇଙ୍କ ଅନୁଗାମୀମାନେ ବହୁସଂଖ୍ୟାରେ ଏଠାରେ ଯୋଗଦେଇ ଗୁରୁପୀଠରେ ସାଧୁସନ୍ୟାସୀଙ୍କ ଆଶିର୍ବାଦ ନେଉଛନ୍ତି । ୧୯୯୯ ମସିହାରୁ ଭୀମଭୋଇ ସମାଧିପୀଠଟ୍ରଷ୍ଟ ଗଠନ କରାଯାଇ ପୀଠର ଉନ୍ନତିକରଣ କରାଯାଉଛି । ସୋନପୁର ବିଧାୟକ ନିରଂଜନ ପୂଝାହାରୀ, ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅନେକ ସମୟରେ ଏହି ପୀଠର ଉନ୍ନତିକରଣ ପାଇଁ ପଦକ୍ଷେପ ନେଉଛନ୍ତି ।