ବଲାଙ୍ଗିର- ବହୁ ଚର୍ଚ୍ଚିତ ବଲାଙ୍ଗିର ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ୪ ଦିନର ଅନ୍ତରିଣ ଜାମିନ୍ ପରେ ଆଜି ବଲାଙ୍ଗିର ଜେଲ୍ କୁ ଫେରିଛନ୍ତି । ଆଜି ପ୍ରଥମେ ସେ କୋର୍ଟଙ୍କ ସର୍ତ ମୁତାବକ ପୂର୍ବାହ୍ନ ୧୧ଟାରେ ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର ହୋଇଥିଲେ । ପରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଲାଙ୍ଗିର ଜେଲ୍ କୁ ଫେରିଛନ୍ତି ।
ପ୍ରକାଶ ଥାଉକି, ମାନ୍ୟବର ହାଇକୋର୍ଟ ମାଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କୁ ୪ ଦିନ ପାଇଁ ଅନ୍ତରିଣ ଜାମିନ୍ ପ୍ରଦାନ କରିଥିଲେ । ପୂର୍ବରୁ ଗତ ୧୨ ତାରିଖରେ ପୁଞ୍ଜିଲାଲ୍ ତାଙ୍କ ମାଙ୍କ ଶେଷ କୃତ୍ୟ ସମ୍ପନ୍ନ ପାଇଁ ଦିନିକିଆ ପାରୋଲରେ ଆସିଥିଲେ । ଇତିମଧ୍ୟରେ ପୁଞ୍ଜିଲାଲଙ୍କୁ ରେଗୁଲାର୍ ଜାମିନ୍ ପ୍ରଦାନ କରିବା ନେଇ ତାଙ୍କ ଓକିଲ ହାଇକୋର୍ଟରେ କରିଥିବା ଆବେଦନର ଶୁଣାଣୀ ଆସନ୍ତା ୩୧ ତାରିଖରେ ରହିଛି । ଯାହା ଉପରେ ରହିଛି ସମସ୍ତଙ୍କ ନଜର । କାରଣ ପୁଞ୍ଜିଲାଲ ପାର୍ସଲ୍ ବୋମା ବିସ୍ଫୋରଣର ମୁଖ୍ୟ ତଥା ଏକମାତ୍ର ଅଭିଯୁକ୍ତ ଥିବାରୁ ରେଗୁଲାର୍ ଜାମିନ୍ ମିଳିଲେ ସେ ମାମଲାର ସାକ୍ଷ୍ୟଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏପରିକି ପ୍ରତିପକ୍ଷଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।