-
ବିଗତଦିନଗୁଡ଼ିକରେ ଶାସନକର୍ତାମାନେ ସମ୍ବିଧାନର ଦୂରୋପଯୋଗ କରୁଥିଲେ
-
୫୦ଟି ଜାଗାରେ ଆଲୋଚନାଚକ୍ର ତଥା ବୁଦ୍ଧିଜୀବୀ ସମ୍ବିଳନୀ କରାଯିବା ପାଇଁ ଯୋଜନା କରାଯାଇଛି
-
୨୦ତାରିଖରେ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ୨୨ତାରିଖରେ ରାଉଲକେଲାଠାରେ ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ମଧ୍ୟପ୍ରଦେଶର ମନ୍ତ୍ରୀ କୈଳାସ ବିଜୟବର୍ଗୀୟ ଓ ୨୭ତାରିଖରେ ସମ୍ବଲପୁରରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଦାସ ଅଧିକାରୀଙ୍କ କାର୍ଯ୍ୟକ୍ରମ
-
ଜିଲ୍ଲାସ୍ତରରୁ ବିଧାନସଭାକ୍ଷେତ୍ର ପର୍ଯ୍ୟନ୍ତ ଏହି ଅଭିଯାନ କରିବା ଲାଗି ନିଷ୍ପତି
-
ସାଧାରଣ ଲୋକ ସମ୍ବିଧାନ ବିଷୟରେ ଯେପିର ଚର୍ଚ୍ଚା ଆଲୋଚନା କରିବେ ତାହା ହେଉଛି ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ
ଭୁବନେଶ୍ୱର, ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ.ବାବା ସାହେବ ଭୀମରାଓ ଆମ୍ବେଦକର ଆମ ସମସ୍ତଙ୍କ ପାଇଁ ଚିରସ୍ମରଣୀୟ । ଏହି ସମ୍ବିଧାନ ଆମ ସମସ୍ତଙ୍କ ପାଇଁ । ଏଥିରେ ଆମ ସମସ୍ତଙ୍କ ଯୋଗଦାନ ଆବଶ୍ୟକ । ବିଗତଦିନଗୁଡ଼ିକରେ ଶାସନକର୍ତାମାନେ ସମ୍ବିଧାନର ଦୂରୋପଯୋଗ କରୁଥିଲେ । ସମ୍ବିଧାନ କୌଣସି ବ୍ୟକ୍ତି ବିଶେଷର ସ୍ୱାର୍ଥ କିମ୍ବା ଦଳର କ୍ଷମତା ପାଇଁ ଉଦ୍ଧିଷ୍ଟ ନୁହେଁ । ଏହା ସମାଜ, ଦେଶ ତଥା ରାଷ୍ଟ୍ରର ହିତ ସାଧନ ପାଇଁ ବିନିଯୋଗ ହେବା ଆବଶ୍ୟକ । ଏନେଇ ବିଜେପି ଡ.ଭୀମରାଓ ଆମ୍ବେଦକରଙ୍କ୧୨୫ତମ ଜନ୍ମଜୟନ୍ତୀ ପାଳନ କରୁଥିବାବେଳେ ଦେଶକୁ ନୂତନ ସମ୍ବିଧାନ ଦେବା ପାଇଁ ଯେଉଁମାନେ ନିରନ୍ତର ପ୍ରୟାସ କରିଥିଲେ ସେମାନଙ୍କୁ ସ୍ମରଣ କରୁଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଗୌରବଶାଳୀ ଯାତ୍ରାର ୭୫ତମ ପୂର୍ତି ଜାନୁଆରୀ ୨୬ ତାରିଖ ଦିନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ନଭେମ୍ବର ୨୬ରୁ ଜାନୁଆରୀ ୨୫ ପର୍ଯ୍ୟନ୍ତ “ସମ୍ମିଧାନ ଗୌରବ ଅଭିଯାନ” ପାଳନ କରୁଛି । ଏହି କାର୍ଯ୍ୟକ୍ରମକୁ ଆହୁରି ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସ୍ଥିର କରାଯାଇଛି । ଏହି ସମୟ ମଧ୍ୟରେ ୫୦ଟି ଜାଗାରେ ଆଲୋଚନାଚକ୍ର ତଥା ବୁଦ୍ଧିଜୀବୀ ସମ୍ବିଳନୀ କରାଯିବା ପାଇଁ ଯୋଜନା କରାଯାଇଛି । ସେଥିରୁ ୧୦ଟି ଜାଗାରେ କେନ୍ଦ୍ରୀୟ ନେତୃତ୍ୱ ଓ କେନ୍ଦ୍ରମନ୍ତ୍ରୀ ଆସି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅବଶିଷ୍ଟ ଜାଗାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ନେତୃତ୍ୱ, ମନ୍ତ୍ରୀ, ଏମ୍ପି ଓ ବିଧାୟକମାନେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏପର୍ଯ୍ୟନ୍ତ ୩ ଜଣ କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କଠାରୁ ସ୍ୱୀକୃତି ମିଳିଛି । ୨୦ତାରିଖ ଦିନ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ୨୨ତାରିଖରେ ରାଉଲକେଲାଠାରେ ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ମଧ୍ୟପ୍ରଦେଶର ମନ୍ତ୍ରୀ କୈଳାସ ବିଜୟବର୍ଗୀୟ ଓ ୨୭ ତାରିଖରେ ସମ୍ବଲପୁରରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଦାସ ଅଧିକାରୀ ଆସି ସମ୍ବିଧାନ ଗୌରବ ଅଭିଯାନ ଉପଲକ୍ଷେ ହେବାକୁ ଥିବା ଆଲୋଚନାଚକ୍ରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କେବଳ ବୁଦ୍ଧିଜୀବୀସ୍ତରରେ ନୁହେଁ, ତୃଣମୂଳସ୍ତରରେ କିପରି ଏହା ପହଂଚିପାରିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ସାଧାରଣ ଲୋକ ସମ୍ବିଧାନ ବିଷୟରେ ଯେପିର ଚର୍ଚ୍ଚା ଆଲୋଚନା କରିବେ ତାହା ହେଉଛି ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଏଥିରେ ବୃଦ୍ଧିଜୀବୀମାନଙ୍କର ଏକ ବଡ଼ ଭୂମିକା ରହିବ । ଏନେଇ ଜିଲ୍ଲାସ୍ତରରୁ ବିଧାନସଭାକ୍ଷେତ୍ର ପର୍ଯ୍ୟନ୍ତ ଏହି ଅଭିଯାନ କରିବା ଲାଗି ନିଷ୍ପତି ହୋଇଛି । ସମ୍ବିଧାନର ମର୍ଯ୍ୟାଦା କିପରି ବୃଦ୍ଧି ପାଇବ ଏହା ହେଉଛି ଆମ ସମସ୍ତଙ୍କ କର୍ତବ୍ୟ । ସମ୍ବିଧାନକୁ ଆମେ ସମ୍ମାନ ଜଣାଇଲେ ଆମ ଦେଶର ଗଣତନ୍ତ୍ର ଅଧିକ ଶକ୍ତିଶାଳୀ ହେବ ।
ଏହି ବିଷୟକୁ ଅଧିକରୁ ଅଧିକ ପ୍ରଚାରପ୍ରସାର କରିବା ଦ୍ୱାରା ସମାଜ, ଦେଶ ଓ ସାଧାରଣ ଲୋକଙ୍କ ପାଇଁ ଲାଭଦାୟକ ହେବ ବୋଲି ଶ୍ରୀ ସାମଲ କହିଛନ୍ତି।