-
ଅଭିଯାନକୁ ତୀବ୍ର କରିବା ପାଇଁ ଜ଼ିଲ୍ଲାମାନଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଯକ୍ଷ୍ମା (TB) ମୁକ୍ତ ଓଡିଶା ଗଠନ ଅଭିଯାନକୁ ତୀବ୍ର କରିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛି । ୦୭ ଡିସେମ୍ବର ୨୦୨୪ ତାରିଖରେ ଓଡିଶାର ୨୦ ଟି ଯକ୍ଷ୍ମାପ୍ରବଣ ଜିଲ୍ଲାଗୁଡିକରେ ୧୦୦ ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନ ଆରମ୍ଭ ହୋଇଥିଲା ।
୧୦୦ ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନର ଉଦ୍ଦେଶ୍ୟ ହେଉଛି ସମ୍ଭାବ୍ୟ ବ୍ୟକ୍ତିବିଶେଷଙ୍କର ଭଲ ଭାବରେ ସ୍କ୍ରିନିଂ କରି ରୋଗ ଚିହ୍ନଟ କରିବା ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସାସେବା ଯୋଗାଇ ଦେଇ ମୃତ୍ୟୁ ହାରକୁ ସମ୍ପୂର୍ଣ କମାଇବା । ଯକ୍ଷ୍ମାପ୍ରବଣ ଜିଲ୍ଲା ଗୁଡିକ ହେଲେ ବଲାଙ୍ଗିର, ବରଗଡ, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ, ଗଞ୍ଜାମ, ଜଗତସିଂପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ରାୟଗଡା, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ ।
୨୧ ଜାନୁଆରୀ ୨୦୨୫ ତାରିଖ ସୁଦ୍ଧା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୬୦ ପ୍ରତିଶତ ପୂର୍ବ ଟିବି ଆକ୍ରାନ୍ତ, ଟିବି ରୋଗୀଙ୍କ ପରିବାର ସଦସ୍ୟ, ମଧୁମେହ ରୋଗୀ, ଏଚଆଇଭି ଆକ୍ରାନ୍ତ, ୬୦ ବର୍ଷରୁ ଅଧିକ ବୟସର ନାଗରିକ, ଧୁମ୍ରପାନ ଏବଂ ମଦ୍ୟପାନକରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ଭାବ୍ୟ ତାଲିକା ଭୁକ୍ତ କରି ସେମାନଙ୍କର ସ୍କ୍ରିନିଂ ଓ ଅନ୍ୟାନ୍ୟ ପରୀକ୍ଷା କରି ଟିବି ରୋଗୀଙ୍କୁ ଚିହ୍ନଟ କରିଛି । ବର୍ତ୍ତମାନ ସୁଦ୍ଧା ୪ ,୬୬୮ ଜଣ ଟିବି ରୋଗୀଙ୍କୁ ଏହି ୨୦ଟି ଜ଼ିଲ୍ଲାରୁ ଚିହ୍ନଟ କରାଯାଇଛି ।
ଅଭିଯାନକୁ କ୍ରିୟାଶୀଳ କରିବା ନିମିତ୍ତ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର କମିଶନର-ତଥା -ଶାସନ ସଚିବ ଅଶ୍ୱତୀ ଏସ. ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଓଡିଶା)ର ମିଶନ ନିର୍ଦ୍ଦେଶକ ଡା ବୃନ୍ଦା ଡି
ଜ଼ିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ସହିତ ଆଭାସୀ ମାଧ୍ୟମରେ ଅଭିଯାନର ସ୍ଥିତି, ଅଗ୍ରଗତି ଓ ଆଶୁ ସମସ୍ୟା ସମ୍ପର୍କରେ ଆଜି ଆଲୋଚନା କରିଛନ୍ତି ।
ବୈଠକରେ ନିମ୍ନଲିଖିତ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯାଇଥିଲା:
ନିୟମିତ ନିରୀକ୍ଷଣ: ଅଭିଯାନର ଗୁଣବତ୍ତା ଆକଳନ କରିବା ଏବଂ ସଫଳତାକୁ ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନ ପ୍ରତି ସପ୍ତାହରେ ସମୀକ୍ଷା କରିବା ।
ପୋଷଣ ସହାୟତା: ପଞ୍ଚାୟତିରାଜ ବିଭାଗ ଟିବି ରୋଗୀମାନଙ୍କୁ PMTBMBA ଯୋଜନାର GPDP ବଜେଟରୁ ପୋଷଣ ସହାୟତା ଯୋଗାଇବାକୁ ସୁନିଶ୍ଚିତ କରିବେ ।
ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ : ସ୍ୱେଚ୍ଛାସେବୀ ଓ ଦାତବ୍ୟ ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ ଏବଂ ନି-କ୍ଷୟ ମିତ୍ରଙ୍କ ସହଯୋଗକୁ ମଜବୁତ କରିବା । ଯାହାଦ୍ୱାରା ଯକ୍ଷ୍ମା ରୋଗୀମାନେ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିକର ଖାଦ୍ୟ ଏବଂ ଆବଶ୍ୟକୀୟ ସାମାଜିକ ସହାୟତା ପାଇପାରିବେ ।
ଉନ୍ନତ ସ୍କ୍ରିନିଂ: ଦାତବ୍ୟ ଅନୁଷ୍ଠାନ, ଶିଳ୍ପ ସଂସ୍ଥା ଏବଂ ଯକ୍ଷ୍ମାପ୍ରବଣ ଅଞ୍ଚଳର ତଦାରଖ କରୁଥିବା ଅଂଶୀଦାରମାନେ ଯକ୍ଷ୍ମା ସ୍କ୍ରିନିଂ ଏବଂ ସେବା ବିତରଣକୁ ସୁନିଶ୍ଚିତ କରିବା ପାଇଁ ସ୍ପଷ୍ଟ ମାର୍ଗଦର୍ଶନ ପାଇବା ଆବଶ୍ୟକ ।
ସମସ୍ୟା ସମାଧାନ: ଅଭିଯାନରେ ଅଦ୍ୟାବଧି ପଛରେ ରହିଥିବା ଜିଲ୍ଲା ଗୁଡିକ ତୁରନ୍ତ ସଂଶୋଧନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯାନକୁ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବେ ।
ଏହି ଅଭିଯାନ ସରକାରୀ, ବେସରକାରୀ, ସଚେତନ ନାଗରିକ ସମାଜ ଏବଂ ଅଂଶୀଦାରଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ମହତ୍ୱପୂର୍ଣ୍ଣ ସହଯୋଗ ଓ ସମର୍ଥନ ହାସଲ କରିଛି, ସମସ୍ତେ ଏକତ୍ରିତ ହୋଇ ୨୦୨୫ ସୁଦ୍ଧା ଯକ୍ଷ୍ମା ମୁକ୍ତ ଓଡିଶା ଓ ଭାରତ ଗଠନ ପାଇଁ କାର୍ଯ୍ୟ କରୁଛନ୍ତି । ନିରନ୍ତର ଓ ସମନ୍ୱିତ ପ୍ରୟାସ ଏବଂ ଉତ୍କୃଷ୍ଟ ଚିକିତ୍ସା ଜରିଆରେ ଓଡିଶା ହେବ ଯକ୍ଷ୍ମାମୁକ୍ତ ।