-
ସମସ୍ତଙ୍କୁ ‘ଉତ୍କର୍ଷର ଉପାସକ’ ହେବା ପାଇଁ ସୌମ୍ୟବାବୁଙ୍କ ପରାମର୍ଶ
-
ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ – ବିନା ଭୟ, ପକ୍ଷପାତରେ
-
ଗଠନମୂଳକ ସମାଲୋଚନା କରନ୍ତୁ
-
ସମୃଦ୍ଧ ଓଡ଼ିଶା ଗଠନରେ ସମାଜର ସବୁ ବର୍ଗର
-
ଲୋକଙ୍କ ସହିତ ଗଣମାଧ୍ୟମର ସହାୟତା
-
ମଧ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
-
ମାଟି ଓ ପାର୍ଟି ଭିତରେ ସୌମ୍ୟବାବୁ ମାଟିକୁ ହିଁ ବାଛିଛନ୍ତି,
-
ଓଡ଼ିଆ ଅସ୍ମିତାର ଲଢ଼େଇରେ ସେ ଥିଲେ
-
ଏକ ଅଗ୍ରଣୀ ସେନାପତି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଏହାର ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ରହିଛି । ତେଣୁ, ଗଣମାଧ୍ୟମ ବିନା ଭୟ ଓ ପକ୍ଷପାତରେ ଗଠନମୂଳକ ସମାଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି । ଆଜି ସ୍ଥାନୀୟ ମେ ଫେୟାର’ରେ ସମ୍ୱାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ କର୍ପୋରେଟ ଏକସେଲନ୍ସ ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକଙ୍କ ସମସ୍ୟା ଓ ପ୍ରସଙ୍ଗକୁ ସରକାରଙ୍କ ନଜରକୁ ଆଣିଲେ, ସମାଧାନ କରିବା ପାଇଁ ସରକାରଙ୍କୁ ଏହା ସାହାଯ୍ୟ କରିବ । କିନ୍ତୁ ସମ୍ୱାଦ ପରିବେଷଣ ଓ ଅଭିସନ୍ଧିମୂଳକ କୁତ୍ସାରଟନା ଭିତରେ ଯେଉଁ ସୂକ୍ଷ୍ମ ଲକ୍ଷ୍ମଣରେଖା ରହିଛି, ତାକୁ ମଧ୍ୟ ସମ୍ମାନ ଦେବା ଆବଶ୍ୟକ । ସାମ୍ୱାଦିକତାର ମୂଳମନ୍ତ୍ର ହେଉଛି ସତ୍ୟର ଜୟ ହେଉ (Let Truth Prevail) ବୋଲି ସେ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଯେଉଁ ମହାପରିବର୍ତ୍ତନର ଯାତ୍ରା ଆରମ୍ଭ ହୋଇଛି ସେଥିରେ ସମାଜର ସବୁ ବର୍ଗର ଲୋକଙ୍କ ସହଯୋଗ କାମନା କରିଥିଲେ । ଗଣମାଧ୍ୟମ ମଧ୍ୟ ଏ ଦିଗରେ ସହଯୋଗ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ୍ ହେବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ଏହି ସମୟ ଭିତରେ ଓଡ଼ିଶାର ସମ୍ପୂର୍ଣ୍ଣ କାୟାକଳ୍ପ ହେବ । ଗତ କିଛି ମାସ ମଧ୍ୟରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ସଫଳ ଆୟୋଜନ କରି ଓଡ଼ିଶା ଦେଶ ଓ ବିଶ୍ୱର ନଜରକୁ ଆସିପାରିଛି । ପ୍ରବାସୀ ଭାରତୀୟ ଓ ଓଡ଼ଆମାନଙ୍କ ସହ ଯୋଡ଼ି ହେବା ଯୋଗୁଁ ଓଡ଼ିଆ ଅସ୍ମିତା ଆଜି ବିଶ୍ୱ ଦରବାରରେ ପହଞ୍ଚି ପାରିଛି । ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ – ୨୦୨୫ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଓଡ଼ିଶା ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି ।
ତେଣୁ ନୂଆ ଓଡ଼ିଶା ଗଠନ ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ସବୁ ବର୍ଗର ଲୋକଙ୍କ ସହଯୋଗ ଓ ସହଭାଗିତାରେ ତାହା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖବର ପରିବେଷଣ ସହିତ ଆଜିକାଲି ମେଡିଆ ହାଉସ୍ମାନେ ପରିବର୍ତ୍ତନର ସାରଥୀ (Change Agent) ଭାବରେ ଭୂମିକା ଗ୍ରହଣ କରୁଛନ୍ତି । ବିଭିନ୍ନ କନକ୍ଲେଭ ମାଧ୍ୟମରେ ଅନେକ ପ୍ରସଙ୍ଗ ଉପରେ ଖୋଲା ଆଲୋଚନା କରି ସମାଜର ବିଭିନ୍ନ ସ୍ତରରେ ଜାଗରଣ ସୃଷ୍ଟି କରୁଛନ୍ତି । ଏହାକୁ ଖୁବ୍ ପ୍ରଶଂସନୀୟ ଉଦ୍ୟମ ବୋଲି ସେ କହିଥିଲେ ।
ସମ୍ୱାଦର କର୍ପୋରେଟ ଏକସେଲନ୍ସ ଆୱାର୍ଡ କାର୍ଯ୍ୟକ୍ରମର ପ୍ରଂଶସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହାଦ୍ୱାରା ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ପ୍ରୋତ୍ସାହନ ମିଳିପାରୁଛି । ଏହିପରି କାର୍ଯ୍ୟକ୍ରମ ଓଡ଼ିଆ ଅସ୍ମିତାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ । ଓଡ଼ିଆ ସମାଜର ଅଭିବୃଦ୍ଧି ପାଇଁ ସମ୍ମାନିତ ବ୍ରାଣ୍ଡମାନଙ୍କର ବିଜେତା ଓ ଏହି ବ୍ରାଣ୍ଡ ପଛରେ ରହିଥିବା ଉଦଯୋଗର ବିଶେଷ ଭୁମିକା ଅଛି ବୋଲି ସେ କହିଥିଲେ ।
ଇଷ୍ଟର୍ଣ୍ଣ ମେଡିଆର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶଂସା କରି ସେ କହିଥିଲେ ଆଜି ସୌମ୍ୟବାବୁ ଜଣେ ସାଧାରଣ ବ୍ୟକ୍ତି ନୁହେଁ ଗୋଟିଏ ଇନଷ୍ଟିଚ୍ୟୁସନରେ ପରିଣତ ହୋଇଛନ୍ତି । ଓଡ଼ିଶାର ଗଣମାଧ୍ୟମ ଦୁନିଆରେ ସେ ଏକ ମହାଦ୍ରୁମ । ଆଜି ଯଦି ଓଡ଼ିଶାର ଗଣମାଧ୍ୟମ ଏକ ସମ୍ମାନସ୍ପଦ ସ୍ଥାନରେ ଅଛି ତାହେଲେ ତାର ପ୍ରଥମ ଶ୍ରେୟ ନିଶ୍ଚିତ ଭାବରେ ସୌମ୍ୟବାବୁଙ୍କ ପାଖକୁ ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେ କହିଥିଲେ ଯେ, ସାମ୍ୱାଦିକତା ଠାରୁ ଆରମ୍ଭ କରି ରାଜନୀତି, ସମାଜସେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସୌମ୍ୟବାବୁ ତାଙ୍କର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଥିଲେ ମଧ୍ୟ, ସମ୍ୱାଦର ସ୍ରଷ୍ଟା ଭାବରେ ସେ ସବୁଠାରୁ ଲୋକପ୍ରିୟ । ଓଡ଼ିଆ ଅସ୍ମିତାର ସଂଗ୍ରାମରେ ସୌମ୍ୟବାବୁ ଜଣେ ଅଗ୍ରଣୀ ସେନାପତି ଥିଲେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମାଟି ଓ ପାର୍ଟି ମଧ୍ୟରେ ହୋଇଥିବା ଲଢ଼େଇରେ ସେ ମାଟିକୁ ହିଁ ବାଛିଥିଲେ ।
ଏହି ଅବସରରେ ନିଜର ଅଭିଭାଷଣ ରଖି ଇଷ୍ଟର୍ଣ୍ଣ ମେଡ଼ିଆର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ଓଡ଼ିଶାରେ ଏବେ ଯେଉଁ ପରିବର୍ତ୍ତନ ହୋଇଛି, ତାହା ଏକ ନୂଆ ଯୁଗର ସଂକେତ ଦେଇଛି । ଏବେ ଆମେ ଓଡ଼ିଶାକୁ ଉତ୍କୃଷ୍ଟ କରିବା ପାଇଁ ଅଗ୍ରସର ହେଉଛୁ । ତେଣୁ ଓଡ଼ିଶାରେ ସବୁଲୋକ ଉତ୍କର୍ଷର ଉପାସକ ହେବା ଆବଶ୍ୟକ ବୋଲି ସେ କହିଥିଲେ ।
ଏଥିରେ ସମସ୍ତେ ସମାଲୋଚକମାନଙ୍କୁ ପାଖରେ ରଖିବା ଉଚିତ ବୋଲି ମତ ଦେଇ ସେ କହିଥିଲେ ଯେ, ସମାଲୋଚନା ହିଁ ଆମକୁ ଆମର ଭୁଲ ସମ୍ପର୍କରେ ଅବଗତ କରାଇବା ସହ ଉଚିତ ମାର୍ଗ ଦର୍ଶନ କରିଥାଏ ।
ଶିଳ୍ପପତିମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ଓଡ଼ିଶାର ପିଲାମାନେ ଓଡ଼ିଶା ବାହାରେ ସାରା ବିଶ୍ୱରେ ବଡ଼ ବଡ଼ କର୍ପୋରେଟ ସେକ୍ଟରରେ କାମ କରି ସଫଳତା ଅର୍ଜନ କରୁଛନ୍ତି । ତେଣୁ ଓଡ଼ିଶାର କର୍ପୋରେଟ ସେକ୍ଟର ମଧ୍ୟ ଓଡ଼ିଆ ପିଲାମାନଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେବା ଆବଶ୍ୟକ ।
ଏହି କାର୍ଯ୍ୟକ୍ରମରେ ୫ଟି ବର୍ଗରେ ୧୭ଟି ବ୍ରାଣ୍ଡକୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମେଡିଆର ନିର୍ଦ୍ଦେଶିକା ଡକ୍ଟର ମୋନିକା ପଟ୍ଟନାୟକ ସମ୍ୱାଦ ଓ କନକ ନ୍ୟୁଜର ସମ୍ପାଦିକା ଶ୍ରୀମତୀ ତନୟା ପଟ୍ଟନାୟକ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ ।