-
“ଓଡ଼ିଶାର ବିକାଶ ଯାତ୍ରାରେ ପ୍ରବାସୀ ଭାରତୀୟମାନେ ସାମିଲ ହୁଅନ୍ତୁ”:ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ
-
“ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଭାଗିତା ଉଲ୍ଲେଖନୀୟ ହେବ”: ବିଦେଶ ମନ୍ତ୍ରୀ ଡଃ. ଜୟଶଙ୍କର
ଭୁବନେଶ୍ୱର ,ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ଆଜି ଆରମ୍ଭ ହୋଇଛି । ଏହି ତ୍ରି-ଦିବସୀୟ ସମ୍ମିଳନୀର ପ୍ରଥମ ଦିନ “ଯୁବ ପ୍ରବାସୀ ଭାରତୀୟ ଦିବସ” ମହା ସମାରୋହରେ ଉଦଘାଟିତ ହୋଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ସାଙ୍ଗକୁ ମନ୍ତ୍ରଧ୍ୱନି ମୁଖରିତ ପରିବେଶରେ ଆୟୋଜିତ ଏହି ଉଦଘାଟନ ପର୍ବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ. ଏସ୍ . ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ମନସୁଖ ଏଲ୍. ମାଣ୍ଡବ୍ୟ, କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଘେରିଟା, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖାଡସେ, ନ୍ୟୁଜ୍ ଓ୍ୱିକ୍ (ଆମେରିକା)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ଦେବ ପ୍ରଗଡ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ କରି କହିଲେ ଯେ, ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ସମାରୋହ ଆମ ପାଇଁ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ଓ ଆଗାମୀ ଦିନରେ ସମ୍ପର୍କର ସେତୁ ଆହୁରି ସୁଦୃଢ ହେବ । ଏହି ଦିବସ ଆୟୋଜନ ମାଧ୍ୟମରେ ଆମେ ବିଶ୍ୱର ୨୦୦ ଟି ଦେଶରେ ରହୁଥିବା ୩୦ ନିୟୁତରୁ ଅଧିକ ଭାରତୀୟଙ୍କ ଅସାଧାରଣ ଅବଦାନ ପାଇଁ ଖୁସି ବ୍ୟକ୍ତ କରୁଛୁ । ପ୍ରବାସୀ ଭାରତୀୟମାନେ ଆମର ସାଂସ୍କୃତିକ ରାଜଦୂତ ଓ ସେମାନେ ସବୁଠାରେ ଭାରତର ଗୌରବକୁ ପ୍ରତିଫଳିତ କରୁଛନ୍ତି । ବିଦେଶରେ ସେମାନଙ୍କ ଉତ୍କର୍ଷରେ ଆମ୍ଭେମାନେ ଗର୍ବିତ ।
ପ୍ରବାସୀ ଭାରତୀୟମାନେ ବିଜ୍ଞାନ ଓ କାରିଗରୀ , ବୈଶ୍ୱିକ ସହଯୋଗ ଓ ସରକାରୀ ନୀତି ନିର୍ଦ୍ଧାରଣରେ ସେମାନଙ୍କ ସଫଳତା ପ୍ରଦର୍ଶନ କରିଆସିଛନ୍ତି ବୋଲି ଉଲ୍କେଖ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି ମଧ୍ୟ କହିଲେ ଯେ, ଉଦ୍ୟୋଗ ପତି ଗୋପୀଚାନ୍ଦ ହିନ୍ଦୁଜା ଓ ଏଲ୍. ଏନ୍, ମିତ୍ତଲ, କର୍ପୋରେଟ ଲିଡର ଇନ୍ଦିରା ନୁୟୀ, ସୁନ୍ଦର ପିଚାଇ ଓ ସତ୍ୟ ନାଡେଲା , ବୈଜ୍ଞାନିକ ଭେଙ୍କଟ ରାମକ୍ରୀଷ୍ଣନ୍ ଏବଂ ଫେସନ ଡିଜାଇନର ବିଭୁ ମହାପାତ୍ରଙ୍କ ପରି ବ୍ୟକ୍ତିତ୍ୱବୃନ୍ଦ ବିଶ୍ୱ ସ୍ତରରେ ଭାରତର ଗୌରବ ବୃଦ୍ଧି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କୁ ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ଆମନ୍ତ୍ରଣ ଜଣାଇ କହିଲେ ଯେ ଓଡ଼ିଶାରେ ଟେକ୍ନୋଲୋଜି, ଅକ୍ଷୟ ଶକ୍ତି, ଭିତ୍ତିଭୂମି ବିକାଶ, ଶିକ୍ଷା ଓ ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଏସବୁରେ ପୁଞ୍ଜି ନିବେଶ,ସହଭାଗିତା ସାଙ୍ଗକୁ ଓଡ଼ିଶା ସହିତ ସାସ୍କୃତିକ ବିନିମୟରେ ଯୋଡ଼ି ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ ।
କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ.ଏସ୍. ଜୟଶଙ୍କର କହିଲେ ଯେ, ପ୍ରବାସୀ ଭାରତୀୟମାନେ ସେମାନଙ୍କର ଜନ୍ମମାଟି ଭାରତ ସହିତ ସବୁବେଳେ ଆତ୍ମୀୟତା ରଖି ଆସିଛନ୍ତି । ବିଶ୍ୱର ଯେଉଁ ଦେଶରେ ରହିଥାନ୍ତୁ ନା କାହିଁକି ଭାରତର ବିକାଶ ପାଇଁ ସେମାନେ ସର୍ବଦା ଇଚ୍ଛୁକ ରହିଥାନ୍ତି । ପ୍ରବାସୀ ଭାରତୀୟ ମାନେ କୃତ୍ରିମ ବୁଦ୍ଧିମତା, ଇଲେକ୍ଟ୍ରୋନିକ ଯାନ, ଡ୍ରୋନ୍ , ବୈକ୍ଷୟିକ ଜ୍ଞାନ କୈଶଳ, କାରିଗରୀ, ମହାକାଶ ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରୁଛନ୍ତି । ଭାରତ ସହ ସେମାନଙ୍କର ସହଭାଗିତା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଉଲ୍ଲେଖନୀୟ ଯୋଗଦାନ ହେବ ବୋଲି ସେ ପ୍ରକାଶ କରିଥିଲେ ।
କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଏଲ୍. ମାଣ୍ଡବ୍ୟ କହିଲେ ଯେ, ୧୧୦ ପୂର୍ବେ ଜାତିର ଜନକ ମହାତ୍ମାଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିଲେ । ବର୍ଣ୍ଣ ବୈଷମ୍ୟ, ମାନବାଧିକାର , ବିକାଶ ବାଧକତା ଇତ୍ୟାଦି ସମସ୍ୟାର ସମାଧାନରେ ବିପୁଳ ଅଭିଜ୍ଞତା ଆହରଣ କରି ଆସିଥିବା ଗାନ୍ଧିଙ୍କ ନେତୃତ୍ୱରେ ଦେଶର ସ୍ୱାଧୀନତା ସମ୍ଭବ ହୋଇଥିଲା । ସେହିପରି ପ୍ରବାସୀ ଭାରତୀୟମାନେ ସେମାନଙ୍କର ଅନୁଭବ ଓ ଅଭିଜ୍ଞତା ଆଧାରରେ ଏକ ବିକଶିତ ଭାରତର ନିର୍ମାଣରେ ଅଂଶୀଦାର ହୋଇପାରିବେ ।
ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା କହିଲେ ଯେ, ଏହି ସମ୍ମିଳନୀ ଦେଶର ଯୁବଗୋଷ୍ଟୀଙ୍କ ମଧ୍ୟରେ ବୈଷୟିକ ଜ୍ଞାନ କୌଶଳ ସାଙ୍ଗକୁ ପୋଷଣୀୟ ବିକାଶ ଲକ୍ଷ୍ୟର ଉପାଦାନଗୁଡ଼ିକର ବିସ୍ତାରପୂର୍ବକ ବିକଶିତ ଭାରତର ରୋଡମ୍ୟାପକୁ ସମ୍ପୂର୍ଣ୍ଣ ରୂପାୟିତ କରିବ ।
ନ୍ୟୁଜ୍ ଓ୍ୱିକ୍ (ଆମେରିକା)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାରତୀୟ ବଂଶୋଦ୍ଭବ ଡଃ. ପ୍ରଗଡ ନିଜ ସଫଳ ଯାତ୍ରା ସଂପର୍କରେ ଉଲ୍ଲେଖ କରି ତାଙ୍କ ସଂଗଠନ ଅନେକ ସୋପାନ, ନେତୃତ୍ୱ ଓ ଡିଜିଡାଲ ଅଭିନବତ୍ୱ ଗ୍ରହଣ କରି ଆଜି ବିଶ୍ୱର ଅନ୍ୟତମ ବହୁଳ ପ୍ରସାରିତ ପ୍ରକାଶନ ସଂସ୍ଥା ଭାବରେ ଆଦୃତି ଅର୍ଜନ କରିଛି ବୋଲି କହିଥିଲେ । ପ୍ରବାସୀ ଭାରତୀୟ ଦିବସ ଆୟୋଜନ, ଭାରତ ଓ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସଂପର୍କର ସେତୁକୁ ଦୃଢ କରିଛି ବୋଲି ସେ ପ୍ରକାଶ କରିଥିଲେ । ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖାଡସେ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ପ୍ରବାସୀ ଭାରତୀୟ, ବିଭିନ୍ନ ରଜ୍ୟରୁ ଆଗତ ବୁଦ୍ଧିଜୀବୀ, ଗବେଷକ, ସାମାଜିକ କର୍ମୀ ଓ ଉଦ୍ୟୋଗୀବୃନ୍ଦ ସମବେତ ହୋଇଥିଲେ ।