-
ଓଡିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବ,ପ୍ରି-ସ୍କୁଲ ପିଲାଙ୍କ ପାଇଁ ଶିଶୁ ବାଟିକା ଖୋଲାଯିବ- ମୁଖ୍ୟମନ୍ତ୍ରୀ
-
ରାଜ୍ୟର ପାଠ୍ୟକ୍ରମରେ ଓଡିଶାର ଗୌରବମୟ ଇତିହାସ, ଐତିହ୍ୟ ଓ ବରପୁତ୍ରମାନେ ସ୍ଥାନ ପାଇବା ଆବଶ୍ୟକ-କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ
ଭୁବନେଶ୍ୱର,ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ନୂଆ ଶିକ୍ଷା ନୀତି-2020 ସମ୍ପର୍କିତ ଏକ ତିନି ଦିନିଆ ଜାତୀୟ କର୍ମଶାଳାର ଶୁଭାରମ୍ଭ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଓଡିଶାରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଭିମୁଖ୍ୟ ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ଶିକ୍ଷା ନୀତିରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ ଭିତ୍ତିଭୂମି ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ରାଜ୍ୟ ସରକାର ଏଥିପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି ଏବଂ ଆସନ୍ତା ଶିକ୍ଷା ବର୍ଷ ଠାରୁ ଏହି ନୂଆ ନୀତି କାର୍ଯ୍ୟକାରୀ ହେବ ।
ସେ କହିଥିଲେ ଯେ, 10+2 ବ୍ୟବସ୍ଥା ବଦଳରେ ରାଜ୍ୟରେ 5+3+3+4 ବ୍ୟବସ୍ଥା ଲାଗୁ କରାଯିବ । ପ୍ରି-ସ୍କୁଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ପିଲାମାନଙ୍କ ପାଇଁ ଶିଶୁ ବାଟିକା ଖୋଲା ଯିବ। ଶିଶୁ ବାଟିକାରେ ପିଲାଙ୍କ ଉପରେ ବିନା କୌଣସି ଚାପରେ ସେମାନଙ୍କ ମୌଳିକ ଓ ସଂଖ୍ୟା ଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ । ଏଥିପାଇଁ ଆଗାମୀ ବର୍ଷମାନଙ୍କରେ ବ୍ୟାପକ ଭିତ୍ତିଭୂମି ସୃଷ୍ଟି କରାଯିବ । ଶିକ୍ଷକ ନିଯୁକ୍ତି, ପାଠ୍ୟ ପୁସ୍ତିକା ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ପାଠ୍ୟ ଉପକରଣ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂଆ ଶିକ୍ଷା ନୀତିରେ, ଶିକ୍ଷା ଭିତ୍ତିଭୂମି, ଖେଳ ମାଧ୍ୟମରେ ଶିକ୍ଷା, ମୌଳିକ ଶିକ୍ଷା, ବାହ୍ୟ ଜ୍ଞାନର ବ୍ୟବହାର ଉପରେ ଗୁରୁତ୍ୱ ଦିଆ ଯାଇଛି । ଶିକ୍ଷାରେ ଟେକ୍ନୋଲୋଜିର ପ୍ରୟୋଗକୁ ବ୍ୟାପକ କରାଯିବ । ଟେକ୍ନୋଲୋଜି ଜରିଆରେ ଶିକ୍ଷା ପ୍ରଦାନ ଆମ ଶିକ୍ଷା ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ହେବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଯେଉଁ ଲକ୍ଷ୍ୟ ଅଛି, ତାକୁ ସାକାର କରିବା ଦିଗରେ ନୂଆ ଶିକ୍ଷା ନୀତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ଛାତ୍ର ଓ ଯୁବ ସମାଜକୁ ଏକ ଆଧୁନିକ ଓ ସଶକ୍ତ ଭାରତ ଗଠନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିପାରିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସୁଦୃଢ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ରାଜ୍ୟର ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରାଯାଉଛି । ଶହୀଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଜନଜାତି ଛାତ୍ରଛାତ୍ରୀମାନଙ୍କ ଡ୍ରପ ଆଉଟ୍ ହାର କମ୍ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଶିକ୍ଷାର୍ଥୀମାନେ ଆଗାମୀ କାଲିର ଭବିଷ୍ୟତ । ତେଣୁ ଗୁଣାତ୍ମକ ଶିକ୍ଷା ସହିତ ସେମାନଙ୍କୁ ସମୟାନୁବର୍ତ୍ତିତା ଓ ଅନ୍ୟ ଆଦର୍ଶ ଗୁଣର ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ସେମାନେ ଯେପରି ଜଣେ ଜଣେ କର୍ମଯୋଗୀ ହୋଇ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ନିଜର ଯୋଗଦାନ ରଖିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ସେ କହିଥିଲେ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ରାଜ୍ୟର ପାଠ୍ୟକ୍ରମ ପ୍ରସ୍ତୁତି ପାଇଁ ଯେଉଁ ବ୍ୟବସ୍ଥା କରାଯାଇଛି ସେଥିରେ ଶିକ୍ଷା କ୍ଷେତ୍ରରେ ଦକ୍ଷତା ଓ ଅଭିଜ୍ଞତା ଥିବା ଓଡିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କର ମତାମତ ଗ୍ରହଣ କରାଯିବା ଆବଶ୍ୟକ । ପାଠ୍ୟକ୍ରମରେ ଓଡିଶାର ଗୌରବମୟ ଇତିହାସ, ଐତିହ୍ୟ ଓ ବରପୁତ୍ରମାନଙ୍କ ବିଷୟ ସ୍ଥାନ ପାଇବା ଆବଶ୍ୟକ । ସମସ୍ତଙ୍କୁ ଯେପରି ସହଜରେ ଓ ସୁବିଧାରେ ଶିକ୍ଷା ମିଳିବ ସେ ଦିଗରେ ନୂଆ ଶିକ୍ଷା ନୀତି ଏକ ଆଦର୍ଶ ନୀତି ବୋଲି ସେ କହିଥିଲେ । ଜାତୀୟ ଶିକ୍ଷା ନୀତି ଓ ରାଜ୍ୟ ଶିକ୍ଷା ନୀତି ଏକ ରୂପ ନେଇ ଓଡିଶାର ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ସହାୟକ ହେବ ବୋଲି ସେ ମତ ଦେଇଥିଲେ ।
ଗତ ସାତ ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ତାହାର ଉଚ୍ଚ ପ୍ରଶଂସା କରିଥିଲେ ।
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ନୂଆ ଶିକ୍ଷା ନୀତିରେ ମାତୃଭାଷା ସହିତ ବହୁ ଭାଷୀ ଶିକ୍ଷାର ବ୍ୟବସ୍ଥା ରହିଛି । ଏହା ଦ୍ୱାରା ରାଜ୍ୟର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, କେନ୍ଦ୍ର ଶିକ୍ଷା ସଚିବ ଶ୍ରୀ ସଞ୍ଜୟ କୁମାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ବିଶିଷ୍ଟ ଶିକ୍ଷାବିତ୍ ମଞ୍ଜୁଲ୍ ଭାର୍ଗବ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ଅଧିକାରୀ ଓ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।