କୋରାପୁଟ। ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବିଶ୍ବବିଦ୍ୟାଳୟ ପରିସରରେ ଡିନ୍ ୨୦୨୫ ଜାନୁଆରି ୨୩ ତାରିଖରେ ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଏହି ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀକୁ ସମ୍ମାନ ଜଣାଇବା ପାଇଁ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଛାତ୍ର କଲ୍ୟାଣ ସମୂହ ପକ୍ଷରୁ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା ।
ଏକାଡେମିକ ବ୍ଲକ-୩ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଉଦ୍ ବୋଧନ ଦେଇଥିଲେ। ପ୍ରଫେସର ତ୍ରିପାଠୀ ଭାରତର ସ୍ୱାଧୀନତା ସଂଗ୍ରାମରେ ଉଭୟ ନେତାଙ୍କ ଅତୁଟ ମନୋବଳ ଓ ଦେଶପ୍ରେମକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବ୍ରିଟିଶ ଔପନିବେଶିକ ଶାସନ ବିରୋଧରେ ସେମାନଙ୍କ ବଳିଦାନ ଏବଂ ଅତୁଟ ସାହସ କିପରି ଆଜି ଆମେ ଉପଭୋଗ କରୁଥିବା ସ୍ୱାଧୀନତାର ମୂଳଦୁଆ ପକାଇଛି ସେ ଆଲୋକପାତ କରିଥିଲେ । ପ୍ରଫେସର ତ୍ରିପାଠୀ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଦେଶର ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନପ୍ରତି ସମ୍ମାନର ପ୍ରତୀକ ଥିଲା ବୋଲି କହିଥିଲେ।
ଛାତ୍ର କଲ୍ୟାଣ ଡିନ୍ ଡ. ରମେନ୍ଦ୍ର କୁମାର ପାଢ଼ୀ ଯୋଗଦେଇଥିବା ଏହି ମହାନ ନେତାମାନଙ୍କ ତ୍ୟାଗ, ସାହସିକତା ଓ ଜାତୀୟତାବାଦର ମୂଲ୍ୟବୋଧକୁ ମନେ ପକାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏକାଡେମିକ୍ ବ୍ଲକ-୩ରୁ ଆରମ୍ଭ ହୋଇ ପ୍ରଶାସନିକ ଭବନରେ ଶେଷ ହୋଇଥିବା ପଦଯାତ୍ରାରେ ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ। କୁଳପତିଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ଦେଶପ୍ରେମ, ଏକତା ଏବଂ ଦେଶ ସେବାର ଆଦର୍ଶକୁ ବଜାୟ ରଖିବାର ସାମୂହିକ ସଂକଳ୍ପକୁ ପ୍ରତିଫଳିତ କରୁଥିବା ଏକ ପ୍ରତୀକାତ୍ମକ ଶୋଭାଯାତ୍ରା ଥିଲା। ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡ. ଅଞ୍ଜନେୟୁଲୁ ଥୋଟାପଲ୍ଲୀ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମକୁ ସ୍ମରଣୀୟ ସଫଳ କରିଥିବାରୁ ସମସ୍ତ ଅଂଶଗ୍ରହଣକାରୀ ଓ ସ୍ବେଚ୍ଛାସେବୀଙ୍କୁ ପ୍ରଶଂସା କରିଥିଲେ।
ଏହି ପଦଯାତ୍ରା କେବଳ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଭାବରେ ନୁହେଁ ବରଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସାହସ, ଦେଶପ୍ରେମ ଏବଂ ନିଃସ୍ୱାର୍ଥପର ସେବାର ସ୍ଥାୟୀ ମୂଲ୍ୟବୋଧ ବିଷୟରେ ସ୍ମରଣ କରାଇଥିଲା ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣେଇଛନ୍ତି ।
Related Stories
January 24, 2025