ପୁରୀ- ରଥଯାତ୍ରା ନିମନ୍ତେ ଆଜି ଶ୍ରୀକ୍ଷେତ୍ରରେ ପହଂଚିଛି ରଥ କାଠ । ନୟାଗଡ଼ ବନଖଣ୍ଡରୁ ଆଜି ପ୍ରଥମ ପର୍ଯ୍ୟାୟରେ ଦୁଇଟି ରଥ କାଠ ବୋଝେଇ ଟ୍ରକ୍ ପୁରୀରେ ଆସି ପହଂଚିଛି । ଦୁଇଟି ଟ୍ରକ୍ ରେ ସମୁଦାୟ ୫୩ ଖଣ୍ଡ କାଠ ଆସିଛି । ଏଥିରୁ ୨୦ ଫୁଟିଆ ଅସନ କାଠ ଓ ଧଉରା କାଠ ୧୯ଟି ଏବଂ ୧୨ ଫୁଟିଆ ୩୪ଟି ଅସନ ଓ ଧଉରା କାଠ ରହିଛି ।
ଚଳିତ ବର୍ଷ ରଥଯାତ୍ରା ପାଇଁ ମୋଟ୍ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ୧୯୩ ଖଣ୍ଡ କାଠ ପୂର୍ବରୁ ସମିଲ୍ ଓ ରଥଖଳାରେ ବଳକା ରହିଛି । ଏଣୁ ଆଗାମୀ ରଥଯାତ୍ରା ପାଇଁ ୬୭୨ ଖଣ୍ଡ ଅସନ ଓ ଧଉରା ଓ ଶିମିଳି କାଠର ଆବଶ୍ୟକତା ରହିଛି । ଏ ସମସ୍ତ କାଠ ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଆସିବ । ଜାନୁଆରୀ ୩୦ ତାରିଖ ପବିତ୍ର ଶ୍ରୀପଂଚମୀ ଦିନ ରଥଖଳାରେ ତିନି ରଥ ନିମନ୍ତେ ତିନୋଟି ଅଖ କାଠ(୧୨ ଫୁଟିଆ ଧଉରା କାଠ)କୁ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯିବ । ପରେ ଅକ୍ଷୟ ତୃତୀୟା ଦିନ ବନଜାଗ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇ ରଥ ନିର୍ମାଣ ଶୁଭାରମ୍ଭ ହେବାର ବିଧି ରହିଛି ।