ମାଲକାନଗିରି- ବିଚ୍ଛିନ୍ନାଚଂଳରେ ମାଓବାଦୀ-ଆଦିବାସୀ ମୁହାଁମୁହିଁ ଘଟଣା ପରେ ଆଜି ସ୍ଥିତି ସମୀକ୍ଷା ପାଇଁ ଘଟଣାସ୍ଥଳରେ ପହଂଚି ଥିଲେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡି. ଋଷିକେଶ ଖିଲାରୀ । ଏହି ଗସ୍ତ କାଳରେ ମାଓବାଦୀ ଜାଳି ଦେଇଥିବା ଘର ମାଲିକଙ୍କୁ ଖୁବ୍ ଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଯୋଡ଼ାମ୍ବ ପଂଚାୟତର ୪ଟି ଗ୍ରାମ ଯୋଡ଼ାମ୍ବ, ଜନ୍ତୁରାଇ, ସିନ୍ଦିବେଡ଼ା, ଟିକରପଡ଼ାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସବୁ ଗ୍ରାମରେ ପୋଲିସ ଛାଉଣି ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ୧୦୦୦ରୁ ଉର୍ଦ୍ଧ୍ୱ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।
ପ୍ରକାଶ ଥାଉ କି, ଗତ ୨୫ ତାରିଖ ରାତିରେ ଚିତ୍ରକୋଣ୍ଡା ବ୍ଲକ୍ ଯୋଡ଼ାମ୍ବ ପଂଚାୟତ ଅନ୍ତର୍ଗତ ଜନ୍ତୁରାଇ ଗ୍ରାମରେ ମାଓବାଦୀ- ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ । ପ୍ରତିଶୋଧ ପରାୟଣ ମାଓବାଦୀ ୧୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ । ୫ଟି ମୋଟରସାଇକେଲ ପୋଡ଼ି ଦେଇଥିଲେ ।