ଜଟଣୀ – ଜଟଣୀ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ଆନୁକୂଲ୍ୟରେ ‘ସ୍ୱାଧୀନୋତର ଓଡ଼ିଆ କବିତା ଓ ଗଳ୍ପ : ଦିଗ ଓ ବାଗ” ଶୀର୍ଷକ ସଂପାନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ଅଭୟ ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଂପାନକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର କିଶୋର ଚନ୍ଦ୍ର ମିଶ୍ର ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ସହାୟକ – ପ୍ରଫେସର ବିଶିଷ୍ଟ କଥାକାର ଭୀମ ପୃଷ୍ଟି ଏବଂ ମୁଖ୍ୟବକ୍ତା ଭାବେ ଯୁବ ଗାଳ୍ପିକ ଓ କବି ପାରାଦୀପ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡକ୍ଟର ସନ୍ତୋଷ କୁମାର ସାମଲ ତଥା ସମ୍ମାନୀତ ଅତିଥି ଭାବେ ଏହି ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ପ୍ରାଣକୃଷ୍ଣ କାନୁନଗୋ ଯୋଗଦେଇ ଆଧୁନିକକବିତା ଓ ଗଳ୍ପର ଆଙ୍ଗିକ ଓ ଆତ୍ମିକ ଦିଗ ଉପରେ ଆଲୋକପାତ କରିଥିଲେ । ବିଭାଗୀୟ ମୁଖ୍ୟ ଡକ୍ଟର ଅଭୟ ବାରିକ ଅତିଥି ପରିଚୟ ପ୍ରଦାନ ପୂର୍ବକ ବିଭାଗୀୟ ଅଧ୍ୟାପକ ଡକ୍ଟର ତପନ ମିଶ୍ର ଆଲୋଚନରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କର ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ । ତୃତୀୟ ବର୍ଷ ଛାତ୍ରୀ କୁମାରୀ ସରସ୍ୱତୀ ସାହୁ ସଭାର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ସମସ୍ତଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ । ବିଭାଗୀୟ ଛାତ୍ରୀ ପୁନ୍ନମ ରାଉତରାୟ ଓ ଆରତୀ ବେହେରା ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ତୃତୀୟ ବର୍ଷ ଛାତ୍ରୀ ରଶ୍ମିତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନେ ଯୋଗଦେଇ ସଂପାନଟିକୁ ସଫଳ କରାଇଥିଲେ ।