-
‘‘ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବର୍ତ୍ତମାନ ହେଉଛି ଉପଯୁକ୍ତ ସମୟ’’ – ପ୍ରଧାନମନ୍ତ୍ରୀ
-
ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫
ଭୁବନେଶ୍ୱର: ‘‘ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଛି। ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ, ଏଡୁଟେକ୍, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଗ୍ରିନ ଏନର୍ଜି ଏବଂ ପର୍ଯ୍ୟଟନ ଶିଳ୍ପ ଆଦି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି। ଆଗାମୀ ଦିନରେ ଓଡ଼ିଶା ହେବ ପୂର୍ବ ଭାରତର ବିକାଶର ଇଞ୍ଜିନ,’’ ଦେଶ ବିଦେଶର ପ୍ରମୁଖ ଉଦ୍ୟୋଗୀ ଏବଂ ନିବେଶକାରୀମାନଙ୍କୁ ଉଦବୋଧନ ଦେବା ଅବସରରେ କହିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ।
ଭୁବନେଶ୍ୱର ଜନତା ମଇଦାନଠାରେ ଆରମ୍ଭ ହୋଇଛି ପ୍ରମୁଖ ନିବେଶକ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫’। ଏହି ଦୁଇଦିନିଆ ସମ୍ମିଳନୀକୁ ମଙ୍ଗଳବାର ଦିନ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ। ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ବିଶାଳ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ଅବସରରେ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶ ବିଦେଶର ନିବେଶକମାନଙ୍କୁ ଆହ୍ୱାନ ଦେଇଛନ୍ତି।
‘‘ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ରହିଛି। ରାଜ୍ୟର ଅନନ୍ୟ ପ୍ରାକୃତିକ ସମ୍ଭାର ଓ ଖଣିଜସମ୍ପଦ ଆଜି ଦେଶ ବିଦେଶର ଉଦ୍ୟୋଗୀ ଓ ନିବେଶକଙ୍କ ପାଇଁ ବିଶେଷ ଆକର୍ଷଣ ସାଜିଛି। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବର୍ତ୍ତମାନ ହେଉଛି ଉପଯୁକ୍ତ ସମୟ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଯେଉଁ ଲକ୍ଷ୍ୟ ରହିଛି ତାହାକୁ ସାକାର କରିବା ପାଇଁ ଭାରତ ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି,’’ କହିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ।
ଅତ୍ୟାଧୁନିକ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ
‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫’ରେ ଯୋଗଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଅତ୍ୟାଧୁନିକ ତଥା ସମସାମୟିକ ଶିଳ୍ପ ପ୍ରତିଷ୍ଠା ଉପରେ ଭାରତ ସରକାର ଗୁରୁତ୍ୱ ଦେଉଥିବା କହିଥିଲେ। ସେ କହିଥିଲେ ଯେ, ‘‘ଭାରତ ଏବେ ‘ଗ୍ରିନ ଫ୍ୟୁଚର, ଗ୍ରିନ ଟେକ୍ନୋଲୋଜି’ ଉପରେ ଫୋକସ୍ କରୁଛି। ବିଶେଷକରି ସୋଲାର, ୱିଣ୍ଡ, ହାଇଡ୍ରୋ ଏବଂ ଗ୍ରିନ ହାଇଡ୍ରୋଜେନ ଶିଳ୍ପ ସ୍ଥାପନ ଉପରେ ଅଗ୍ରାଧିକାର ଦିଆଯାଉଛି। ଓଡ଼ିଶାରେ ମଧ୍ୟ ଏଭଳି ଶିଳ୍ପ ସ୍ଥାପନ ପାଇଁ ପରିବେଶ ଅନୁକୂଳ ରହିଛି। ଏ ଦିଗରେ ବିଶେଷ ପଦକ୍ଷେପ ନିଆଯାଉଛି।’’
ସେହିପରି ପେଟ୍ରୋକେମିକାଲ ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶାର ପାରାଦୀପ ଓ ଗୋପାଳପୁରଠାରେ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କରିବା ପାଇଁ ଉଦ୍ୟମ କରାଯାଉଛି। ଏ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବିଶେଷ ସମ୍ଭାବନା ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ।
‘ବ୍ଲୁ ଇକୋନୋମି’ – ଓଡ଼ିଶାର ପ୍ରମୁଖ ଯୋଗଦାନ
ସାମୁଦ୍ରିକ ସମ୍ବଳକୁ ଉପଯୋଗ କରି ଭାରତର ଅର୍ଥନୀତିକୁ କିପରି ସମୃଦ୍ଧ କରାଯାଇପାରିବ ସେ ଦିଗରେ କେନ୍ଦ୍ର ସରକାର ବିଶେଷ ପଦକ୍ଷେପ ନେଉଛନ୍ତି। ଏଥିରେ ଓଡ଼ିଶାର ଏକ ପ୍ରମୁଖ ଭାଗିଦାର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଥିପାଇଁ ଓଡ଼ିଶାର ବନ୍ଦରଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଥିବା ସେ ସୂଚନା ଦେଇଥିଲେ।
‘‘ଓଡ଼ିଶାରେ ଥିବା ବନ୍ଦରଗୁଡ଼ିକୁ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ସହିତ ଯୋଡ଼ା ଯାଉଛି। ପୁରୁଣା ବନ୍ଦରଗୁଡ଼ିକର ସଂପ୍ରସାରଣ କରାଯାଇ ଏହାକୁ ଆଧୁନିକ ରୂପ ଦିଆଯିବା ସହ ନୂତନ ବନ୍ଦର ନିର୍ମାଣ ଉପରେ ପ୍ରାଥମିକତା ଦିଆଯାଉଛି। ଏହାଦ୍ୱାରା ସମୁଦ୍ର ପଥରେ ପରିବହନ ବ୍ୟବସ୍ଥା ସୁବିଧାଜନକ ହୋଇପାରିବ,’’ କହିଥିଲେ ପ୍ରଧାନମନ୍ତ୍ରୀ।
ପର୍ଯ୍ୟଟନ ଶିଳ୍ପ – ଓଡ଼ିଶାରେ ସମ୍ଭାବନା
‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ବିପୁଳ ସମ୍ଭାବନା ବିଷୟରେ ଗୁରୁତ୍ୱ ଦେଇଥିଲେ।
‘‘ଓଡ଼ିଶାର ବିସ୍ତୃତ ବେଳାଭୂମି ଓ ଜଙ୍ଗଲ ସମ୍ପଦକୁ ଆଧାରକରି ‘ଇକୋ ଟୁରିଜିମ୍’ ଏବଂ ‘ଆଡଭେଞ୍ଚର ଟୁରିଜିମ୍’ ଆଦି କ୍ଷେତ୍ରକୁ ସମୃଦ୍ଧ କରାଯାଇପାରିବ। ସେହିପରି କନଫରେନ୍ସ ଟୁରିଜିମ୍ ଓ କନସର୍ଟ ଇକୋନୋମି ଆଦିରୁ ଓଡ଼ିଶା ମଧ୍ୟ ବିଶେଷ ଲାଭବାନ ହୋଇପାରିବ,’’ ନୂତନ ଶିଳ୍ପ ସମ୍ଭାବନା ସମ୍ପର୍କରେ ଜୋର୍ ଦେବାକୁ ଯାଇ କହିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ।
୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ଭାରତର ଅର୍ଥନୀତି
ଭାରତ ଆଜି ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିକ ଦେଶ ହେବାକୁ ଯାଉଛି ଭାରତ। ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାକୁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି। ଏଥିରେ ଓଡ଼ିଶାର ଏକ ପ୍ରମୁଖ ଯୋଗଦାନ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।
ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ପାଇଁ ଦିନେ ଏ ରାଜ୍ୟ ପରିଚିତ ଥିଲା। ଦକ୍ଷିଣ ଏସୀୟ ଦେଶ ସମୂହ ସହିତ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ନିବିଡ଼ ଥିଲା। ଏହାକୁ ମନେପକାଇ ଆଜି ବାଲିଯାତ୍ରା ଆୟୋଜନ କରାଯାଉଛି। ତେଣୁ ଆଗାମୀ ଦିନରେ ଓଡ଼ିଶାର ଏହି ପ୍ରାଚୀନ ବାଣିଜ୍ୟିକ ସଫଳତା ପୁନଃ ପ୍ରତିଷ୍ଠା ହେବାକୁ ଯାଉଛି। ସେହିପରି ସିଙ୍ଗାପୁର ସହିତ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ସୁଦୃଢ଼ ହେବାକୁ ଯାଉଛି। ବିଭିନ୍ନ ଦେଶ ଆଜି ଓଡ଼ିଶା ସହିତ ସମ୍ପର୍କ ସ୍ଥାପନ କରିବାକୁ ବିଶେଷ ଆଗ୍ରହ ଦେଖାଉଛନ୍ତି ବୋଲି ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସ୍ୱାଗତ ଭାଷଣ ଦେଇଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ଓଡ଼ିଶା ଆଜି ପୂର୍ବ-ଭାରତର ବିକାଶ ଇଞ୍ଜିନ ହେବାକୁ ଯାଉଛି ସେ କହିଥିଲେ।
ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଏବଂ ମାନ୍ୟବର କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ଶିଳ୍ପ ପ୍ରତିନିଧି ଏବଂ ବିଶିଷ୍ଟ ଶିଳ୍ପପତିମାନେ ଯୋଗ ଦେଇଛନ୍ତି।