ନୂଆଦିଲ୍ଲୀ– ମନ୍ କୀ ବାତର 118ତମ ଏପିସୋଡରେ ମହାକୁମ୍ଭରୁ ନେଇ ମହାକାଶର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ, ୨୦୨୫ ଆରମ୍ଭରେ ହିଁ ଭାରତ ମହାକାଶ କ୍ଷେତ୍ରରେ କେତେକ ଐତିହାସିକ ସଫଳତା ହାସଲ କରିଛି । ଆଜି ଏକଥା ଜଣାଇବା ବେଳେ ମୋତେ ଗର୍ବ ଲାଗୁଛି ଯେ ଜଣେ ଭାରତୀୟ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ ବେଙ୍ଗାଲୁରୁର ପିକ୍ସେଲ୍ ଭାରତର ପ୍ରଥମ ଘରୋଇ ସାଟେଲାଇଟ୍ କନ୍ଷ୍ଟେଲେସନ – ‘ଫାୟାର୍ଫ୍ଲାଏ’କୁ ସଫଳତାର ସହ ଆରମ୍ଭ କରିଛି । ଏହି ସାଟେଲାଇଟ୍ କନ୍ଷ୍ଟେଲେସନ ପୃଥିବୀର ସବୁଠୁ ହାଇ ରିଜୋଲ୍ୟୁସନ ହାଇପର୍ ସ୍ପେକ୍ଟ୍ରାଲ୍ ସାଟେଲାଇଟ୍ କନ୍ଷ୍ଟେଲେସନ ଅଟେ । ଏହି ସଫଳତା କେବଳ ଭାରତକୁ ଆଧୁନିକ ମହାକାଶ ପ୍ରଯୁକ୍ତିରେ ଅଗ୍ରଣୀ କରିନାହିଁ ବରଂ ଏହା ଆତ୍ମନିର୍ଭର ଭାରତ ଦିଗରେ ଏକ ବଡ଼ ପଦକ୍ଷେପ । ଏହି ସଫଳତା ଆମର ଘରୋଇ ମହାକାଶ କ୍ଷେତ୍ରର କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଓ ନବସୃଜନର ପ୍ରତୀକ । ମୁଁ ଏହି ସଫଳତା ପାଇଁ ପିକ୍ସେଲ୍ ଟିମ୍, ଇସ୍ରୋ ଓ ଇନ୍-ସ୍ପେସ୍ର ଟିମକୁ ସମଗ୍ର ଦେଶ ତରଫରୁ ଅଭିନନ୍ଦନ ଜଣାଉଛି ।
କିଛିଦିନ ତଳେ ଆମର ବୈଜ୍ଞାନିକମାନେ ମହାକାଶ କ୍ଷେତ୍ରରେ ହିଁ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଆମ ବୈଜ୍ଞାନିକମାନେ ଉପଗ୍ରହର ସ୍ପେସ୍ ଡକିଙ୍ଗ୍ କରାଇଛନ୍ତି । ଯେତେବେଳେ ମହାକାଶରେ ମହାକାଶଯାନ ଯୋଡ଼ାଯାଏ, ସେହି ପ୍ରକ୍ରିୟାକୁ ସ୍ପେସ୍ ଡକିଙ୍ଗ୍ କୁହାଯାଏ । ଏହି ପ୍ରଯୁକ୍ତି ମହାକାଶରେ ସ୍ପେସ୍ ଷ୍ଟେସନ ପର୍ଯ୍ୟନ୍ତ ସପ୍ଲାଏ ପଠାଇବା ଓ କ୍ରିଉ ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି ।
ଆମର ବୈଜ୍ଞାନିକ ମହାକାଶରେ ଚାରା ଉତ୍ପାଦନ ଓ ସେଗୁଡ଼ିକୁ ଜୀବିତ ରଖିବାର ପ୍ରୟାସ ମଧ୍ୟ କରୁଛନ୍ତି । ଏଥିପାଇଁ ଇସ୍ରୋର ବୈଜ୍ଞାନିକମାନେ ଲୋବିଆ ମଞ୍ଜିକୁ ବାଛିଥିଲେ । ଡିସେମ୍ବର ୩୦ରେ ପଠାଯାଇଥିବା ଏହି ମଞ୍ଜି ମହାକାଶରେ ହିଁ ଗଜା ହୋଇଛି । ଏହା ଏକ ବହୁତ ପ୍ରେରଣାଦାୟକ ଗବେଷଣା, ଯାହା ଭବିଷ୍ୟତରେ ମହାକାଶରେ ପନିପରିବା ଉତ୍ପାଦନର ରାସ୍ତା ଖୋଲିବ । ଏହା ଦେଖାଇ ଦେଇଛି ଯେ ଆମର ବୈଜ୍ଞାନିକମାନେ କେତେ ଦୂରଦର୍ଶୀ ବିଚାର ସହିତ କାର୍ଯ୍ୟ କରୁଛନ୍ତି ।
ମୁଁ ଆପଣମାନଙ୍କୁ ଆଉ ଗୋଟିଏ ପ୍ରେରଣାଦାୟକ ଉଦ୍ୟମ ସମ୍ପର୍କରେ କହିବାକୁ ଚାହୁଁଛି । ଆଇଆଇଟି ମାଡ୍ରାସର ଏକ୍ସଟେମ୍ କେନ୍ଦ୍ର ମହକାଶରେ ମାନୁଫାକ୍ଚରିଙ୍ଗ୍ ପାଇଁ ନୂଆ ପ୍ରଯୁକ୍ତି ଦିଗରେ କାମ କରୁଛି । ଏହି କେନ୍ଦ୍ର ମହାକାଶରେ ଥ୍ରୀଡି ପ୍ରିଣ୍ଟେଡ୍ ବିଲ୍ଡିଂସ୍, ମେଟାଲ୍ ଫୋମ୍ସ ଓ ଅପ୍ଟିକାଲ୍ ଫାଇବର୍ସ ଭଳି ପ୍ରଯୁକ୍ତି ଉପରେ ଗବେଷଣା କରୁଛି । ଏହି କେନ୍ଦ୍ର ବିନା ପାଣିରେ କଂକ୍ରିଟ୍ ନିର୍ମାଣ ଭଳି ବୈପ୍ଳବିକ ପଦ୍ଧତିର ମଧ୍ୟ ବିକାଶ କରୁଛି । ଏକ୍ସଟେମ୍ର ଏହି ଗବେଷଣା ଭାରତର ଗଗନଯାନ ମିଶନ ଓ ଭବିଷ୍ୟତର ସ୍ପେସ୍ ଷ୍ଟେସନକୁ ଶକ୍ତିଶାଳୀ କରିବ । ଏହାଦ୍ୱାରା ମାନୁଫାକ୍ଚରିଙ୍ଗରେ ଆଧୁନିକ ପ୍ରଯୁକ୍ତିର ନୂଆ ରାସ୍ତା ମଧ୍ୟ ଖୋଲିବ ।
ଏହି ସମସ୍ତ ସଫଳତା ଏହାର ପ୍ରମାଣ ଯେ ଭାରତର ବୈଜ୍ଞାନିକ ଓ ଉଦ୍ଭାବକମାନେ ଭବିଷ୍ୟତ ଆହ୍ୱାନ ଗୁଡ଼ିକର ସମାଧାନ ପାଇଁ କେତେ ଦୂରଦର୍ଶୀ । ଆମ ଦେଶ ଆଜି ମହାକାଶ ପ୍ରଯୁକ୍ତିରେ ନୂଆ କୀର୍ତ୍ତି ସ୍ଥାପନ କରୁଛି । ମୁଁ ଭାରତର ବୈଜ୍ଞାନିକ, ଉଦ୍ଭାବକ ଓ ଯୁବ ଉଦ୍ୟୋଗୀମାନଙ୍କୁ ସମଗ୍ର ଦେଶ ପକ୍ଷରୁ ଶୁଭକାମନା ଜଣାଉଛି ।