-
ଏୟାରପୋର୍ଟ , ବନ୍ଦର ଓ ରେଲୱେ ଷ୍ଟେସନ୍ ଉପରେ ନଜର
ଭୁୁବନେଶ୍ୱର– ଚୀନ୍ ରେ କରୋନା ଭାଇରସ୍ ଯୋଗୁଁ ଏକାଧିକ ଲୋକଙ୍କ ମୃତ୍ୟୁ ଘଟଣାକୁ ବିଶ୍ୱ ସମସ୍ୟା ଭାବେ ଘୋଷଣା କରାଯାଇ ନାହିଁ । ତେବେ ଏହି ଦେଶ ଭାରତର ପଡୋଶୀ ଦେଶ ହୋଇଥିବାରୁ ଚିନ୍ତା ବଢାଇଛି । ମାଲେସିଆରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ନେପାଳରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ନିକୁଂଜ କୁମାର ଧଳ ପ୍ରକାଶ କରିଛନ୍ତି ।
ସୋମବାର ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ରାଜ୍ୟରେ କି ପ୍ରକାର ସତର୍କତାମୂଳକ ବ୍ୟବସ୍ଥା କରାଯାଇଛି ଏହା ଜାଣିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯାଇଥିଲା ।୧୯ ଟି ଏୟାରପୋର୍ଟକୁ ଆଲର୍ଟ କରାଯାଇଛି । ଏହା ମଧ୍ୟରେ ଭୁବନେଶ୍ୱର ଏୟାରପୋର୍ଟର ନାମ ନାହିଁ । ଏହି ରୋଗ ୧୫ ଟି ଦେଶକୁ ବ୍ୟାପିଲାଣି । ଓଡିଶାରେ ଏହାର ମୁକାବିଲା ପାଇଁ ୪ ଟି ମେଡିକାଲରେ (ଏମସ୍ , ଏସସିବି, ବୁର୍ଲା ଓ ଝାରସୁଗୁଡା) ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ବେଳେ ଭୁବନେଶ୍ୱର ଓ ଝାରସୁଗୁଡା ଏୟାରପୋର୍ଟରେ ଯାଂଚ ବ୍ୟବସ୍ଥା କରାଯାଇଛି । ପାରାଦ୍ୱୀପ ବନ୍ଦରକୁ ମଧ୍ୟ ଆଲର୍ଟ କରାଯାଇଛି । ଭୁବନେଶ୍ୱର ଏୟାରାପୋର୍ଟକୁ ସ୍କ୍ରିନିଂ ଏୟାରପୋର୍ଟ ଘୋଷଣା କରିବାପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି । ବନ୍ଦର , ବିମାନଘାଟି ଓ ଷ୍ଟେସନ୍ ଗୁଡିକୁ ଆଡଭାଇଜରୀ ଜାରୀ କରାଯାଇଛି ।
ସଚିବ ପରାମର୍ଶ ଦେଇ କହିଛନ୍ତି ଯେ ଓଡିଶାବାସୀ କରୋନା ଭାଇରସ୍ ପାଇଁ ଭୟଭୀତ ହେବାର କାରଣ ନାହିଁ । ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ସଜାଗ ରହିଛି । ଆସନ୍ତାକାଲି ଜିଲ୍ଲା ସୁପରିଟେଣ୍ଡେଂଟମାନଙ୍କୁ ବୈଠକ ପାଇଁ ଡକାଯାଇଛି । ବୈଠକରେ ଏହି ଭାଇରସ୍ ର ମୁକାବିଲା ନେଇ ଆଲୋଚନା ହେବ ।
କଟକ ଏସସିବିର ଜରୁରୀକାଳୀନ ଅଧିକାରୀ ଭୂବନାନନ୍ଦ ମହାରଣା କହିଛନ୍ତି ଯେ ବର୍ତମାନ ଏସସିବିରେ କରୋନାର ଚିକିତ୍ସା ପାଇଁ ୮ଟି ଆଇସିୟୁ ଓ ୪୦ଟି ବେଡ୍ ରଖାଯାଇଛି । ଆବଶ୍ୟକ ହେଲେ ଏହାର ବୃଦ୍ଧି କରାଯିବ । ଏଥିପାଇଁ ଜଣେ ପ୍ରଫସର ଓ ପଲ୍ୟୁମରି ବିଭାଗର ଦୁଇ ଜଣ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ୨୪ ଘଂଟିଆ ଦାୟିତ୍ୱରେ ରହିବେ ।