ବଲାଙ୍ଗିର– ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅଞ୍ଚଳରେ ଏକ ଲୁଟେରାଗ୍ୟାଙ୍ଗ ଉତ୍ପାତ କରୁଥିବା ସୂଚନା ମିଳିଛି । ସାତମାଇଲ ଛକରୁ ବରଗାଁ ଦେଇ ସୋନପୁର ଜିଲ୍ଲାର ମେଣ୍ଡାଅଞ୍ଚଳକୁ ଯାଇଥିବା ରାସ୍ତାରେ ଶୁକ୍ରବାର ରାତିରେ ଅଟକାଇ ଲୁଟ କରିଥିବା ଅଭିଯୋଗ ହୋଇଛି । ଏହି ଗ୍ୟାଙ୍ଗର ଲିଡର ଭୁର୍ସିପାଲିର ରଂଜନ ସ୍ୱାଇଁ ହୋଇଥିବା ବେଳେ ତା ସାଙ୍ଗରେ ୮ରୁ ୧୦ଜଣ ଅସାମାଜିକ ଯୁବକ ରହିଛନ୍ତି । ଶୁକ୍ରବାର ରାତି ୮ଟାରେ ତରଭା ଥାନାର ଦେଉଳପଦର ଗାଁର ପରିକ୍ଷିତ ପୁରୋହିତ ମୋଟରସାଇକେଲରେ ଯାଉଥିବା ବେଳେ ବରଗାଁ ଗାଁ ମୁଣ୍ଡରେ ତାକୁ ଅଟକାଇ ଖଣ୍ଡାରେ ହାଣିଛନ୍ତି । ପରିକ୍ଷିତଙ୍କ ମୁଣ୍ଡରେ ଗଭୀର ଆଘାତ ଥିବା ବେଳେ ହାତରେ ମଧ୍ୟ ଷ୍ଟିଜ ହୋଇଛି । ତାକୁ ରଂଜନ ସ୍ୱାଇଁ ଓ ଅନ୍ୟମାନେ ଖଣ୍ଡାରେ ହାଣିଛନ୍ତି ଓ ଏହା ହତ୍ୟାପାଇଁ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ପରିକ୍ଷିତଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ସୋନପୁର ଜିଲ୍ଲା ନାଇକେନପାଲି ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରାଇ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣି ଭର୍ତ୍ତି କରାଇଛନ୍ତି । ପୁଇଁତଳା ଥାନାରେ ଏନେଇ ପରିକ୍ଷିତର ବାପା କୃଷ୍ଣଚନ୍ଦ୍ର ପୁରୋହିତ ଅଭିଯୋଗ ଦେଲାପରେ ମାମଲା ରୁଜୁ ହୋଇଛି । ଠିକ ସେହିପରି ମେଣ୍ଡା ନିକଟସ୍ଥ ରାଜପାଲି ଗ୍ରାମର ପୃଥ୍ୱୀରାଜ ସୁନା ମଧ୍ୟ ସେହି ରାସ୍ତାରେ ମୋଟରସାଇକେଲରେ ଯାଉଥିବା ବେଳେ ତାକୁ ମଧ୍ୟ ଅଟକାଇ ଖଣ୍ଡାରେ ଆକ୍ରମଣ ହୋଇଛି । ସେହି ରଂଜନ ସ୍ୱାଇଁ ଓ ତାଙ୍କ ଗ୍ୟାଙ୍କ ଏହି ଆକ୍ରମଣ କରିଛନ୍ତି । ପୃଥ୍ୱୀରାଜଙ୍କୁ ତରଭା ଥାନା ଅନ୍ତର୍ଗତ କେକଟପାଲି ଗାଁ ନିକଟରେ ଆକ୍ରମଣ ହୋଇଛି । ତାଙ୍କୁ ଅତର୍କିତ ଆକ୍ରମଣ ପରେ ପୃଥ୍ୱୀରାଜ ଜୀବନବିକଳରେ ଗାଡିଛାଡି ଅନ୍ଧାରରେ ଦଉଡି ପଳାଇଥିଲେ । ପୃଥ୍ୱୀରାଜଙ୍କ ଫୋନକଲ ପାଇ ତାଙ୍କ କିଛି ସାଙ୍ଗ ଓ ମେଣ୍ଡା ଫାଣ୍ଡି ଏସଆଇ ରବିନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ ଆସିବା ବେଳେ ରଂଜନ ସ୍ୱାଇଁ ସେମାନଙ୍କୁ ମଧ୍ୟ ଖଣ୍ଡାଧରି ମାରିବାକୁ ଗୋଡାଇଥିଲେ । ପୋଲିସ ହାତରେ କେବଳ ଲାଠିଥିବା ବେଳେ ଗୁଣ୍ଡାଙ୍କ ହାତରେ ଖଣ୍ଡାଗୁଡିକ ରହିଥିଲା । ତେଣୁ ତରଭା ଓ ସୋନପୁରରୁ ପୋଲିସ ଟିମ ଡକାଇ କୌଣସି ପ୍ରକାରେ ଜଣକୁ ମେଣ୍ଡା ପୋଲିସ କାବୁ କରିବାକୁ ସଫଳ ହୋଇଥିଲା । ରାତିରେ ପୁଣି ଆଉ ଜଣକୁ ଧରିଥିବା ଜଣାଯାଇଛି । ତରଭା ଥାନାରେ ମଧ୍ୟ ପୃଥ୍ୱୀରାଜଙ୍କ ଅଭିଯୋଗ ଉପରେ ଏକ ଡକାୟତି ମାମଲା ରୁଜୁ ହୋଇଛି । ଠିକ ସେହିପରି ବ୍ରାହ୍ମଣୀପାଲି ଗାଁର ଜଣେ ଯୁବକକୁ ମଧ୍ୟ ଏହି ଗୋଷ୍ଠୀ ଆକ୍ରମଣ କରିଥିବା ସୂଚନା ମିଳିଛି । ସେହି ରାସ୍ତାରେ ଯାଉଥିବା ବହୁତ ସମୟରେ ଲୋକଙ୍କୁ ଲୁଟର ଶୀକାର ହେବାକୁ ପଡୁଛି । ପୋଲିସ ଅନ୍ୟମାନଙ୍କୁ ଧରିବା ପାଇଁ ଛାନଭିନ ଚଳାଇଛି ।
ପ୍ରକାଶ ଯେ, ରଂଜନ ସ୍ୱାଇଁ ବହୁତବର୍ଷ ହେଲା ପୁଇଁତଳା ଥାନା ଅଞ୍ଚଳରେ ଉତ୍ପାତ ଚଳାଇଛି । କିଛି ରାଜନେତା ସେହି ଗ୍ୟାଙ୍ଗକୁ ନିଜର ବାହୁବଳ ଆକାରରେ ବ୍ୟବହାର କରୁଥିବାରୁ ରାଜନୈତିକ ପୃଷ୍ଠପୋଷକତା ପାଉଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ପୋଲିସ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି । ପୁଇଁତଳା ପୋଲିସ ଶତୃଘ୍ନ ପାତ୍ର ନାମକ ଜଣେ ଅଭିଯୁକ୍ତକୁ ଧରିଥିବା ପୁଇଁତଳା ଆଇଆଇସି ସୁବରାଜ ଧରୁଆ କହିଛନ୍ତି ।
ସେପଟେ ମେଣ୍ଡା ଫାଣ୍ଡିରେ ମଧ୍ୟ ମାମଲା ନମ୍ବର-୨୫/୨୦୨୫ ରୁଜୁ ହୋଇ ତିନିଜଣ ଅଭିଯୁକ୍ତ ଜିତେନ ବିଶି, ବିନୋଦ ମେଶ୍ୱା ଓ ନେପାଲ କୁଦେଇକୁ ଧରି ଅଟକ ରଖିଛନ୍ତି । ତରଭା ଥାନା ଅଞ୍ଚଳରେ ଡକାୟତି ମାମଲା ରୁଜୁ ହୋଇଥିବା ବେଳେ ପୁଇଁତଳା ଥାନାରେ ହତ୍ୟାଉଦ୍ୟମ ମାମଲା ରୁଜୁ ହୋଇଛି ।