ଗରିୟାବନ୍ଦ– ଛତିଶଗଡର ନକ୍ସଲ ପ୍ରଭାବିତ ଜିଲ୍ଲା ଗରିୟାବନ୍ଦର ମୈନପୁର ଥାନା ଅଂଚଳର କୁଲହାଡି ଘାଟ ସ୍ଥିତ ଭାଲୁ ଡିଗ୍ଗି ଜଙ୍ଗଲରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ରବିବାର ସକାଳୁ ଜାରି ରହିଥିବା ଗୁଳି ବିନିମୟରେ ଏବେ ସୁଦ୍ଧା 14ଜଣ ନକ୍ସଲ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ଏସଏଲଆର ଓ ଆଇଡି ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏବେ ସୁଦ୍ଧା 14ଜଣ ନକ୍ସଲଙ୍କ ମୃତଦେହ ଜବତ ହୋଇଛି । ଏକ କୋଟି ପୁରସ୍କାର ଘୋଷିତ ସେଂଟ୍ରାଲ କମିଟି ସଦସ୍ୟ ଜୟରାମ ଓରଫ ଚଳପତି ବି ମୃତ୍ୟୁବରଣ କରିଛି । ଏସପି ନିଖିଲ ରାଖେଚା ଆଜି ଏନେଇ ସୂଚନା ଦେଇଛନ୍ତି ।
ପୋଲିସ ଅଧିକାରୀଙ୍କ ମୁତାବକ ସୋମବାର ଗୁଳି ବିନିମୟରେ ଦୁଇଜଣ ମହିଳା ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ସିଆରପିଏଫର କୋବରା ବାଟାଲିୟନର ଜଣେ ଯବାନ ଆହତ ହୋଇଥିଲେ । ଏହି ଗୁଳି ବିନିମୟ ଛତିଶଗଡ- ଓଡ଼ିଶା ସୀମାରେ ଚାଲିଛି । ସୋମବାର ବିଳମ୍ବିତ ରାତି ଓ ମଙ୍ଗଳବାର ସକାଳେ ଗୁଳି ବିନିମୟରେ 12 ମାଓବାଦୀ ନିହତ ହୋଇଛନ୍ତି ।
ପୋଲିସ ଅନୁସାରେ ଜାନୁୟାରୀ 18 ରାତିରେ ଓଡ଼ିଶାର ନୂଆପଡା ଜିଲ୍ଲାର ସୀମାରୁ ପ୍ରାୟ 5 କିଲୋମିଟର ଦୂର ଛତିଶଗଡର କୁଲାରୀଘାଟ ରିଜର୍ଭ ଫରେଷ୍ଟରେ 60 ମାଓବାଦୀଙ୍କ ଉପସ୍ଥିତି ଦେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଗରିୟାବନ୍ଦ ପୋଲିସ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଜିଲ୍ଲା ଏସପି ନିଖିଲ ରାଖେଚା ଏହାର ନେତୃତ୍ୱ ନେଇଛନ୍ତି ।
ରାଖେଚାଙ୍କ ଅନୁସାରେ ଗରିୟାବନ୍ଦ କୋବରା ବାଟାଲିୟନର ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କୁ ଏୟାରଲିଫ୍ଟ କରି ରାୟପୁର ପଠାଯାଇଛି । ଆହତ ଯବାନଙ୍କ ଅବସ୍ଥା ସ୍ଥିର ରହିଛି । ଗୁଳି ବିନିମୟ ସମୟରେ ସୁରକ୍ଷାବଳ ଅସ୍ତ୍ରଶସ୍ତ୍ର ବି ଜବତ କରିଛନ୍ତି, ଯେଉଁଥିରେ ଏସଏଲଆର ରାଇଫଲ ପରି ଅଟୋମେଟିକ ଅସ୍ତ୍ରଶସ୍ତ୍ର ବି ସାମିଲ ରହିଛି ।