ସୁବର୍ଣ୍ଣପୁର /ଭୁବନେଶ୍ୱର,ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାସ୍ଥିତ ରାମେଶ୍ୱର ଷ୍ଟାଡିୟମଠାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସକାଳ ୮. ୩୦ମି ସମୟରେ ରାମେଶ୍ୱର ଷ୍ଟାଡିୟମ୍ରେ ଜାତୀୟ ପତାକା ଉତ୍ତୋଳନପୂର୍ବକ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ସମବେତ ଜନତା ତଥା ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଜିଲ୍ଲାପାଳ ଶ୍ରୀମତୀ ଅନନ୍ୟା ଦାସ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାମପ୍ରସାଦ ସାହୁ ଦିବସର ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀଙ୍କୁ ଉତ୍ସବସ୍ଥଳରେ ସ୍ୱାଗତ କରିବା ସହ ମଞ୍ଚକୁ ପାଛୋଟି ନେଇଥିଲେ । ମନ୍ତ୍ରୀ ଶ୍ରୀ ନାଏକ ସୁବର୍ଣ୍ଣପୁରର ଗୌରବମୟ ଐତିହ୍ୟ, କଳା, ସଂସ୍କୃତି ଓ ପରମ୍ପରାର ଭୂୟସୀ ପ୍ରଶଂସା କରିବା ସହିତ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଏବଂ ପାଟ-ମଠା ବୟନଶିଳ୍ପ ଜିଲ୍ଲାକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି କହିଥିଲେ । ଜିଲ୍ଲାର ତଥା ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ତରଫରୁ ନିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ସମ୍ବନ୍ଧରେ ସେ ବକ୍ତବ୍ୟ ପ୍ରଦାନ କରିଥିଲେ । ଷ୍ଟାଡିୟମ୍ଠାରେ ପରେଡ କମାଣ୍ଡର ଆର. ଆଇ. କାହ୍ନୁଚରଣ ମାରାଣ୍ଡିଙ୍କ ତତ୍ତ୍ୱାବଧାନରେ ସମବେତ ପ୍ୟାରେଡ୍ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୪୨ଗୋଟିଦଳ ଅଂଶଗ୍ରହଣ
କରିଥିଲେ । ଜିଲ୍ଲାର ବିଭିନ୍ନ ବିଭାଗର ୧୬ଟି ଉନ୍ନୟନ ଓ କଲ୍ୟାଣକାରୀ ଯୋଜନା ତଥା ସଚେତନତାସମ୍ବଳିତ ପ୍ରଜ୍ଞାପନ ମେଢ଼ର ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିଥିଲା । ଜନରାଜ୍ୟ ଦିବସ ପାଳନ ଅବସରରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିବିଶେଷ, ସଂସ୍ଥା ଓ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ପ୍ୟାରେଡରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଏନ ସି ସି, ସ୍କାଉଟ, ଗାଇଡ଼, ରେଡ଼କ୍ରସ, ସିଭିଲିଆନ ଗ୍ରୁପ୍ରୁ ବିଭିନ୍ନ ବର୍ଗରେ ୧୨ ଟି ପ୍ୟାରେଡ ଦଳଙ୍କୁ ଟ୍ରଫି ଓ ମାନପତ୍ର ସହ ସମ୍ମାନିତ କରାଯାଇଥିଲା ।
ପରେ ମନ୍ତ୍ରୀ ଶ୍ରୀ ନାଏକ ସୋନପୁର ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମ ପଞ୍ଚାୟତର ବାବୁପାଲି ଓ ମଧୁପୁରଠାରେ ୮ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ଦୁଇଟି ବନ ସୁରକ୍ଷା ସମିତି କୋଠାର ଲୋକାର୍ପଣ କରିଥିବାବେଳେ ମୟୂରଉଡାଣ ଗ୍ରାମ ପଞ୍ଚାୟତର ରୁଗୁଡ଼ିପାଲିଠାରେ ୬ଟି ବ୍ଲକ ନିମନ୍ତେ ମନରେଗା ଯୋଜନାରେ ୯୩ ଗୋଟି ଅମୃତ ସରୋବର (ପିସି କଲଚର ଟ୍ୟାଙ୍କ) ୧୦ ଲକ୍ଷ ଲେଖାଁଏ ଅନୁଦାନର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତର ୩୬ ହଜାର ପଞ୍ଜିକୃତ ଜବକାର୍ଡଧାରୀ ଉପକୃତ ହେବା ସହିତ ସମ୍ପୃକ୍ତ ଗ୍ରାମପଂଚାୟତଗୁଡିକର ଅଭ୍ୟନ୍ତରୀଣ ଆୟ (ଓଏସଆର ) ବୃଦ୍ଧି ପାଇବ । ଏହା ଦ୍ୱାରା ସ୍ଥାନୀୟ ଅଂଚଳରେ ୩,୨୫,୫୦୦ ଶ୍ରମଦିବସ ସୃଷ୍ଟି ହୋଇପାରିବ । ସ୍ଥାନୀୟ ଏସଏଚଜିମାନଙ୍କ ମାଛଚାଷକ୍ରମେ ଜୀବନଜୀବିକାରେ ଏକ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ । ଅମୃତ ସରୋବର ପ୍ରକଳ୍ପ ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ହେବ ଏବଂ କୃଷିକାର୍ଯ୍ୟରେ ଏହା ବିଶେଷ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ।
ଏହି ଅବସରରେ ସରକାରଙ୍କ ଦ୍ୱାରା ଜାରି ରହିଥିବା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପMା ଗୃହ ନିମନ୍ତେ ଗୃହହୀନ ପରିବାର ସର୍ଭେ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ଉପସ୍ଥିତ ଜବକାର୍ଡଧାରୀ ତଥା ଜନସାଧାରଣଙ୍କୁ ମନ୍ତ୍ରୀ ଶ୍ରୀ ନାଏକ ଆମନ୍ତ୍ରଣ କରିଥିଲେ । ସେ ନାରାୟଣ କୁଷ୍ଠ ସେବାଶ୍ରମ, ସ୍ଥାନୀୟ ଶିଶୁ ଗୃହ, ଉପକାରାଗାରରେ ଅନ୍ତେବାସୀଙ୍କୁ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିଥିଲେ । ପାଣିସିଆଲିିତ ଦିବ୍ୟାଙ୍ଗ ବିଦ୍ୟାଳୟର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ନୂତନ ଟାଉନହଲଠାରେ ପୁରସ୍କାର ବିତରଣ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ କଳାକାରମାନେ ମନୋଜ୍ଞ ନୃତ୍ୟସଙ୍ଗୀତ ପରିବେଷଣ କରିଥିଲେ
ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ଅନନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ, ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା ପ୍ରମୁଖଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଉପଜିଲ୍ଲାପାଳ ସୋନପୁର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକଫର, ସହକାରୀ କଲେକଫର ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ସମସ୍ତ ବିଭାଗୀୟ ମୁଖ୍ୟ, ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ, ସାମ୍ବାଦିକ, ବିଭିନ୍ନ ସେ୍ୱଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ସକାଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପରିବେଷଣ କରାଯାଇଥିଲା । ପରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସହରସ୍ଥିତ ବିଭିନ୍ନ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲ୍ଲାପାଳ ଶ୍ରୀମତୀ ଅନନ୍ୟା ଦାସ ଆବାସିକ କାର୍ଯ୍ୟାଳୟ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେ ସମୃଦ୍ଧ ଜିଲ୍ଲା ଗଠନ ସହ ରାଷ୍ଟ୍ର ଗଠନରେ ସମସ୍ତ ଅଧିକାରୀ କର୍ମଚାରୀ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଜାତୀୟତାବାଦରେ ଯୋଡି ହେବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତଙ୍କୁ ପ୍ରଶାସନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
January 28, 2025