-
୧ କୋଟି ୪୬ ଲକ୍ଷ ବାଳକ-ବାଳିକା ଓ ୧୭.୭ ଲକ୍ଷ ମହିଳାଙ୍କ ପାଇଁ ସରକାର କରିଛନ୍ତି କୃମିନାଶକ ଔଷଧର ବ୍ୟବସ୍ଥା
ଭୁବନେଶ୍ୱର : ଚଳିତ ୨୦୨୫ ଫେବୃଆରୀରେ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଓ ୟୁନିସେଫର ମିଳିତ ଉଦ୍ୟମରେ ସାରା ଓଡ଼ିଶାରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ। ମହିଳା ଓ ଶିଶୁ ମାନଙ୍କର ଉନ୍ନତ ସ୍ୱାସ୍ଥ୍ୟ, ସଠିକ ପୋଷଣ ଓ ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶର ଲକ୍ଷ ନେଇ ୧୦ ଫେବୃଆରୀ ୨୦୨୫ ତାରିଖରେ ଏହା ପାଳନ କରାଯିବ । ଯେଉଁମାନେ ଫେବୃଆରି ୧୦ ତାରିଖରେ କୌଣସି କାରଣରୁ ଏହି ଔଷଧ ଖାଇପାରିନଥିବେ ସେମାନେ ଫେବୃଆରି ୧୭ ତାରିଖରେ ଏହି ଔଷଧ ଖାଇପାରିବେ ।
୧ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ପ୍ରତି ୬ ମାସରେ ଥରେ ସ୍କୁଲ ଆଉ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ଔଷଧ ଦିଆଯାଉଛି । ଏହା ସହିତ ଏହି ଦିନମାନଙ୍କରେ ୨୦ରୁ ୨୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ପ୍ରଜନନକ୍ଷମ ମହିଳା ମାନଙ୍କୁ ମଧ୍ୟ କୃମିନାଶକ ଔଷଧ ଦିଆଯାଉଛି ।
ଆଜି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧନ କରି ଓଡିଶା ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ କହିଥିଲେ, “ଜାତୀୟ କୃମିନାଶକା ଦିବସ ଅବସରରେ ୧ ରୁ ୧୯ ବର୍ଷ ସମସ୍ତ ବାଳକ-ବାଳିକା ଓ ୨୦ ରୁ ୨୪ ବର୍ଷର ପ୍ରଜନନକ୍ଷମ ମହିଳା ମାନଙ୍କୁ ନିକଟସ୍ଥ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ରରେ ଶିକ୍ଷକ ଓ ଅଙ୍ଗନବାଡି କର୍ମୀ ତଥା ଆଶା କର୍ମୀଙ୍କ ଦ୍ୱାରା କୃମିନାଶକ (ଦ୍ରବଣ/ବଟିକା) ଔଷଧ ଖାଇବାକୁ ଦିଆଯିବ । “
“ଏହା ସହିତ ଫେବୃଆରୀ ମାସରେ ୯ ମାସରୁ ୬୦ ମାସ ବୟସର ସମସ୍ତ ପିଲା ମାନଙ୍କୁ ନିଜର ବୟସ ମୁତାବକ ଉପଯୁକ୍ତ ମାତ୍ରାରେ ‘ଭିଟାମିନ ଏ’ ଦ୍ରବଣ ମଧ୍ୟ ଦିଆଯିବ । ଏହି ଫେବୃଆରୀ ମାସରେ ସରକାରୀ ଟୀକାକରଣ କେନ୍ଦ୍ର ଓ ସ୍ୱତନ୍ତ୍ର ଭିଚଏନଡିରେ ‘ଭିଟାମିନ ଏ’ ଦ୍ରବଣ ପ୍ରଦାନ କରାଯିବ,” ବୋଲି ସେ କହିଥିଲେ ।
“ସମସ୍ତ ସରକାରୀ, ସରକାରୀ ସହାୟତା ପ୍ରାପ୍ତ, କେନ୍ଦ୍ର ସରକାର ଏବଂ ବେସରକାରୀ ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ର, ପ୍ଲେ ସ୍କୁଲ, ଚାଇଲଡ଼ କେୟାର ଇଂଷ୍ଟିଟ୍ୟୁସନ ଓ ଶିକ୍ଷାଭିତ୍ତିକ ଅନୁଷ୍ଠାନ ମାନଙ୍କରେ କୃମିନାଶକ ଦିବସ ପାଳନ କରାଯିବ । ରାଜ୍ୟରେ ଏହି ଜାତୀୟ କୃମିନାଶକ ଦିବସ ମାଧ୍ୟମରେ ଆନୁମାନିକ ରୂପେ ୧ରୁ ୧୯ ବର୍ଷ ମଧ୍ୟରେ ୧,୪୬,୪୯,୬୨୩ ବାଳକ-ବାଳିକା, କିଶୋର-କିଶୋରୀ ଉପକୃତ ହେଵା ସହିତ ୨୦ରୁ ୨୪ ବର୍ଷ ପର୍ଯ୍ୟନ୍ତ ୧୭,୭୩,୧୮୭ ପ୍ରଜନନକ୍ଷମ ମହିଳା ଉପକୃତ ହେବେ”, ବୋଲି ଡ଼ା. ସ୍ମୃତିଜିତ ପଟ୍ଟନାୟକ, ଯୁଗ୍ମ-ନିର୍ଦ୍ଦେଶକ, ନ୍ୟୁଟ୍ରିସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଥିଲେ |
ରାଜ୍ୟର ୨୪ଟି ଜିଲ୍ଲା ଯଥା: – ଅନୁଗୋଳ, ବରଗଡ, ବୌଦ୍ଧ, ବାଲେଶ୍ଵର, ଭଦ୍ରକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ପୁରୀ, ସୋନପୁର, ସମ୍ବଲପୁର ଓ ସୁନ୍ଦରଗଡରେ କୃମିନାଶକ ଦିବସ ପାଳନ କରାଯିବ । ଏହା ବ୍ୟତୀତ ଅନ୍ୟ ୬ଟି ଜିଲ୍ଲା ଯଥା: – ବଲାଙ୍ଗୀର, କଟକ, କଳାହାଣ୍ଡି, କନ୍ଧମାଳ, ନୟାଗଡ ଓ ରାୟଗଡାରେ ଯେଉଁ ବ୍ଲକରେ ଲିମ୍ଫାଟିକ ଫ୍ୟାଲେରିଆସିସ କାର୍ଯ୍ୟକ୍ରମ ହେଉନଥିବ, ସେଠାରେ ମଧ୍ୟ ହିତାଧିକାରୀମାନଙ୍କୁ କୃମିନାଶକ ଦିବସରେ ଔଷଧ ଖାଇବାକୁ ଦିଆଯିବା ।
ଏହି ସମ୍ପର୍କରେ ଅଧିକ ସୂଚନା ଦେଇ ୟୁନିସେଫ ଓଡିଶାର ନ୍ୟୁଟ୍ରିସନ ସ୍ପେସିଆଲିଷ୍ଟ, ସୌରଭ ଭଟ୍ଟାଚାର୍ଜୀ କହିଥିଲେ, “ଆମ ପିଲା ମାନଙ୍କର ସାମୁହିକ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଜାତୀୟ କୃମିନାଶକ ଦିବସ, ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ପଦକ୍ଷେପ ଅଟେ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କର ଓ ପ୍ରଜନନକ୍ଷମ ମହିଳା ମାନଙ୍କ ଲାଗି ଉତ୍ତମ ସ୍ୱାସ୍ଥ୍ୟ, ସଠିକ ପୃଷ୍ଟି ସ୍ତର, ଶିକ୍ଷା, ଦକ୍ଷତା ବୃଦ୍ଧି ତଥା ଉନ୍ନତ ମାନର ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା । “
ୟୁନିସେଫ ଓଡ଼ିଶାର ନ୍ୟୁଟ୍ରିସନ ଅଧିକାରୀ ଡା. ସଞ୍ଜୟ କୁମାର ସାହୁ କହିଥିଲେ,”ଜୀବାଣୁ ଦ୍ୱାରା ବ୍ୟାପୁଥିବା ନକାରାତ୍ମକ ପ୍ରଭାବ ରୋକିବା ସହିତ ଆମ ପିଲା ମାନଙ୍କର ଏବଂ ପ୍ରଜନନକ୍ଷମ ମହିଳା ମାନଙ୍କର ସ୍ୱାସ୍ଥ୍ୟ ଓ ସାମୁହିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ।”
ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ତଥା ୟୁନିସେଫର ଏକ ମିଳିତ ପ୍ରୟାସ ଅଟେ ।