-
ଫେବୃଆରୀ ୨୩ ଯାଏ ଚାଲିବ
ଭୁୁବନେଶ୍ୱର– ଇଡକୋ ପ୍ରଦର୍ଶନୀ ପଡିଆ ଠାରେ ଜାତୀୟ ହସ୍ତତନ୍ତ୍ର ମେଳାର ଉଦଘାଟନ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାର ଉଦଘାଟନ କରିଛନ୍ତି । ଜାନୁଆରୀ ୨୬ରୁ ଆରମ୍ଭ ହୋଇ ଏହି ମେଳା ଫେବୃଆରା ୨୩ ତାରିଖ ଯାଏ ଚାଲିବ । ଏହି ମେଳାରେ ଓଡିଶା ସମେତ ଉତର ପ୍ରଦେଶ, ଜାମ୍ମୁକାଶ୍ମୀର, ରାଜସ୍ଥାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଝାରଖଣ୍ଡ, ଆନ୍ଧ୍ର ପ୍ରଦେଶ, ପଣ୍ଡିଚେରୀ, ତାମିଲନାଡୁ, କର୍ଣାଟକ, ଉତରାଖଣ୍ଡ, ହରିୟାଣାର ପାଖା ପାଖି ଶହେ ଟି ସଂସ୍ଥା ଏଥିରେ ସାମିଲ ହୋଇଛନ୍ତି ।
ଆୟୋଜକ ମାନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଏହି ମେଳା ପ୍ରତ୍ୟହ ଦିନ ୧୧.୩୦ରୁ ରାତ୍ର ୯.୩୦ ଯାଏ ଚାଲିବ । ଏହି ମେଳାରେ ଓଡିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ଉପରେ ରିହାତି ଦେବାର ବ୍ୟବସ୍ଥା ରହିଛି । ମେଳାରେ ମୋଟ ୧୦୦ଟି ଷ୍ଟଲ ରହିବ । ସେଥି ମଧ୍ୟରୁ ୨୫ଗୋଟି ଷ୍ଟଲ ଓଡିଶାର ବିଭିନ୍ନ ପ୍ରମୁଖ ସଂସ୍ଥା ଯଥା ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ସେରିଫେଡ ତଥା ଅନ୍ୟାନ୍ୟ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି । ଏହି ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ମଧ୍ୟ ରହିଛି । ସେହିପରି ପ୍ରତ୍ୟେକ ସଂଧ୍ୟାରେ ୭ଟାରୁ ୯.୩୦ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରା ଯାଉଛି । ବଲିଉଡର ଅନେକ ଗାୟକ ଏଥିରେ ଯୋଗ ଦେବେ ।
ଏହି ପ୍ରଦର୍ଶନୀରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବିଗତ ତିନି ବର୍ଷ ମଧ୍ୟରେ ସର୍ବାଧିକ ବ୍ୟବସାୟ କରିଥିବା ତିନି ଗୋଟି ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ଯଥା କ୍ଷେତ୍ରପାଳ ତନ୍ତୁବାୟ ସହଯୋଗ ସମିତି ଲି. ଦେବ ଦେବ ମହାଦେବ ତନ୍ତୁବାୟ ସହଯୋଗ ସମିତି ଲିଂ. ମା ଅନ୍ନପୂର୍ଣା ତନ୍ତୁବାୟନ ସହଯୋଗ ସମିତିକୁ ଯଥାକ୍ରମେ ତିନି ଲକ୍ଷ, ଦୁଇ ଲକ୍ଷ ଓ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରା ଯାଇଛି ।
ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।