-
୬୩ଟି ଗ୍ରାମ୍ୟ ଉନ୍ନୟନ ବିଭାଜନର ସମସ୍ତ ନିର୍ମାଣ ଓ ପ୍ରଶାସନିକ କାର୍ଯ୍ୟ ସମୀକ୍ଷା କଲେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ
ଭୁବନେଶ୍ୱର, ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଶ୍ରୀ ସିଂହ ରାଜ୍ୟର ସମସ୍ତ ୬୩ ଗ୍ରାମ୍ୟ ଉନ୍ନୟନ ବିଭାଜନର କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ବୈଠକରେ ସମସ୍ତ ବିଭାଜନର ବିଭାଗୀୟ ଅଧିକାରୀମାନେ ଆଭାସି ମାଧ୍ୟମରେ ସାମିଲ ହୋଇ ନିର୍ମାଣାଧିନ ଥିବା ସମସ୍ତ ପ୍ରକଳ୍ପର ସ୍ଥିତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗଗୁଡ଼ିକ ବିଷୟରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ ।
ସମୀକ୍ଷା ବୈଠକରେ ପ୍ରାରମ୍ଭରେ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ସମସ୍ତଙ୍କୁ ଇଂରାଜୀ ନବବର୍ଷ-୨୦୨୫ର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଏହା ନୂତନ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଥମ ମାସିକ ସମୀକ୍ଷା ବୈଠକ ହୋଇଥିବାରୁ ସେ ଆହୁରି ଉତ୍ସାହର ସହ ବିଭାଗୀୟ କାର୍ଯ୍ୟ ସମ୍ପାଦନ କରିବାପାଇଁ ସଭିଙ୍କୁ ପ୍ରେରିତ କରିଥିଲେ । ବୈଠକରେ ପ୍ରମୁଖ ଶାସନ ସଚିବ ରାଜ୍ୟର ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ସମସ୍ତ ବିଭାଜନର ପ୍ରକଳ୍ପର କାର୍ଯ୍ୟନ୍ୱୟନ ସମୀକ୍ଷା କରିଥିଲେ ।
ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଦ୍ୱାରା ପ୍ରାପ୍ତ ଅଭିଯୋଗ ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ସର୍କଲ ଓ ବିଭାଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ପଚାରି ବୁଝିଥିଲେ । ପିଏମ୍-ଜନମନ ଯୋଜନା ଓ ସେତୁବନ୍ଧନ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପର ବିସ୍ତୃତ ସମୀକ୍ଷା ହୋଇଥିଲା । ନିର୍ମାଣ ସହ ପ୍ରକଳ୍ପଗୁଡ଼ିକର ଆନୁଷଙ୍ଗିକ ରକ୍ଷଣାବେକ୍ଷଣ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।
ଯେଉଁ ପ୍ରକଳ୍ପଗୁଡିକ ପୂର୍ବ ଆର୍ଥିକ ବର୍ଷରୁ ନିର୍ମାଣାଧୀନ ରହିଛି ସେସବୁର ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରତିଟି ପ୍ରକଳ୍ପ ପାଇଁ ତୃଣମୂଳ ସ୍ତରରୁ ନିର୍ଭୁଲ ନକ୍ସା ପ୍ରସ୍ତୁତି ଓ ସର୍ବେକ୍ଷଣ ସହ ନିର୍ମାଣ କାର୍ଯ୍ୟର ସାମଗ୍ରିକ ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦେଇ ଅଟକଳ ପ୍ରସ୍ତୁତି କରିବାପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସେ ପ୍ରତିଟି ନିର୍ମାଣ କାର୍ଯ୍ୟର ଉଚ୍ଚତର ମାନ ଓ ଗୁଣବତ୍ତାକୁ ସୁନିଶ୍ଚିତ କରି ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରକଳ୍ପ ସମାପନ ପାଇଁ ଯନିବାନ ହେବାକୁ କହିଥିଲେ । ଜଙ୍ଗଲ ପ୍ରତିବନ୍ଧକ ଦୂରୀକରଣ, ଜମିଅଧିଗ୍ରହଣରେ ସମସ୍ୟା ରହିଥିବା ଓ ନକ୍ସଲ ପ୍ରଭାବିତ ଅଞ୍ଚଳର ନିର୍ମାଣ କାର୍ଯ୍ୟଗୁଡ଼ିକର ମଧ୍ୟ ସମୀକ୍ଷା ହୋଇଥିଲା ।
ପ୍ରଶାସନିକ ସଂସ୍କାର ଉପରେ ଗୁରୁତ୍ୱ ଦେଇ ବିଭାଗରୁ ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ତାଙ୍କ ଅବସର ଗ୍ରହଣ ଦିନ ସମ୍ପୂର୍ଣ୍ଣ ପେନସନ୍ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ସେ ଅଭିଯୋଗ ଶୁଣାଣି ମାଧ୍ୟମରେ ପ୍ରାପ୍ତ ହେଉଥିବା ଅଭିଯୋଗଗୁଡ଼ିକର ଯଥାବିଧି ତ୍ୱରିତ ସମାଧାନ ଉପରେ ଧ୍ୟାନ ଦେବାପାଇଁ କହିଥିଲେ । ଅନ୍ତିମ ପର୍ଯ୍ୟାୟରେ ପ୍ରମୁଖ ଶାସନ ସଚିବ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସମସ୍ତ ବିଭାଗୀୟ କାର୍ଯ୍ୟ ଯଥାବିଧି ନିର୍ଦ୍ଧାରିତ ସମୟରେ ସମ୍ପାଦିତ କରି ରାଜ୍ୟର ପ୍ରଗତିରେ ନିଜର ଯୋଗଦାନ ସୁନିଶ୍ଚିତ କରିବା ପାଇଁ ପ୍ରେରିତ କରିଥିଲେ ।
ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ
ଶ୍ରୀ ସର୍ବେଶ୍ୱର ସିଂହ, ଅତିରିକ୍ତ ଶାସନ ସଚିବ ଶ୍ରମତୀ ବବିତା ମହାନ୍ତି, ଅର୍ଥ ପରାମର୍ଶ ଦାତା ଶ୍ରୀମତୀ ସ୍ମିତା ପାଣି, ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରସନ୍ନ କୁମାର ସାହୁ, ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।