-
ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀର ପ୍ରୋତ୍ସାହନ ପାଇଁ ଆମ ସରକାର ଅଙ୍ଗୀକାରବଦ୍ଧ: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, କୃଷି ଓଡ଼ିଶା-୨୦୨୫ ଆଜି ଉଦ୍ଯାପିତ ହୋଇଯାଇଛି । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆଠାରେ ଚାଲିଥିବା ତିନି ଦିନିଆ କୃଷି ଓଡ଼ିଶା-୨୦୨୫ର ଉଦ୍ଯାପନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଥିଲେ, ଓଡ଼ିଶାର କୃଷି ଭବିଷ୍ୟତକୁ କୃଷି ଓଡ଼ିଶା-୨୦୨୫ ଅଧିକ ଋଦ୍ଧିମନ୍ତ କରିବ । ସଶକ୍ତ, ସହନଶୀଳ ଓ ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀର ପ୍ରୋତ୍ସାହନ ପାଇଁ ଆମ ସରକାର ଅଙ୍ଗୀକାରବଦ୍ଧ ।
ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ସମାରୋହକୁ ସମ୍ବୋଧିତ କରି କହିଥିଲେ, ଜଳବାୟୁ ସହନୀୟ କୃଷି ପ୍ରଣାଳୀ ସମ୍ପ୍ରତି ଏକ ବୈଶ୍ୱିକ ଆହ୍ୱାନ । ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଆମର ପ୍ରୟାସ ନିଶ୍ଚିତରୂପେ ଆଗାମୀ ଦିନରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ । ଏହି ଅବସରରେ କୃଷିଜାତ ଉତ୍ପାଦକୁ ଅନ୍ତର୍ଜାତୀୟ ସ୍ତରରେ ପହଂଚାଇବା ଲକ୍ଷ୍ୟ ନେଇ ଉଦ୍ୟାନ କୃଷି ବିଭାଗ ସହ ୧୧ ଗୋଟି ସଂସ୍ଥା ବୁଝାମଣାପତ୍ର ସ୍ୱାକ୍ଷରିତ କରିଥିଲେ ।
କେନ୍ଦୁଝରର ସଫଳ ଚାଷୀ ସୁଦର୍ଶନ ମହାନ୍ତି ନିଜର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ ।
ଏହି ଅବସରରେ ସଫଳ ଚାଷୀ, ବକ୍ତୃତା, ଗଳ୍ପପଠନ, କବିତା ଆବୃତ୍ତି, କୁଇଜ୍ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ଶ୍ରେଷ୍ଠ ଷ୍ଟଲ୍ ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରାଯାଇଥିଲା । ସରକାରୀ ଷ୍ଟଲ ବର୍ଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ପୁରସ୍କୃତ ହୋଇଥିଲା ।
ଉଦ୍ଯାପନୀ ଉତ୍ସବରେ ପ୍ରାଣୀ ପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶକ ରାମାଶିଷ ହାଜିରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ତିନିଦିନିଆ ସମାବେଶରେ କୃଷକ, କୃଷି ବିଶେଷଜ୍ଞ, ବୈଜ୍ଞାନିକ, ବୁଦ୍ଧିଜୀବୀ, ଉଦ୍ୟୋଗୀ, କୃଷି ଉତ୍ପାଦକ ସଂଘର କର୍ମକର୍ତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଓ ଆନୁଷଙ୍ଗିକ ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ବିଶେଷଜ୍ଞମାନେ ଉପସ୍ଥିତ ରହି ବିଭିନ୍ନ ପର୍ଯ୍ୟାୟଭିତ୍ତିକ ଆଲୋଚନାରେ କୃଷକମାନଙ୍କୁ ଉନ୍ନତ କୃଷି ପ୍ରଣାଳୀ, ବିପଣନ, ବୈଷୟିକ ଉପଯୋଗିତା ଆଦି ଉପରେ ପରାମର୍ଶ ପ୍ରଦାନ କରିଥିଲେ ।