ଅହମ୍ମଦାବାଦ– ଚଳିତ ବର୍ଷ ଜାନୁଆରୀ ୧୩ ତାରିଖରୁ ଉତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଥିବା ମହାକୁମ୍ଭ ନିମନ୍ତେ ବିମାନ କମ୍ପାନୀ ଲୋକଙ୍କୁ ସୁବିଧା ଯୋଗାଇ ଦେବ । ତଦନୁଯାୟୀ, ଜାନୁଆରୀ ୧୨ ତାରିଖରୁ ଅର୍ଥାତ୍ ଆଜି ଠାରୁ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଅହମ୍ମଦାବାଦରୁ ପ୍ରୟାଗରାଜ ନିମନ୍ତେ ଉଡ଼ାଣ ସେବା ଜାରି ରହିବ ।
ଉତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭକୁ ଦୃଷ୍ଟିରେ ରଖି ସ୍ପାଇସ୍ ଜେଟ୍ ଏୟାରଲାଇନ୍ସ ଜାନୁଆରୀ ୧୨ ତାରିଖ ଠାରୁ ସକାଳ ୮ଟା ୧୦ ରେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆନ୍ତର୍ଜାତିକ ବିମାନବନ୍ଦରରୁ ପ୍ରୟାଗରାଜ ନିମନ୍ତେ ପ୍ରଥମ ଉଡ଼ାଣ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି । ଅହମ୍ମଦାବାଦରୁ ପ୍ରୟାଗରାଜ ପହଂଚିବା ନିମନ୍ତେ ଏହି ଉଡ଼ାଣ ସେବାକୁ ୧ ଘଂଟା ୪୫ ମିନିଟ୍ ସମୟ ଲାଗିବ । ତଥା ସକାଳ ୯ଟା ୫୫ରେ ଏହି ଉଡ଼ାଣ ପ୍ରୟାଗରାଜରେ ପହଂଚିବ । ଏହାପରେ ଅପରାହ୍ନ ୪ଟା ୩୦ ରେ ସ୍ପାଇସ୍ ଜେଟ୍ ର ବିମାନ ପ୍ରୟାଗରାଜରୁ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ ଭରିବ । ଫେରିବା ସମୟରେ ୨ ଘଂଟା ୧୫ ମିନିଟ୍ ସମୟ ଲାଗିବ ଏବଂ ସଂନ୍ଧ୍ୟା ୬ଟା ୪୫ ରେ ଅହମ୍ମଦାବାଦରେ ପହଂଚିବ । ଏହି ଉଡ଼ାଣ ସେବା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ନିୟମିତ ଉପଲବ୍ଧ ହେବ ।