ଖୋର୍ଦ୍ଧା– ୧୬ନଂ ଜାତୀୟ ରାଜପଥ ବରୁଣେଇ ଓଭରବ୍ରିଜ ପିଏନ କଲେଜ ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏକ କାର୍ ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। କନ୍ଧମାଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଓଡ଼ି ୦୨ସିଟି ୭୫୨୧ ନମ୍ବର ବିଶଷ୍ଟ ମାରୁତି ସୁଜିକି ସୁଇଫ୍ଟ କାର୍ ରୁ ଏହି ଗଞ୍ଜେଇ ଜବତ ହୋଇଛି । ରବିବାର ଭୋର ସମୟରେ ଧରାପଡିଛି ଏହି ଗଞ୍ଜେଇ ଭର୍ତି କାର। ତେବେ କାର ଦୁର୍ଘଟଣାଗ୍ରସ୍ତ ପରେ ଘଟଣାସ୍ଥଳରୁ ଡ୍ରାଇଭର ଓ ସହଯୋଗୀ ଫେରାର ହୋଇଯାଇଛନ୍ତି। ଖବର ପାଇ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଓ ଖୋର୍ଦ୍ଧା ଅବକାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ, ଟିମ ପହଞ୍ଚି ଗଞ୍ଜେଇ ଜବତ କରି ଥାନାକୁ ନେଇଯାଇଛନ୍ତି। ଅବକାରୀ ବିଭାଗ ଡ୍ରାଇଭିଙ୍ଗ ଲାଇସେନ୍ସ ଜବତ କରିଛି।
ସୂଚନା ଅନୁଯାୟୀ, ବେଗୁନିଆ ବ୍ଲକ କୁଶପଲ୍ଲାରୁ ଏକ ଗାଡିରେ ୧୦ଟି ଗୋରୁ ବୋଝେଇ ହୋଇ ଭୁବନେଶ୍ବର ଯାଉଥିଲା। ଖବର ପାଇ ଆଜି ଭୋର ସମୟରେ ଗୋସେବକମାନେ ଗଡଖୋର୍ଦ୍ଧା ଛକ ନିକଟରେ ଗୋରୁ ଗାଡି ଧରିଥିଲେ। ଏହି ସମୟରେ ଓଭରବ୍ରିଜ ଉପରେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୋସେବକ ମାନେ ଘଟଣାସ୍ଥଳରେ ପହଞ୍ଚି କାରରେ ଗଞ୍ଜେଇ ଦେଖି ଶିଳ୍ପାଞ୍ଚଳ ପୋଲିସ ଓ ଅବକାରୀ ପୋଲିସକୁ ଖବର ଦେଇଥିଲେ। ଡ୍ରାଇଭର ଓ ସହଯୋଗୀ ଫେରାର ହୋଇଯାଇଥିଲେ।
ପୋଲିସ ଗୋରୁ ଗାଡି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ସେହିପରି ଅବକାରୀ ପୋଲିସ ହାଇଡ୍ରା ଲଗାଇ ଗଞ୍ଜେଇ ଭର୍ତି କାରକୁ ଜବତ କରି ଥାନାକୁ ନେଇଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ଅବକାରୀ ଏସପି ସୂଚନା ଦେଇଛନ୍ତି।