ସମ୍ବଲପୁର- ଗତ ଶନିବାର ବିଳମ୍ବିତ ରାତିରେ ସମ୍ବଲପୁରରେ ଏକ ହାଇୱା ଧକ୍କାରେ ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିଲା । ତେବେ ତାହା ଦୁର୍ଘଟଣା ନୁହେଁ, ବରଂ ହାଇୱା ଡ୍ରାଇଭର ଜାଣିଶୁଣି କାର୍ କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଛି । ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ହଟିବ ଏବଂ ଏହି ହତ୍ୟାକାଣ୍ଡ ପଛରେ କେଉଁମାନେ ଅଛନ୍ତି ତଥା ସେମାନଙ୍କ ଉଦ୍ଦେଶ୍ୟ କ’ଣ ତାହା ସର୍ବସମ୍ମୁଖକୁ ଆସିବ ବୋଲି କହିଛନ୍ତି ଏସପି ମୁକେଶ କୁମାର ଭାମୁ ।
ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଏସପି ଶ୍ରୀ ଭାମୁ କହିଛନ୍ତି ଯେ, ଉଦ୍ଦେଶ୍ୟମୂଳକ ଭାବେ ଏହି ଦୁର୍ଘଟଣା ଘଟାଯାଇଛି । ହାଇୱା ଡ୍ରାଇଭର ଜାଣିଶୁଣି କାର୍ କୁ ପିଟିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି । ଡ୍ରାଇଭର ନାମରେ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି । ପଚରାଉଚରା ସମୟରେ ହାଇୱା ଡ୍ରାଇଭର କଥା ବଦଳାଉଛି । ଏନେଇ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ ଚାଲିଥିବା ବେଳେ ତାର କିଛି ସହଯୋଗୀଙ୍କୁ ପଚରାଉଚରା କରାଯାଇଛି । ତେବେ ଦୁର୍ଘଟଣା ସମୟରେ ହାଇୱାରେ ଡ୍ରାଇଭର ଏକା ଥିଲା ।
ପ୍ରକାଶ ଥାଉକି, ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଂଟାପାଲି ଓଭରବ୍ରିଜ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କାର୍ କୁ ହାଇୱା ଧକ୍କା ଦେବାରୁ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିଲେ । ମୃତକ ଦ୍ୱୟ ହେଲେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ (୫୭) ଓ କର୍ଡୋଲା ପଂଚାୟତର ପୂର୍ବତନ ସରପଂଚ ମୁରଲୀଧର ଛୁରିଆ (୫୮) । ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ । ସେମାନେ ଟ୍ରେନ୍ ଯୋଗେ ସମ୍ବଲପୁର ଫେରିଥିବା ବେଳେ ଗାଁକୁ ଫେରିବା ପାଇଁ ସେମାନେ କାର୍ ମଗାଇଥିଲେ । ମୁରଲୀଧରଙ୍କ ଘରୁ କାର୍ ଆସିଥିଲା । ସେମାନେ ବିଳମ୍ବିତ ରାତିରେ କାର୍ ଯୋଗେ ଘରକୁ ଫେରୁଥିବା ବେଳେ କଂଟାପାଲି ଓଭରବ୍ରିଜ ନିକଟରେ ଏକ ହାଇୱା ସେମାନଙ୍କ କାର୍ କୁ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦେବେନ୍ଦ୍ର ଓ ମୁରଲୀଧରଙ୍କ ମୃତ୍ୟୁ ଘଟିଥିଲା । ଡ୍ରାଇଭର ସମେତ ୪ ଜଣ ଆହତ ହୋଇଥିଲେ । ବର୍ତମାନ ସେମାନେ ଚିକିତ୍ସାଧିନ ଅଛନ୍ତି । ପୁଲିସ ହାଇୱାଟିକୁ ଜବତ କରିଛି । ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ।