-
ନ୍ୟାସନାଲ୍ ହେଲଥ ଅଥରିଟି ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
-
ଉପକୃତ ହେବେ 1 କୋଟି 3 ଲକ୍ଷ ପରିବାର, 23 ଲକ୍ଷରୁ ଅଧିକ 70 ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ପାଇବେ ଚିକିତ୍ସା ସୁବିଧା
-
ଚିକିତ୍ସା କ୍ଷେତ୍ରରେ ଏହି ଯୋଜନା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ, ଦେଶର 29 ହଜାରରୁ ଅଧିକ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ପାଇପାରିବେ
-
ପ୍ରତ୍ୟେକ ପଞ୍ଚାୟତରେ ପ୍ରତିଷ୍ଠା ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,ଓଡିଶାରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିପାଇଁ ଆଜି ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ହେଲଥ ଅଥରିଟି ସହିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ଚୁକ୍ତିନାମା (MoU) ସ୍ୱାକ୍ଷରିତ ହୋଇଛି ।
ଏହା ଦ୍ୱାରା ବର୍ତ୍ତମାନ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଯୋଡିହେଲା (Convergence) । ରାଜ୍ୟର 1.03 କୋଟି ପରିବାର ଉପକୃତ ହେବେ । ଏହା ଦ୍ୱାରା ରାଜ୍ୟର 70 ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ମାନେ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ । ବର୍ତ୍ତମାନ ରାଜ୍ୟରେ 23, 12, 979 ଜଣ 70 ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଅଛନ୍ତି ବୋଲି ଜଣାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନା ଦ୍ୱାରା ଓଡିଶାର ଲୋକ, ବିଶେଷ କରି ଗ୍ରାମାଞ୍ଚଳର ଲୋକଙ୍କ ଚିକିତ୍ସା କ୍ଷେତ୍ରରେ ଏହି ଯୋଜନା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ କାୟାକଳ୍ପ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ସବୁ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଉଛି ତାହା 2036 ସୁଦ୍ଧା ସମୃଦ୍ଧ ଓଡିଶା ଓ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ପଞ୍ଚାୟତ ସ୍ତରରେ ଯେଉଁ ହେଲଥ ସବ୍ ସେଣ୍ଟର ଅଛି ତାହା ଠିକଭାବେ କାର୍ଯ୍ୟକାରୀ ହେଉନାହିଁ । ତେଣୁ, ରାଜ୍ୟ ସରକାର ବର୍ତ୍ତମାନ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏଥିରେ ହେଲଥ ୱାର୍କର ଓ ଯୋଗ ଶିକ୍ଷକ ନିୟୋଜିତ ହେବେ । ଏହି ସବୁ କେନ୍ଦ୍ର ଗୁଡିକର ପୂର୍ଣ୍ଣାଙ୍ଗ ଭିତ୍ତିଭୂମି ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୋଜନା 2018 ମସିହାରୁ ଲାଗୁ ହୋଇଥିଲେ ମଧ୍ୟ ଓଡିଶାର ଲୋକଙ୍କୁ ଏଥିରୁ ବଞ୍ଚିତ କରାଯାଇଥିଲା । ବର୍ତ୍ତମାନ ଏହି ଯୋଜନା ଓଡିଶାର ନିଜସ୍ୱ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଯୋଡିହେବ ଏବଂ ଏହା ଦ୍ୱାରା ଓଡିଶାରେ 1 କୋଟିରୁ ଅଧିକ ପରିବାର ଦେଶର 29 ହଜାର ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ । ବର୍ତ୍ତମାନ ମାତ୍ର 900 ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତ ବଜେଟ୍ ରେ ସ୍ୱାସ୍ଥ୍ୟକ୍ଷେତ୍ରରେ ପ୍ରାୟ 21 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ଯାହାକି ପୂର୍ବ ବର୍ଷ ଅପେକ୍ଷା 32.2 ପ୍ରତିଶତ ଅଧିକ ଏବଂ ଏହା ରାଜ୍ୟ ବଜେଟର 8 ପ୍ରତିଶତ । ଏହି ପରିମାଣ ଜାତୀୟ ସ୍ୱାସ୍ଥ୍ୟନୀତିର ସୁପାରିଶ ଅନୁରୂପ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ପୁରୁଷ ମାନେ 5 ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ । ମହିଳା ହିତାଧିକାରୀ ମାନେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବେ ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ରେଲ୍, ଆଇ.ଟି, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ ।