-
ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର:ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କରିଛନ୍ତି ।
ସମ୍ପ୍ରତି ବଲାଙ୍ଗିର ଓ ସୋନପୁର ଜିଲ୍ଲାର ଗ୍ରାମାଞ୍ଚଳରେ ମୋଟ ୨୦ ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଚାଲୁଛି । ସେଥିରୁ ୧୪ଟି ଏବଂ ୬ ଟି ସୋନପୁରରେ ଚାଲୁଛି । ସେହିପରି, ଏହି ଦୁଇଟି ଜିଲ୍ଲାର ସହରାଞ୍ଚଳରେ ମୋଟ ୮ ଟି ପ୍ରକଳ୍ପ ଚାଲୁଛି ।
ରାଜ୍ୟ ସରକାର ସର୍ବଦା କୃଷକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଆସିଛନ୍ତି । ଏହି ସବୁ ପ୍ରକଳ୍ପ ଗୁଡ଼ିକ ଯଥାଶୀଘ୍ର ଶେଷ ହେଲେ ଉପରୋକ୍ତ ଦୁଇଟି ଜିଲ୍ଲାର ଚାଷ ଜମିକୁ ଜଳ ସେଚନ ସୁବିଧା ସହ ଜିଲ୍ଲାବାସୀଙ୍କ ପାନୀୟ ଜଳର ଅସୁବିଧା ଦୂର ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ତ୍ୱରାନିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ବିଭାଗୀୟ ଅଧିକାରୀମାନଙ୍କୁ ସହର ତଥା ଗ୍ରାମାଞ୍ଚଳକୁ ଯାଇ ପ୍ରତ୍ୟକ୍ଷ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷର ଶେଷ ସୁଦ୍ଧା ପ୍ରାୟ ସମସ୍ତ ପ୍ରକଳ୍ପ ଶେଷ ହେବ ବୋଲି ସମୀକ୍ଷାରୁ ଜଣା ପଡ଼ିଛି ।
ଏହି ସମୀକ୍ଷା ବୈଠକରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଏସ ଏନ ଗିରିଶ, ପାନୀୟ ଜଳ ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପର ଅଗ୍ରଗତି ଓ ବାସ୍ତବ ରୂପରେଖ ବାବଦରେ ସୂଚନା ପ୍ରଦାନ କରିଥିଲେ ।