ମାଲକାନଗିରି– ମାଲକାନଗିରି ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଠାବ କରିଛି ଏକ ମାଓ ଡମ୍ପ। ସେଠାରୁ ଜବତ କରିଛି ଗୋଟିଏ ଅତ୍ୟାଧୁନିକ ଏସଏଲଆର ବନ୍ଧୁକ ଓ ଗୁଳି ସହିତ ମାଓବାଦୀଙ୍କ ଦ୍ୱାରା ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ।
ମୋଟୁ ଥାନା ଅନ୍ତର୍ଗତ ଜିନେଲଗୁଡ଼ାରେ ଏକ ମାଓ ଡମ୍ପ ଥିବା ନେଇ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ। ଏହା ପରେ ଗତକାଲି ତାଙ୍କ ନେତୃତ୍ୱରେ ଡିଭିଏଫ୍ ଟିମ୍ ଜିନେଲଗୁଡ଼ାରେ ସର୍ଚ୍ଚ ଅପରେସନ କରିଥିଲେ। ସେହି ସମୟରେ ମାଓ ଡମ୍ପ ଠାବ କରାଯାଇଥିଲା। ମାଟି ଖୋଳି ତା’ ତଳୁ ବନ୍ଧୁକ, ଗୁଳି, ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିଲା।
ସାଧାରଣ ଲୋକ ଏବଂ ସୁରକ୍ଷା କର୍ମଚାରୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ମାଓବାଦୀ ଏହି ଡମ୍ପକୁ ବ୍ୟବହାର କରିଥାନ୍ତେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ । ମାଲକାନଗିରି ପୁଲିସ ପାଇଁ ଏହା ଏକ ବଡ଼ ସଫଳତା। ଆଗକୁ ମଧ୍ୟ ମାଲକାନଗିରି ପୁଲିସ ଏଭଳି ପ୍ରୟାସ ଜାରି ରଖିବ ବୋଲି ଏସପି କହିଥିଲେ।