ଭୁବନେଶ୍ୱର-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହି ବର୍ଷ ତାର ଶତବାର୍ଷିକୀ ପାଳନ କରିବାକୁ ଯାଉଛି । ଏହା ସଂଘ ପାଇଁ ଉତ୍ସବର ସମୟ ନୁହେଁ ବରଂ ସାଧନା ଓ ଅଧିକ ପରିଶ୍ରମ କରିବାର ବେଳ । ବିଶେଷ କରି ସମାଜରେ ଥିବା ତ୍ରୁଟିକୁ ସୁଧାରି ଏକ ସମଗ୍ର ଭାରତ ନିର୍ମାଣ ଲାଗି ସଂଘର ସ୍ୱୟଂସେବକମାନେ ଏବର୍ଷ ଅଧିକ ପରିଶ୍ରମ କରିବେ । ଏହା ଲାଗି ‘ପଂଚ ପରିବର୍ତନ’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହା କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ଶାରୀରିକ ଶିକ୍ଷଣ ପ୍ରମୁଖ ବସନ୍ତ କୁମାର ମଲ୍ଲିକ । କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ସଂଘର ଦୁଇ ଦିନିଆ ମହାନଗର ସମ୍ମିଳନୀକୁ ସମ୍ବୋଧନ କରି ସେ କହିଛନ୍ତି ସ୍ୱଦେଶୀ, ସମରସତା, କୁଟୁମ୍ବ ପ୍ରବୋଧନ, ନାଗରିକ ଶିଷ୍ଟାଚାର, ପର୍ଯ୍ୟାବରଣ ଆଦି ଦିଗରେ ଆମକୁ ଅଧିକ କାମ କରିବାକୁ ହେବ । ଏଥିଲାଗି ସଂଘ ଶାଖାରେ ସ୍ୱୟଂସେବକଙ୍କ ପ୍ରଶିକ୍ଷଣ ସହ ସମାଜକୁ ମଧ୍ୟ ସାଥୀରେ ନେଇ ବିଭିନ୍ନ ଉପକ୍ରମ କରାଯିବ ।
ସମ୍ମିଳନୀର ସମାରୋପ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚରଣ ସାହୁ । ସେ ଆରଏସ୍ଏସ୍ ର ସ୍ୱୟଂସେବକମାନଙ୍କ ଶୃଙ୍ଖଳା ଓ ଦେଶଭକ୍ତି ସହ ସେବା ଭାବକୁ ପ୍ରଶଂସା କରିଥିଲେ । ସମ୍ମିଳନୀରେ ଭୁବନେଶ୍ୱରର ବିଭିନ୍ନ ଭାଗରୁ ପ୍ରାୟ ୫୫୦ ଜଣ କାର୍ଯ୍ୟକର୍ତା ଯୋଗଦେଇ ଦୁଇ ଦିନ ବ୍ୟାପି ପ୍ରଶିକ୍ଷଣ କରିଥିଲେ । ସମାରୋପ କାର୍ଯ୍ୟକ୍ରମରେ ସ୍ୱୟଂସେବକମାନେ ଶାଖାରେ ଶିଖା ଯାଉଥିବା ଶାରୀରିକ କାର୍ଯ୍ୟକ୍ରମ, ଗୀତ, ଯୋଗାସନ, ବ୍ୟାୟାମଯୋଗ ଆଦି ପ୍ରଦର୍ଶନ କରିଥିଲେ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବପ୍ରାନ୍ତର ସହସଂଘଚାଳକ ଶ୍ରୀ ମନସୁଖଲାଲା ସେଠିଆ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମରେ ସ୍ୱୟଂସେବକମାନେ ଶାଖାରେ ଶିଖା ଯାଉଥିବା ଶାରୀରିକ କାର୍ଯ୍ୟକ୍ରମ,ଗୀତ,ଯୋଗାସନ, ବ୍ୟାୟାମଯୋଗ ଆଦି ପ୍ରଦର୍ଶନ କରିଥିଲେ ।
ସମ୍ମିଳନୀକୁ ଆରଏସ୍ଏସ୍ ମହାନଗର ସଂଘଚାଳକ ଶ୍ରୀନିବାସ ମାନସିଂ ଓ ମହାନଗର କାର୍ଯ୍ୟବାହ କ୍ଷୀରୋଦ ବିହାରୀ ପରିଚାଳନା କରିଥିଲେ ।
Related Stories
January 19, 2025