![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ରାଉରକେଲା– ରାଉରକେଲା ସମେତ ଜିଲ୍ଲାର ଖାଲି ଥିବା ସ୍ଥାନରେ ବିଭିନ୍ନ ତାପଜ ବିଦ୍ୟୁତ କାରଖାନା ମାନେ କାରଖାନାରୁ ନିର୍ଗତ ପାଉଁଶକୁ ଗଦା କରି ସେ ଅଁଚଳରେ ପ୍ରଦୁଷଣର ମାତ୍ରାକୁ ବଢାଇବା ନେଇ ଅଭିଯୋଗ ହେଉଥିବା ବେଳେ ଏଭଳି ଅଭିଯୋଗ ନେଇ ରାଉରକେଲାର ଏନଏସପିସିଏଲକୁ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହୋଇଥିବା ୯୦ ଲକ୍ଷ ଟଙ୍କାର ଜରିମାନାକୁ ବିଗତ ୮ମାସ ଧରି ସରକାରଙ୍କୁ ଦେଇନଥିବାର ଖବର ମିଳିଛି । ଏଭଳି କାରବାରକୁ ଏନଏସପିସିଏଲ ର ଏସପିସ ବୋର୍ଡକୁ ଏକ ପ୍ରକାର ବେଖାତିର ବୋଲି କୁହାଯାଉଛି । ରାଉରକେଲା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାପଜ ବିଦ୍ୟୁତ କାରଖାନା ମାନ ସ୍ଥାପନ ହୋଇଛି, ସେମାନେ କୋଇଲା ବ୍ୟବହାର କରି ବିଦ୍ୟୁତ ସଂଗ୍ରହ କରୁଛନ୍ତି, ହେଲେ ଏହି ପ୍ରକ୍ରୀୟାରୁ ବାହାରୁ ଥିବା ମଇଳା ଅର୍ଥାତ କୋଇଲା ପାଉଁଶକୁ ରଖିବା ଲାଗି କୌଣସି ବ୍ୟବସ୍ଥା ନକରି ଏଣେ ତେଣେ ଫୋପାଡିବା ଓ ସେହି ସବୁ ଅଁଚଳରେ ପରିବେଶ ନଷ୍ଟ ହେବା ନେଇ ବିଭିନ୍ନ ସମୟରେ ଏସପିସି ବୋର୍ଡ ରାଉରକେଲା ଓ ଭୁବନେଶ୍ୱର ପାଖରେ ଅଭିଯୋଗ ହୋଇ ଆସୁଥିଲା । ଏଭଳି ଏକ ଉଦାହରଣ ହେଲା ରାଉରକେଲା ଡିଏଭି ପୋଖରୀ ପାଖରେ ଖାଲି ଥିବା କିଛି ଯାଗାରେ ଆରଏସପି ଭିତରେ ଥିବା ଏନଏସପିସିଏଲ କାରଖାନା ତାର ବର୍ଜ୍ୟ ପାଉଁଶକୁ ଆଣି ଗଦା କରିଥିଲା, ତେବେ ଏହାଦ୍ୱାରା ପୋଖରୀ ପାଣି ପ୍ରଭାବିତ ହେବା ସହ ପାଖରେ ଯାଇଥିବା ରିଂ ରୋଡ ମଧ୍ୟ ପ୍ରଭାବିତ ହେଲା । ପାଖରେ ଥିବା ବସ୍ତିବାସୀ ମଧ୍ୟ ଏଥିରେ ସମସ୍ୟାରେ ପଡିଲେ । ଏହି ଖବର ପାଇ ରାଉରକେଲାର ବିଧାୟକ ସାରଦା ବାବୁ ଏସପିସି ବୋର୍ଡକୁ ଏକ ଅଭିଯୋଗ ପତ୍ର ଦେଇଥିଲେ, ଏହି ପତ୍ର ଉପରେ ତଦନ୍ତ କରି ଏସପିସି ବୋର୍ଡ ଭୁବନେଶ୍ୱର ଏନଏସପିସିଏଲ କୁ ୬ରୁ ଆଠ ମାସ ତଳେ ୯୦ ଲକ୍ଷ ଟଙ୍କା ଜରିମାନା କରିଥିଲେ । ହେଲେ ଏହି ଜରିମାନାର ଅର୍ଥ ରାଶି ଏଯାଏ ସରକାରଙ୍କ ପାଖରେ କଂପାନୀ ପଇଠ କରିନଥିବା ଖବର ମିଳିଛି । ସେ ସମୟରେ ସରକାର ଯାଉଥିଲା ଓ ନୂଆ ସରକାର ଆସୁଥିଲା, ଏତିକି ବେଳର ଫାଇଦା ନେଇ କଂପାନୀ ଏହି ଅର୍ଥକୁ ନଦେଇ ଚୁପ ବସିଥିବା ଖବର ମିଳିଛି । ଖାଲି ଏହି କାରଖାନା ନୁହେଁ ଝାରସୁଗୁଡାର ଭୁଷଣ କଂପାନୀ ଦ୍ୱାରା ଏଭଳି ଭୁଲ ଦ୍ୱାରା ସଂପୃକ୍ତ କଂପାନୀକୁ ମଧ୍ୟ କୋଟି କୋଟି ଟଂକାର ଜରିମାନା କରାଯାଇଥିଲା । ରାଉରକେଲା ଏସପିସି ବୋର୍ଡ ଅଫିସ ପକ୍ଷରୁ ଏଭଳି ସମସ୍ୟା ସୃଷ୍ଟି କରୁଥିବା କଂପାନୀ ଗୁଡିକ ଉପରେ କଡା ନଜର ରଖାଯାଇଥିବା ବେଳେ, ଜିଲ୍ଲା ପ୍ରଶାସନ ମଧ୍ୟ କହିଛି କୌଣସି ବ୍ୟକ୍ତିଙ୍କର ଖାଲି ଥିବା ଯାଗାରେ ମଧ୍ୟ ଏଭଳି କୋଇଲା ଗୁଣ୍ଡ ପକାଯାଇପାରିବ ନାହିଁ । ଏହାଦ୍ୱାରା ରାସ୍ତା କଡରେ ଥିବା ଜମି ମାଲିକ ମାନେ ଏହି କଂପାନୀ ଗୁଡିକ ଦ୍ୱାରା ପ୍ରଭାବିତ ହୋଇ ନିଜ ଜମିରେ ଏଭଳି ଗୁଣ୍ଡ ପକାଇ ଚାଷ କାମ କରି ନପାରିବା ଭଳି ସମସ୍ୟାର ସମାଧାନ ମଧ୍ୟ ହୋଇଛି । ତେବେ ରାଜ୍ୟ ସରକାରଙ୍କର ଏକ ସ୍ୱତନ୍ତ୍ର ବିଭାଗ ହେଉଛି ଏସପିିସି ବୋର୍ଡ । ଏହାର ନିର୍ଦ୍ଦେଶକୁ ଅବନମାନନା କରି ଆଜି ଯାଏ ସରକାରଙ୍କର ଏହି ଜରିମାନା ଅର୍ଥ ପକାଇରଖାଯାଇଥିଲେ ମଧ୍ୟ ବିଭାଗର ବାବୁ ମାନେ ଚୁପ । ଆଗକୁ ମାର୍ଚ୍ଚ ମାସ ସରକାରଙ୍କର ମଧ୍ୟ ଅନେକ ବଜେଟ ରହିଛି ତେଣୁ ତୁରନ୍ତ ଏହି ଜରିମାନା ଅର୍ଥକୁ ଆଦାୟ କରିବା ଲାଗି ବିଭାଗ ତରଫରୁ ଉଦ୍ୟମ ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି ।