ବଲାଙ୍ଗିର– ସଇଁତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଫଟାମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଜଣେ ଯାଦବ ପରିବାରର ଘରକୁ ଟେକା ପଥର ମାରିବା ସହ କବାଟ ଆସବାବପତ୍ର ଭଙ୍ଗାରୁଜା କରିବା ସହିତ ଜୀବନରୁ ମାରିଦେବା ଧମକ ଚମକ ଦେଇଥିବା ନେଇ ସଇଁତଲା ଥାନାରେ ପ୍ରେମ କଠାରଙ୍କ ପତ୍ନୀ କୁମ କଠାର ଅଭିଯୋଗ କରିଥିଲେ । ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଫଟାମୁଣ୍ଡା ଗାଁର ନାରାୟଣ ଭୋଇ ଓ କୀର୍ତ୍ତି ଭୋଇ । ଅନ୍ୟପଟେ ଗାଁର ଧନୀରାମ ଭୋଇଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେବା ଓ ଜାତିକୁ ଆକ୍ଷେପ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ଘଟଣାରେ ପ୍ରେମଚାନ୍ଦ କଠାର ଓ ତାଙ୍କ ପୁଅ ପ୍ରକାଶ କଠାରଙ୍କୁ ଗିରଫ କରି ସଇଁତଲା କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇଦିଆଯାଇଛି ।
ପ୍ରକାଶ ଯେ, ଗତ ୫ ତାରିଖ ରବିବାର ଆଦିବାସୀ ସଂଘ ତରଫରୁ ପାରମ୍ପରିକ ଅସ୍ତଶସ୍ତ୍ର ଧରି ଏକ ବିରାଟ ସଚେତନତା ରାଲି କରିବା ସହ ପୂର୍ବ ଶତ୍ରୁତାକୁ ନେଇ ଗାଁର ପ୍ରେମ କଠାର ନାମକ ଜୈନିକ ବ୍ୟକ୍ତିଙ୍କ ଘର ଉପରକୁ ଟେକା ପଥର ମାରିଥିଲେ । ଏହାପରେ ପୋଲିସ ଓ ଆଦିବାସୀମାନେ ଧସ୍ତାଧସ୍ତି ହୋଇ ପ୍ରେମଙ୍କ ଘରକୁ ଧସେଇ ପଶିଥିଲେ ।