ମାଲକାନଗିରି, ମାଲକାନଗିରି ଆଇଟିଡିଏ ରେ ଲେମନଗ୍ରାସ ମହା ଦୁର୍ନୀତି ପରେ ଏବେ ଟେଣ୍ଡର ଫିକ୍ସିଂ! ନିର୍ଦ୍ଦିଷ୍ଟ କିଛି ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କାର ଟେଣ୍ଡର ଦିଆଯାଇଥିବା ଅଭିଯୋଗ ହୋଇଛି। ଟେଣ୍ତର ପ୍ରକ୍ରିୟାରୁ ବାଦ ପଡ଼ିଥିବା ଠିକାଦାର ଏଭଳି ଅଭିଯୋଗ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତୀ ବିଭାଗରେ ନାନା ଦୁର୍ନୀତି ଅଭିଯୋଗ ନେଇ ବହୁ ବଡବଡିଆ ସିବିଆଇର ସ୍କାନାରରେ ରହିଛନ୍ତି।ଆଉ ଏବେ ମାଲକାନଗିରି ଆଇଟିଡିଏରେ ଟେଣ୍ଡର ଫିକ୍ସିଂ ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟରେ ଛାତ୍ର ନିବାସ ନିର୍ମାଣ ଲାଗି ୨୦୨୪ ଅକ୍ଟୋବର ୨୪ରେ ଟେଣ୍ଡର ଡକା ଯାଇଥିଲା। ୫୦ ଶଜ୍ୟା ବିଶିଷ୍ଟ ୩୪ଟି ଛାତ୍ରାବାସ ନିର୍ମାଣ କାମ ପାଇଁ ଆବେଦନ କରିଥିଲେ ଠିକାଦାର। ୫୩ କୋଟି ଟଙ୍କାର କାମ ପାଇଁ କାଗଜପତ୍ର ଠିକ୍ ନଥିବା ଠିକାଦାରଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି। ଏମିତି ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଟେଣ୍ଡର ପ୍ରକ୍ରିୟାରୁ ବାଦ ପଡ଼ିଥିବା ଦୁଇ ଯୁବ ଠିକାଦାର ସଂଜୟ ସରକାର ଓ ଅମିତ ବଲ୍। ଠିକାଦାର ସଂଜୟ ସରକାରଙ୍କ ଅଭିଯୋଗ ଅନୁସାରେ, ସତ୍ୟପାଠ ସହ ଇଲେକ୍ଟ୍ରିକାଲ ଲାଇସେନ୍ସ କ୍ରମିକ ସଂଖ୍ୟା ଓ ଲାଇସେନ୍ସର କିସମ ମେଳ ଖାଉ ନାହିଁ। ଏମିତି କି ବ୍ୟାଙ୍କ ଗ୍ୟାରେଣ୍ଟିର କାରଣ ମଧ୍ୟ ସ୍ପଷ୍ଟ କରାଯାଇନାହିଁ। ଏଭଳି ସ୍ଥିତିରେକିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ଟେଣ୍ଡର ସର୍ତରେ ପରିବର୍ତ୍ତନ ଲାଗି ବାରମ୍ବାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସେପଟେ ଟେଣ୍ଡର ପ୍ରକ୍ରିୟା ଅନୁଧ୍ୟାନ ଚାଲିଥିବା କହିଛନ୍ତି ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ।
ପୂର୍ବରୁ ଲେମନ ଗ୍ରାସ ମହାଦୁର୍ନୀତି ଅପବାଦ ମୁଣ୍ଡାଇ ଥିବା ମାଲକାନଗିରି ଆଇଟିଡିଏରେ ଟେଣ୍ଡର ଅନିୟମିତତା ଅଭିଯୋଗର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି!