ନୂଆଦିଲ୍ଲୀ– ମନ କୀ ବାତରେ ମହାକୁମ୍ଭ କଥା ଉଠାଇଲେ ପିଏମ ମୋଦି । ସେ କହିଛନ୍ତି ଯେ,ପ୍ରୟାଗରାଜରେ ମହାକୁମ୍ଭର ଶୁଭାରମ୍ଭ ହୋଇସାରିଛି । ଚିରସ୍ମରଣୀୟ ଜନସ୍ରୋତ, ଅକଳ୍ପନୀୟ ଦୃଶ୍ୟ ଏବଂ ସମାନତାର ଅସାଧାରଣ ସଙ୍ଗମ! ଏଥର କୁମ୍ଭରେ ଅନେକ ଦିବ୍ୟ ଯୋଗ ମଧ୍ୟ ସୃଷ୍ଟି ହେଉଛି । ଏହି କୁମ୍ଭ ଉତ୍ସବ ବିବିଧତାରେ ଏକତାର ଉତ୍ସବ ପାଳନ କରିଥାଏ । ସଙ୍ଗମର ବାଲୁକା ରାଶିରେ ସାରା ଭାରତର, ସମଗ୍ର ବିଶ୍ୱର ଲୋକେ ଏକତ୍ରିତ ହୋଇଥାଆନ୍ତି । ହଜାର ହଜାର ବର୍ଷ ଧରି ଚାଲି ଆସିଥିବା ଏହି ପରମ୍ପରାରେ ନ ଥାଏ କୌଣସି ଭେଦଭାବ, ନଥାଏ ଜାତିବାଦ । ଏଥିରେ ଭାରତର ଦକ୍ଷିଣାଂଚଳରୁ ଲୋକେ ଆସନ୍ତି, ଭାରତର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳରୁ ଲୋକେ ମଧ୍ୟ ଆସିଥାଆନ୍ତି । କୁମ୍ଭରେ ଧନୀ-ଗରିବ ସମସ୍ତେ ଏକ ହୋଇଯାଆନ୍ତି । ସମସ୍ତେ ସଙ୍ଗମରେ ବୁଡ଼ ପକାନ୍ତି, ଅନ୍ନଛତ୍ରରେ ଏକାଠି ଭୋଜନ କରନ୍ତି, ପ୍ରସାଦ ସେବନ କରନ୍ତି । ସେଇଥିପାଇଁ ତ କୁମ୍ଭ ହେଉଛି ଏକତାର ମହାକୁମ୍ଭ । କୁମ୍ଭର ଆୟୋଜନ ଆମକୁ ଏକଥା ମଧ୍ୟ ସୂଚାଇ ଥାଏ ଯେ, ଆମ ପରମ୍ପରା ଗୁଡ଼ିକ କିଭଳି ସମଗ୍ର ଭାରତକୁ ଏକତାର ସୂତ୍ରରେ ବାନ୍ଧି ରଖୁଛି । ଉତ୍ତରରୁ ଦକ୍ଷିଣ ଯାଏଁ ସମସ୍ତଙ୍କ ବିଶ୍ୱାସ ଏବଂ ଏହାର ପାଳନ ଏକାଭଳି ରହିଛି । ଗୋଟିଏ ପଟେ ପ୍ରୟାଗରାଜ୍, ଉଜ୍ଜୟିନୀ, ନାସିକ ଏବଂ ହରିଦ୍ୱାରରେ କୁମ୍ଭର ଆୟୋଜନ ହୋଇଥାଏ, ସେହିପରି, ଦକ୍ଷିଣାଞ୍ଚଳରେ ଗୋଦାବରୀ, କୃଷ୍ଣା, ନର୍ମଦା ଏବଂ କାବେରୀ ନଦୀତଟରେ ମଧ୍ୟ ପୁଷ୍କରମ୍ ଅନୁଷ୍ଠିତ ହୋଇଥାଏ । ଏହି ଉଭୟ ପର୍ବ ଆମ ପବିତ୍ର ନଦୀଗୁଡ଼ିକ ସହ, ଏହାପ୍ରତି ରହିଥିବା ଆସ୍ଥା ସହ ଜଡ଼ିତ । ସେହିଭଳି, କୁମ୍ଭକୋଣମ୍ ଠାରୁ ତିରୁକ୍କଡ଼-ୟୂର୍, କୁଡ଼୍-ୱାସଲ୍ ଠାରୁ ତିରୁଚେରାଇ ପର୍ଯ୍ୟନ୍ତ ଏଭଳି ଅନେକ ମନ୍ଦିର ରହିଛି ଯାହାର ପରମ୍ପରା କୁମ୍ଭ ସହ ଜଡ଼ିତ ।
ଏଥର କୁମ୍ଭରେ ବିଶେଷ ଭାବେ ଯୁବବର୍ଗ ଅଂଶଗ୍ରହଣ କରିଥିବା ଆପଣମାନେ ସମସ୍ତେ ଲକ୍ଷ୍ୟ କରିଥିବେ । ଏଥିରେ ସେମାନଙ୍କ ଭାଗନେବା ବ୍ୟାପକ ଭାବେ ଦୃଷ୍ଟିଗୋଚର ହେଉଛି ଏବଂ ଏକଥା ମଧ୍ୟ ସତ୍ୟ ଯେ, ଯେତେବେଳେ ଯୁବ ପିଢ଼ି, ନିଜ ସଭ୍ୟତା ସହ ଗର୍ବର ସହ ଯୋଡ଼ି ହୋଇଥାଏ, ସେତେବେଳେ ଏହାର ମୂଳଦୂଆ ଆହୁରି ସୁଦୃଢ଼ ହୋଇଥାଏ । ଆଉ ସେତେବେଳେ ତା’ର ସ୍ୱର୍ଣ୍ଣିମ ଭବିଷ୍ୟତ ମଧ୍ୟ ସୁନିଶ୍ଚିତ ହୋଇଯାଇଥାଏ । ଏଥର ଆମେ କୁମ୍ଭର ଡିଜିଟାଲ୍ ଫୁଟପ୍ରିଣ୍ଟସ୍ ମଧ୍ୟ ବ୍ୟାପକ ଭାବରେ ଦେଖିପାରୁଛୁ । କୁମ୍ଭର ଏହି ବୈଶ୍ୱିକ ଲୋକପ୍ରିୟତା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ବିଷୟ ।
କିଛିଦିନ ତଳେ ହିଁ ପଶ୍ଚିମବଙ୍ଗରେ ‘ଗଙ୍ଗା ସାଗର ମେଳା’ର ମଧ୍ୟ ସୁନ୍ଦର ଆୟୋଜନ ହୋଇଛି । ପବିତ୍ର ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ଏହି ମେଳାରେ ସମଗ୍ର ପୃଥିବୀର ଲକ୍ଷ ଲକ୍ଷ ଭକ୍ତ ବୁଡ଼ ପକାଇଛନ୍ତି । ‘କୁମ୍ଭ’, ‘ପୁଷ୍କରମ୍’ ଓ ‘ଗଙ୍ଗା ସାଗର ମେଳା’- ଆମର ଏଇ ପର୍ବ, ଆମର ସାମାଜିକ ଘନିଷ୍ଠତାକୁ, ସଦ୍ଭାବକୁ, ଏକତାକୁ ବଢ଼ାଇବାର ପର୍ବ । ଏହି ପର୍ବ ଭାରତୀୟଙ୍କୁ ଭାରତର ପରମ୍ପରା ସହିତ ଯୋଡ଼ିଥାଏ ଏବଂ ଆମ ଶାସ୍ତ୍ର ଯେମିତି ସଂସାରରେ ଧର୍ମ, ଅର୍ଥ, କାମ, ମୋକ୍ଷ, ଚାରିଟି ଉପରେ ଗୁରୁତ୍ୱ ଦେଇଛି ଠିକ୍ ସେମିତି ଆମର ପର୍ବ ଓ ପରମ୍ପରା ମଧ୍ୟ ଆଧ୍ୟାତ୍ମିକ, ସାମାଜିକ, ସାଂସ୍କୃତିକ ଏବଂ ଆର୍ଥିକ ପ୍ରତ୍ୟେକ ପକ୍ଷକୁ ସଶକ୍ତ କରିଥାନ୍ତି ।