ଧର୍ମଶାଳା– ଦିନକୁ ଦିନ ରାଜ୍ୟରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ଫଳରେ ମାନବ ସମାଜ ଉପରେ ଏହାର କୁପ୍ରଭାବ ପଡୁଛି । ବର୍ତମାନର ସଭ୍ୟତା ଓ ମାନବ ସମାଜର ଉତ୍ଥାନ ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ରହିଛି । ତେବେ ପ୍ରଦୂଷଣର ମାତ୍ରା ବୃଦ୍ଧି ଯୋଗୁଁ ସମ୍ପ୍ରତି ଜଳବାୟୁ ଉପରେ ଏହାର ପ୍ରଭାବ ପଡିଛି । ବିଶେଷ କରି ରାଜ୍ୟରେ ପ୍ଲାଷ୍ଟିକର ବ୍ୟବହାର ଏବେ ମୁଖ୍ୟ କାରଣ ପାଲଟିଛି । ହାଟ, ବଜାର ଓ ହୋଟେଲ ଆଉ ରେଷ୍ଟୁରାଂଟରେ ପ୍ଲାଷ୍ଟିକ୍ ର ବ୍ୟବହାର ବଢି ଚାଲିଛି । ପ୍ଲାଷ୍ଟିକ ମୁକ୍ତ ଭାରତ କେବଳ ଭାଷଣରେ ସୀମିତ ରହିଛି । ଏବେ ଯାଜପୁର ଜିଲାର ଧର୍ମଶାଳା, ବଡଚଣା, ରସୁଲପୁର ଓ ବରୀ ଆଦି ଅଂଚଳରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ହାଟରୁ ସଉଦା ଆଣିବା ଠାରୁ ଆରମ୍ଭ କରି ପ୍ଲାଷ୍ଟିକରେ ଜଳଖିଆ ଖାଇବା ଓ ପାର୍ସଲ ଆଦିରେ ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ଫଳରେ ମଣିଷ ଜୀବନ ଉପରେ ବେଶ୍ ପ୍ରଭାବ ପଡୁଛି । ଏ ଦିଗରେ ବିଭିନ୍ନ ଶିଷାନୁଷ୍ଠାନ ଓ ସରକାରୀ ସ୍ତରରେ ସଚେତନ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ପଡୁ ନ ଥିବା ପରିବେଶବିତ୍ ମାନେ ମତ ପ୍ରକାଶ କରିଛନ୍ତି । ଆଗକୁ ଏହା ଉପରେ ରୋକ ଲଗା ନ ଗଲେ ମଣିଷ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିବ । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କେବଳ କିଛି ସମୟ ପାଇଁ ସଚେତନ କରୁଥିବା ବେଳେ ବ୍ୟବହାରକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ସହ ପ୍ଲାଷ୍ଟିକ ତିଆରି କମ୍ପାନୀ ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଫଳରେ ଗାଁ ଗଣ୍ଡାରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ହେଉଛି । ଏ ଦିଗରେ ସରକାର କଡ଼ା ଆଭିମୁଖ୍ୟ ନେବାକୁ ପଡିବ ବୋଲି ପରିବେଶବିତ୍ ମାନେ ମତପ୍ରକାଶ କରିଛନ୍ତି ।
Related Stories
January 12, 2025
January 12, 2025
January 12, 2025