ଭୁବନେଶ୍ୱର– ପୁରୀ ସୂରଜମଲ ସାହା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ନବ ନିର୍ମିତ ପ୍ରଶାସନିକ ଗୃହ, ନୂତନ ଶ୍ରେଣୀଗୃହର ଶୁଭ ଉଦଘାଟନ କରିବା ସହିତ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଗୃହର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକ ସୁସ୍ଥ ସମାଜ ଗଠନରେ ଶିକ୍ଷାନୁଷ୍ଠାନର ଭୂମିକା ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ। ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ସହ ସେମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ଏଭଳି ଅନୁଷ୍ଠାନର ଏକ ବଡ ଭୂମିକା ରହିଛି। ଆଜିର ଏହି ଦିନ କେବଳ ଉତ୍ସବ ପାଳନରେ ସୀମିତ ନୁହେଁ, ଏହାର ଗୁରୁତ୍ଵ ଏବଂ ଆବଶ୍ୟକତାକୁ ବୁଝିବାର ଏକ ଅବସର ଅଟେ। ରାଜ୍ଯରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଲୋକଙ୍କ ସରକାର ପ୍ରତିଶ୍ରୁତିବଦ୍ଧ। ଜାତୀୟ ଶିକ୍ଷା ନୀତିକୁ ଆଧାର କରି ବର୍ତ୍ତମାନ ସହ ଆଗାମୀ ଭବିଷ୍ୟତକୁ ଆଖି ଆଗରେ ରଖି ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରାଯାଉଛି। ଭିତ୍ତିଭୂମିରେ ଉନ୍ନତି, ଉନ୍ନତ ଜ୍ଞାନ କୌଶଳର ପ୍ରୟୋଗ, ମାନବ ସମ୍ବଳ ସୁନିଶ୍ଚିତ କରିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସହଯୋଗ ଯୋଗାଇଦିଆଯାଉଛି। ଯାହାକି କେବଳ ଶିକ୍ଷା ନୁହେଁ, ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ବିକାଶକୁ ପ୍ରୋତ୍ସାହିତ କରୁଛି। ଏହାକୁ ଆହୁରି ସର୍ବବ୍ୟାପୀ କରିବା ପାଇଁ ଏଭଳି ଅନୁଷ୍ଠାନର ବିଶେଷ ଯୋଗଦାନ ସହ ସମସ୍ତଙ୍କ ମିଳିତ ପ୍ରୟାସର ଆବଶ୍ୟକତା ରହିଛି। ମୋର ବିଶ୍ବାସ ଆପଣ ସମସ୍ତଙ୍କ ସହଯୋଗରେ ଓଡ଼ିଶାର ଆଗାମୀ ଦିନର ଭବିଷ୍ୟତ ନିଶ୍ଚୟ ଉନ୍ନତ ହେବ ଏବଂ ଆମ ଛାତ୍ରଛାତ୍ରୀଙ୍କ ପ୍ରତ୍ଯେକ୍ଷ ଯୋଗଦାନରେ ‘ବିକଶିତ ଓଡ଼ିଶା’ ନିର୍ମାଣ ହେବ।
Related Stories
February 4, 2025