ଭୁବନେଶ୍ଵର: ଦୁଇ ଦିନିଆ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକ ରାଜ୍ୟ ସଚିବାଳୟ ଲୋକସେବା ଭବନଠାରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ଯୋଗ ଦେଇଥିବା ସମସ୍ତ କ୍ଷେତ୍ରସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ମାନେ ଜଟଣୀ ଖୁଦୁପୁର ସ୍ଥିତ ସମନ୍ଵିତ ଭିତ୍ତିଭୂମି ପ୍ରକଳ୍ପରେ (ଆଇଆଇସି) ଚାଲୁଥିବା ବିଭିନ୍ନ ଯୋଜନା ତଥା ପ୍ରକଳ୍ପ ଗୁଡିକର ପରିଦର୍ଶନ କରିଥିଲେ ଏବଂ ଉକ୍ତ ପ୍ରକଳ୍ପଗୁଡିକ ସମ୍ପର୍କରେ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏତଦ୍ ବ୍ୟତୀତ ବିଭାଗୀୟ ଅଧିକାରୀମାନେ ଆଇଆଇସି ସମୀପସ୍ଥ ସ୍ଵତନ୍ତ୍ର ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ କରି ସେଠାରେ ତାଲିମ ନେଉଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଶେଷରେ ଭୁବନେଶ୍ଵରର ପୋଖରୀପୁଟ ସ୍ଥିତ ମନୋଦୟ ଅନୁଷ୍ଠାନ ପରିଦର୍ଶନ କରି ସେଠାରେ ବୌଦ୍ଧିକ ଭିନ୍ନକ୍ଷମ ଶିଶୁମାନଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରକାର ଭୌତିକ ଚିକିତ୍ସା ସମ୍ପର୍କରେ ସଚେତନ ହୋଇଥିଲେ ।
ଅପରାହ୍ନରେ ଲୋକସେବା ଭବନ ସ୍ଥିତ କନଭେନସନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ଉଦଯାପନୀ ସଭାରେ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ତଥା ଉପରୋକ୍ତ ତିନି ଅନୁଷ୍ଠାନର ଉନ୍ନତିକରଣ ସମ୍ପର୍କରେ ଅଲୋଚନା ହୋଇଥିଲା । ଏହି ସଭାରେ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ନିୟତି ପଟ୍ଟନାୟକ, ବିଭାଗର ଅର୍ଥପରାମର୍ଶ ଦାତା ଜୟଶ୍ରୀ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଶ୍ରୀ ଦୀପକ ରାଉତରାୟ, ଶ୍ରୀମତୀ ସୋନିଆ ବେହେରା, ଶ୍ରୀ ଭାସ୍କର ରାଇତୋ, ଉପଶାସନ ସଚିବ ଶ୍ରୀ ବସନ୍ତ କୁମାର ବେହେରା, ଶ୍ରୀ ନିହାର ରଞ୍ଜନ ପାଢୀ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।