ମାଲକାନଗିରି– ମାଲକାନଗିରି ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହରେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ସୁରେଶ ସୁମାନି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଡକ୍ଟର ନାଇଜେଲ୍ ପିଟର ଓବ୍ରେନ୍ ଓ ଡକ୍ଟର ଦେବାଶିଷ ପହିଙ୍କ ଦ୍ଵାରା ସମ୍ପାଦିତ କ୍ରୀଡା ପ୍ରତିଯୋଗିତାର ସମାପନ ସମୋରୋହ ମଧ୍ୟ ଆୟୋଜିତ ହୋଇଥିଲା ତତ୍ ସହ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଡକ୍ଟର ଚିନ୍ମୟ ମହାନନ୍ଦ ବାର୍ଷିକ ବିବରଣୀ ପାଠ କରିଥିଲେ। ଡକ୍ଟର ଗୌତମସେନ ହାଁସଦା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଡ଼କ୍ଟର ରତ୍ନାକର ପରିଡ଼ା ମଞ୍ଚ ପରିଚାଳନା କରିଥିଲେ। ଡକ୍ଟର ହିମାଂଶୁ ଶେଖର ସାହୁ ଅତିଥି ସତ୍କାର ଦାୟିତ୍ଵ ନିର୍ବାହ କରିଥିଲେ। ଏଥିସହ ଡକ୍ଟର ପ୍ରସନ୍ନ କୁମାର ବରାଳ ଓ ପ୍ରୀତମ୍ ମହାଲା ଛାତ୍ରଛାତ୍ରୀମାନଙ୍କର ଶୃଙ୍ଖଳାର ତଦାରଖ କରିଥିଲେ। ଅନ୍ୟ ସମସ୍ତ ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମକୁ ଭରପୂର ଉପଭୋଗ କରିଥିଲେ।