ଭୁବନେଶ୍ୱର, ଆସୋସିଏସନ୍ ଅଫ୍ ଫୋନୋ ସର୍ଜନ୍ସ ଅଫ୍ ଇଣ୍ଡିଆ (ଏପିଏସ୍ଆଇ)ର ୨୦ତମ ଜାତୀୟ ଫୋନୋ ସର୍ଜନ ସମ୍ମିଳନୀ ‘ଫୋନୋକନ୍-୨୦୨୫’ ଶୁକ୍ରବାର କିମ୍ସରେ ଉଦ୍ଘାଟିତ ହୋଇଯାଇଛି । ୩ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ୪ଶହରୁ ଊର୍ଦ୍ଧ୍ୱ ସ୍ୱର ବିଶେଷଜ୍ଞ, ସର୍ଜନ, ସ୍ପିଚ୍ ଥେରାପିଷ୍ଟ ଯୋଗ ଦେଇଛନ୍ତି । ଏ ନେଇ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି ଏପିଏସ୍ଆଇର ସଭାପତି ତଥା କିମ୍ସ କର୍ଣ୍ଣ, ନାସା ଓ ଗଳା ବିଭାଗ ମୁଖ୍ୟ ପ୍ରଫେସର ଡା. କବିକାନ୍ତ ସାମନ୍ତରାୟ କହିଲେ ତୃତୀୟ ଥର ପାଇଁ ଏହି ସମ୍ମିଳନୀ ଓଡ଼ିଶାରେ ଅନୁଷ୍ଠିତ ହେଉଛି । ଏହି ସମ୍ମିଳନୀରେ ସ୍ୱରଯନ୍ତ୍ର ଜନିତ ସମସ୍ୟା ଓ ତାହାର ନିରାକରଣ ବିଷୟରେ ତିନିଧରି ଆଲୋଚନା, କର୍ମଶାଳା ଅନ୍ୁଷ୍ଠିତ ହେବା ସହ କର୍ଣ୍ଣ, ନାସା ଓ ଗଳା ବିଭାଗର ସ୍ନାତକୋତ୍ତର ଛାତ୍ରଛାତ୍ରଙ୍କ ପାଇଁ ଲାଇଭ୍ ସର୍ଜରୀ କରାଯିବ । ଅତ୍ୟଧିକ କଥା କହିବା ଆମ ଶରୀରର ସ୍ୱରଯନ୍ତ୍ର ଉପରେ ପ୍ରଭାବ ପକାଇଥାଏ ବୋଲି ସେ କହିଥିଲେ । ଫଳରେ ଆମ ସ୍ୱରରେ ପରିବର୍ତ୍ତନ ଘଟିଥାଏ । ତେଣୁ ଆବଶ୍ୟକତା ଠାରୁ ଅଧିକ ସମୟ କଥା ନ କହିବା ଓ ସୁସ୍ଥ ଗଳା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଦିନରେ ଓ ରାତିରେ ଦୁଇଥର ଦାନ୍ତ ଘଷିବା ସହ ଉସୁମ ପାଣିରେ ଗର୍ଗଲିଂ କରିବା ପାଇଁ ପ୍ରଫେସର ସାମନ୍ତରାୟ ପରାମର୍ଶ ଦେଇଥିଲେ । ସମ୍ମିଳନୀ ଆୟୋଜନ କମିଟିର ସମ୍ପାଦକ ଡା. ଖଗେଶ୍ୱର ରାଉତ କହିଲେ, ପ୍ରତ୍ୟେକ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରତ୍ୟେକ ମଣିଷର ସ୍ୱର ଜନ୍ମଗତ ବୋଲି ସାଧାରଣରେ ଏକ ଧାରଣା ରହିଛି । କିନ୍ତୁ ଶରୀରରେ ଥିବା ସ୍ୱର ଯନ୍ତ୍ରର ଅସ୍ତ୍ରୋପଚାର କରାଯାଇ ସ୍ୱରକୁ ଠିକ୍ କରାଯାଇପାରିବ ବୋଲି ସେ କହିଥିଲେ । ପାନ, ଗୁଟଖା ଆଦି ଟବାକୋ ଖାଇବା ଓ ଧୂମପାନ ଆମର ସ୍ୱର ଯନ୍ତ୍ର ଓ ଗଳା ଉପରେ ପ୍ରଭାବ ପକାଇଥାଏ । ଏଥିଯୋଗୁଁ ଆମର ସ୍ୱର ଖରାପ ହେବା ସହ ନିଶ୍ୱାସ ନେବା ଓ ଢୋକିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ସ୍ୱରରେ ପରିବର୍ତ୍ତନ କିମ୍ବା ଗଳା ଖରାପ ହେଲେ ଏହାକୁ ଆଦୌ ଅବହେଳା ନ କରିବାକୁ ସେ ପରାମର୍ଶ ଦେଇଥିଲେ । ପାନ, ଗୁଟ୍ଖା ଓ ଧୂମପାନ ସେବନଠାରୁ ଦୂରେଇ ରହିବା ପାଇଁ ବ୍ୟାପକ ସଚେତନା ସୃଷ୍ଟି ଉପରେ ଡା ରାଉତ ଗୁରୁତ୍ୱାରୋପ କରିଥିଲେ । ଏସବୁର ସଚେତନତା ପାଇଁ ସେ ଗଣମାଧ୍ୟମର ସହଯୋଗ କାମନା କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଏପିଏସ୍ଆଇର ପ୍ରତିଷ୍ଠାତା ସଭାପତି ଡା. ଭି ଫଣୀନ୍ଦ୍ରକୁମାର ଓ ସମ୍ପାଦକ ଡା ଆଲୋକ କାରୋଲକର ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
February 8, 2025