ଭୁବନେଶ୍ୱର– ୭୬ ତମ ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟସ୍ତରୀୟ ପରେଡ୍ ଅଭ୍ୟାସ ହୋଇଛି। ଆଜି ଫୁଲ ଡ୍ରେସ ରିହଲସଲ କରିଛନ୍ତି କଣ୍ଟିଜେଣ୍ଟ। ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହୋଇଛି ଫୁଲଡ୍ରେସ ରିହଲସଲ। ଫୁଲ ଡ୍ରେସ ରିହଲସଲରେ ପୋଲିସ ଡିଜି ଅତିଥି ଭାବେ ଯୋଗଦେଇ ପୁରା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଚଳିତ ଥର ପରେଡରେ ନେତୃତ୍ୱ ନେଇଛନ୍ତି ଯୁବ ଆଇପିଏସ ଭୋସଲେ ଶୁଭମ ସଞ୍ଜୟ। ସେ ଏବେ ସମ୍ବଲପୁର ଅତିରିକ୍ତ ଏସପି ଟ୍ରେନିଂ ଭାବେ କାର୍ଯ୍ୟ ତୁଲାଉଛନ୍ତି। ଏଥର ପରେଡ଼ରେ 43ଟି କଣ୍ଟିଜେଣ୍ଟ ଭାଗ ନେବେ। ପଡୋଶୀ ରାଜ୍ୟ ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବା ଲାଗି ଝାଡଖଣ୍ଡ ପୋଲିସ ମଧ୍ୟ ପରେଡରେ ସାମିଲ ହୋଇଛି। ଫୁଲ ଡ୍ରେସ ରିହରସେଲରେ ପୋଲିସ ଡିଜିଙ୍କ ଠାରୁ ଅନୁମତି ନେଇ ପରେଡ଼ କମାଣ୍ଡର ପରେଡ଼ ଆରମ୍ଭ କରିଥିଲେ। 120 ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଝାଡ଼ଖଣ୍ଡ ପୋଲିସ, ଓଆଇଏସଫ,ଅମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏପ , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ସରକାରି ଓ ବେସରକାରୀ ସ୍କୁଲ ଛାତ୍ରଛାତ୍ରୀ ଓ ମହର୍ଷି ଡେୟାର ଡେଭିଲସ ଟିମ ଭାଗ ନେଇଛନ୍ତି। ଏହା ସହିତ ଓଡିଶା ସ୍କେଟିଙ୍ଗ ଏକାଡେମୀ ଦେଶାତ୍ମକ ସଙ୍ଗୀତରେ ନୃତ୍ୟ, ଆରୀୟନ ରୋୟାଲ ସ୍ପୋର୍ଟସ ଏକାଡେ଼ମୀ ଛାତ୍ରଛାତ୍ରୀଙ୍କ ଶିବ ତାଣ୍ଡବ , ରାୟଗଡାର ଢେମସା, କେନ୍ଦୁଝରର ଆଦିବାସୀ ନୃତ୍ୟ , ଘୋଡ଼ନାଚ ଓ ପ୍ରଜ୍ଞାପନ ମେଢ଼ ପରେଡ଼ରେ ସାମିଲ ହୋଇଥିଲେ । ଅନ୍ୟପଟେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପରେଡ଼ ଗ୍ରାଉଣ୍ଡ ଅଞ୍ଚଳରେ 14 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ପରେଡ଼ ଗ୍ରାଉଣ୍ଡ ସିସିଟିଭି ବଳୟରେ ରହିବ। ଏହା ସହ ବଛା ବଛା ପୋଲିସ ଅଫିସର ସୁରକ୍ଷା ଦ୍ୱାୟିତରେ ରହିବେ । ସାଧା ପୋଷାକଧାରୀ ପୋଲିସ, ରୁଫଟଫ ସିକ୍ୟୁରିଟି , ଡଗ ସ୍କ୍ୱାର୍ଡ , ବମ ସ୍କ୍ୱାର୍ଡ ଓ ଟ୍ରାଫିକ , ପାର୍କିଙ୍ଗ ନେଇ ବ୍ୟାପକ ପ୍ରସ୍ତୁତି କରଯାଇଛି। ରାଜ୍ୟସ୍ତରିୟ ପରେଡ଼ରେ ମହାମହିମ ରାଜ୍ୟପାଳ ପରେଡ଼ ଅଭିବାଦନ ଗ୍ରହଣ କରିବାର କାଯ୍ୟକ୍ରମ ରହିଛି।