ଭୁୁବନେଶ୍ୱର– ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପବିତ୍ର ସାଧାରଣତନ୍ତ୍ର ଦିବସ ସ୍ଥାନୀୟ କଂଗ୍ରେସ ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ, ମହାମନିଷୀ ମାନେ ଓ ସ୍ୱାଧୀନତା ସଂଗ୍ରାମୀମାନେ ସେମାନଙ୍କର ପ୍ରାଣବଳି ଦେଇ ଦେଶକୁ ସ୍ୱାଧୀନତା ଆଣିଦେଇଥିଲେ । କିନ୍ତୁ ସେମାନେ ଦେଖିଥିବା ସ୍ୱପ୍ନ ଆଜି ସଂପୂର୍ଣ୍ଣଭାବେ ସାକାର ହୋଇପାରି ନାହିଁ । ସେତେବେଳେ ଯେଉଁ ଲକ୍ଷ୍ୟ ନେଇ ଦେଶର ସମ୍ବିଧାନ ତିଆରି ହୋଇଥିଲା ବର୍ତମାନ ତାକୁ କିଛି ଗୋଷ୍ଠୀ ବଦଳାଇବାକୁ ଅପଚେଷ୍ଟା ଚଳାଇଛନ୍ତି । ସମ୍ବିଧାନକୁ ସୁରକ୍ଷା ଦେବା ଆମ୍ଭମାନଙ୍କର ପ୍ରଥମ କର୍ତବ୍ୟ । ଏ ଦିଗରେ ସମସ୍ତ କଂଗ୍ରେସ କର୍ମୀ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ ।
ପରେ ଶ୍ରୀ ପଟ୍ଟନାୟକ ଉପସ୍ଥିତ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଭାରତର ସମ୍ବିଧାନର ପ୍ରସ୍ତାବନା ପାଠ ପୂର୍ବକ ସଂକଳ୍ପ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ରାମପ୍ରସାଦ ଜୟସ୍ୱାଲ ଓ ଜ୍ୟୋତିଷ ସାହୁ ପରିଚାଳନ କରିଥିଲେ । ଏହି ଅବସରରେ ଗତ ଶିଶୁ ଦିବସ ଦିନ ଶ୍ରୀ ଚିନ୍ମୟ ସୁନ୍ଦର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପୁରସ୍କୃତ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସର୍ବଶ୍ରୀ ଜୟଦେବ ଜେନା, ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ପଂଚାନନ କାନୁନଗୋ, ଶୁଭେନ୍ଦୁ ମହାନ୍ତି, ଗୁରୁପଦ ନନ୍ଦ, କିଶୋର ଜେନା, ସଂଗ୍ରାମ କେଶରୀ ଜେନା ପ୍ରମୁଖ ବହୁ ନେତୃବୃନ୍ଦ ଓ କର୍ମୀ ଅଂଶଗ୍ରହଣ କରିଥିଲେ ।