ପୁରୀ– ନବବର୍ଷ ପୂର୍ବରୁ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଆଜି ମଧ୍ୟ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ବଡ଼ଦାଣ୍ଡର ଟାଉନ୍ ଥାନା ନିକଟରୁ ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ରେ ଧାଡିରେ ଯାଇ ସିଂହଦ୍ୱାରରେ ପ୍ରବେଶ କରିବା ସହ ଶ୍ରୀଜୀଉଙ୍କ ଦର୍ଶନ ଓ ବେଢା ପରିକ୍ରମା କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । ଗତକାଲି ଭିଡ଼ ଯୋଗୁଁ ବାହାର କାଠ ନିକଟରେ ଠେଲାପେଲା ହୋଇ ୧୦ ଜଣ ଶ୍ରଦ୍ଧାଳୁ ଅସୁସ୍ଥ ହେବା ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇ ସଠିକ୍ ନୀତିନିର୍ଘଂଟ ଓ ଦର୍ଶନ ବ୍ୟବସ୍ଥାକୁ ଆଜି ଠାରୁ କଡ଼ାକଡ଼ି କରାଯାଇଛି । ଆସନ୍ତାକାଲି ନୂଆ ବର୍ଷରେ ମଧ୍ୟ ଏହି ବ୍ୟବସ୍ଥା ବଳବତର ରହିବ । ସହରର ବିଭିନ୍ନ ସ୍ଥାନରେ, ଶ୍ରୀମନ୍ଦିର ଭିତରେ ଓ ବାହାରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏଥିସହ ସିସିଟିଭି ବଳୟରେ ରହିଛି ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପର୍ଯ୍ୟଟକଙ୍କ ସୁରକ୍ଷା, ଟ୍ରାଫିକ ସୁପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ କୌଣସି ପ୍ରକାର ଅଘଟଣକୁ ରୋକିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Related Stories
January 5, 2025