![](https://indokalingtimes.com/wp-content/uploads/2025/02/6661ae810688d35d1f56386ecb4cdca9_196120907-1024x966.jpg)
ଚମ୍ପୁଆ, ଚମ୍ପୁଆ ବ୍ଲକ୍ ରଜିଆ ପଞ୍ଚାୟତ ଅନ୍ତର୍ଗତ କଞ୍ଚନପୁର ଗ୍ରାମରେ ଆଦିବାସୀ ମାନଙ୍କ ପାରମ୍ପରିକ ମାଗେ ପର୍ବ ଜାକଜମକର ସହ ପାଳିତ ହୋଇ ଯାଇଛି। ଗ୍ରାମର ବୀର ବିର୍ସା ମୁଣ୍ଡା ବଡାମ ବୁଢା ହୋ ସମାଜ ଦ୍ୱାରା ପ୍ରତ୍ୟେକ ବର୍ଷ ମାଘ ମାସରେ ଏହି ପର୍ବ ତିନି ଦିନ ଧରି ପାଳନ କରା ଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ମହା ଧୁମଧାମରେ ତିନି ଦିନ ଧରି ନାଗରା, ମାନ୍ଦଳ ର ତାଳେ ତାଳେ ଝୁମି ଉଠିଛି କଞ୍ଚନପୁର ଗାଁ। ଏହି ଅବସରରେ ମୁଖ୍ୟଅତିଥି ଭାବେ ଚମ୍ପୁଆର ଜନନେତା ତଥା ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗଦେଇ ଗ୍ରାମବାସୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଗ୍ରାମ ଦେହୁରୀ ସୁନାରାମ ମୁଣ୍ଡା, ପୁରୁଷୋତ୍ତମ ପ୍ରଧାନ, ଦାଶରଥି ମହାକୁଡ଼, କମଳାକାନ୍ତ ପ୍ରଧାନ, ସୁମନ୍ତ ମହାନ୍ତ, ଲୋକନାଥ ପାତ୍ର, ନରୋତ୍ତମ ମହାନ୍ତ, ଜର୍ମାନୀ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। ଏହି ପର୍ବକୁ ବୀର ବିର୍ସା ମୁଣ୍ଡା ବଡାମ ବୁଢା ହୋ ସମାଜର ସମ୍ପାଦକ ରୋହିତ କୁମାର ପ୍ରଧାନ, ରବୀନ୍ଦ୍ର ମୁଣ୍ଡା, ରଘୁନାଥ ମୁଣ୍ଡା, ପାଇଁତୁଷ ମୁଣ୍ଡା, ଶୂକ୍ରା ମୁଣ୍ଡା, ରାମ ମୁଣ୍ଡା, ରାଧିକା ମୁଣ୍ଡା, ଗଣେଶ ମୁଣ୍ଡା ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ। ଗ୍ରାମର ଦେହୁରୀ ହୋ ରୀତିନୀତି ଅନୁସାରେ ଗ୍ରାମ ଶାଳରେ ପୂଜା କର୍ମ ସମାପନ କରି ପର୍ବର ଶୁଭାରମ୍ଭ କରିବା ପରେ ପାରମ୍ପରିକ ନୃତ୍ୟ, ଗୀତ ସହିତ ମାଦଳ, ନାଗରା, ଆଦି ବାଦ୍ୟ ବଜାଇ ଆଖଡ଼ାକୁ ଅଣା ଯାଇ ଆଖଡ଼ାରେ ଆଦିବାସୀ ମୁଣ୍ଡା ପୁଅଝିଅ ମିଳିମିଶି ହାତକୁ ହାତ ଧରାଧରି ହୋଇ ନୃତ୍ୟ ସଙ୍ଗୀତରେ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ମସଗୁଲ ହୋଇ ପର୍ବକୁ ଉପଭୋଗ କରିଥିଲେ । ଏହି ପର୍ବରେ ଆଦିବାସୀ ପୁରୁଷ, ମହିଳା ମାନଙ୍କ ପାରମ୍ପରିକ ମାଗେ ନୃତ୍ୟ ମୁଖ୍ୟ ଆକର୍ଷଣ ହୋଇ ଥିବାବେଳେ ପର୍ବ ଦେଖିବାକୁ ଓ ସେଥିରେ ସାମିଲ୍ ହେବାକୁ ଆଖପାଖ ଗ୍ରାମ ମାନଙ୍କରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସୁଅ ଛୁଟି ଥିବା ଦେଖିବାକୁ ମିଳି ଥିଲା । ଏହି ଅବସରରେ ବିଭିନ୍ନ ପ୍ରକାରର ଦୋକାନ ବଜାର ମେଳା ଲାଗି ଥିବାରୁ ଲୋକେ ମେଳା ବୁଲି ପର୍ବର ମଜା ନେଇଥିଲେ। ତେବେ ମାଘ ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ଭାବେ ଗ୍ରହଣ କରି ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ଗ୍ରାମର ସୁବିଧା ଅନୁଯାୟୀ ମାଘ ମାସର ସଂକ୍ରାନ୍ତି ପରଠାରୁ ଯେକୌଣସି ଦିନ ଏହି ପର୍ବ ପାଳନ କରି ଆସୁ ଥିବାବେଳେ କଞ୍ଚନପୁର ଗ୍ରାମରେ ମଧ୍ୟ ପ୍ରତି ବର୍ଷ ମାଘ ମାସରେ ତିନି ଦିନ ଧରି ଏହି ମାଗେ ପର୍ବ ପାଳିତ ହୋଇଥାଏ। ନିଆରା ଢଙ୍ଗରେ ପାଳିତ ହେଉଥିବା ଏହି ପର୍ବରେ ଭୂମି ପୂଜା ଏବଂ କୂଳ ପୂଜାକୁ ଗୁରୁତ୍ୱ ଦିଆ ଯାଇଥାଏ।