ଜୟପୁର– ପାଞ୍ଚ ବର୍ଷ ହେଲା ସରୁନାହିଁ ପୋଲ ନିର୍ମାଣ, ଆପ୍ରୋଚ୍ ରୋଡ ନାହିଁ l ଫଳରେ ଗୋଟିଏ ପଟରୁ ଅନ୍ୟ ପଟକୁ ଯିବା ପାଇଁ କାଠ ସିଡ଼ି ସାଜିଛି ଏକ ମାତ୍ର ସାହାରା l ଏଠାରେ ଜୀବନ ବାଜିରେ ଲାଗୁଛି l ଏହି ସମସ୍ୟା ଭୋଗୁଛନ୍ତି ୩ ଟି ବ୍ଲକବାସି l କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଭୂଷାଙ୍ଗଗୁଡ଼ା ପଞ୍ଚାୟତ କଟାରୀପୁଟରେ ଏଭଳି ଦେଖିବାକୁ ମିଳିଛି l
ଜୟପୁର ଠାରୁ କୁନ୍ଦୁରାକୁ ସଂଯୋଗ କରିବା ପାଇଁ ୨୦୧୮,୧୯ ଆର୍ଥିକ ବର୍ଷରେ ଆରମ୍ଭ ହେଲା ପୋଲ ନିର୍ମାଣ କାର୍ଯ୍ୟ l କୁନ୍ଦୁରା ବ୍ଲକ ଭୂଷାଙ୍ଗଗୁଡ଼ା ପଞ୍ଚାୟତ କଟାରୀପୁଟ ନଦୀରେ ଏହି ପୋଲ ନିର୍ମାଣ ଆରମ୍ଭ ହେଲା l ଗମନାଗମନ ସୁବିଧା ହେବ ଭାବି ଖୁସି ଥିଲେ କୋଟପାଡ଼, କୁନ୍ଦୁରା ଏବଂ ଜୟପୁର ଅଂଚଳ ବାସି l କିନ୍ତୁ ଦୀର୍ଘ ବର୍ଷ ହେବ ଅଧପନ୍ତରିଆ ଅବସ୍ଥାରେ ରହିଛି ପୋଲ ନିର୍ମାଣ କାର୍ଯ୍ୟ l ଯାହାକୁ ନେଇ ଦୁଃଖ ବଢିଯାଇଛି l ଜୀବନକୁ ବିପଦକୁ ଠେଲି କାଠ ସିଡ଼ି ଚଢ଼ି ଯାତାୟାତ କରୁଛନ୍ତି ଅଞ୍ଚଳବାସୀ l ସାଇକେଲକୁ କାନ୍ଧରେ ବୋହିଁ ପୋଲ ପାର ହେବକୁ ପଡେ l ପୋଲ କାମ ପ୍ରାୟତଃ ସରିଥିବା ବେଳେ ଆପ୍ରୋଚ ରୋଡ ହୋଇ ନାହିଁ l ଯାହା ଦ୍ଵାରା କି ରାସ୍ତା ଠାରୁ ପ୍ରାୟ ୧୦,୧୫ ଫୁଟ୍ ଉଚ୍ଚତାରେ ରହିଛି ପୋଲ l ଏହି ପୋଲ ଦେଇ କୁନ୍ଦୁରା ବ୍ଲକର ରାଣୀଗୁଡ଼ା ଭୂଷାଙ୍ଗଗୁଡ଼ା ଓ ଡଙ୍ଗରପାଉଁଶି ପଞ୍ଚାୟତ ସମେତ କୋଟପାଡ଼ ଓ କୁନ୍ଦୁରା ଅଞ୍ଚଳର ଲୋକେ ଜୟପୁର ସଦରକୁ ଯାତାୟତ ପାଇଁ ସମ୍ପୂର୍ଣ ନିର୍ଭର କରନ୍ତି l ପୋଲ କାମ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ବହୁ ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଦୈନିକ ବଜାର ଓ ଅନ୍ୟ ସବୁ କାର୍ଯ୍ୟ ନିମନ୍ତେ ଜୟପୁର ମୁଖ୍ୟ ସଦର ଉପରେ ନିର୍ଭର କରନ୍ତି ଏ ଅଞ୍ଚଳବାସୀ I ଏହି ରାସ୍ତା ଦେଇ ଗଲେ ୧୮ କି ମି ପଡ଼ୁଥିବା ବେଳେ ବର୍ତ୍ତମାନ କଙ୍ଗା କିମ୍ବା କୁନ୍ଦୁରା ଦେଇ ଯିବାକୁ ପଡ଼ୁଛି l ସେ ପଟେ ଗଲେ ୪୫କି ମି ବୁଲିକି ଯିବାକୁ ପଡ଼ୁଛି I
କୁନ୍ଦୁରା ଓ ଜୟପୁର ବ୍ଲକର ଶେଷ ମୁଣ୍ଡରେ ଥିବା ଏହି ଗାଁ ଲୋକଙ୍କ ଚାଷ ଜମି ନଦୀର ଉଭୟ ପାର୍ଶ୍ୱରେ ରହିଅଛି l ପୋଲ କାର୍ଯ୍ୟ ଶେଷ ନ ହେବାରୁ ଚାଷୀ ମାନେ ନାହିଁ ନ ଥିବା ଅସୁବିଧା ଭୋଗୁ ଥିବା ଅଞ୍ଚଳବାସି ପ୍ରକାଶ କରିଛନ୍ତି l ଏ ଅଞ୍ଚଳର ପ୍ରତିଷ୍ଠିତ ବହୁ ପୁରାତନ ମହାଦେବ ମନ୍ଦିର ସଲପା ଠାରେ ରହିଅଛି, ସେହି ରାସ୍ତା ଦେଇ ମୋଟରସାଇକଲ୍ ଯାଇ ପାରିବ ନାହିଁ l ଅତି ଆବଶ୍ୟକ ସ୍ଥଳେ ଆରପଟ ଗାଁ ରେ କିଛି ଜରୁରୀ କାମ ପଡ଼େ ତେବେ ବାଧ୍ୟ ହୋଇ ଯିବାକୁ ପଡ଼େ l ସେଥିପାଇଁ ପ୍ରାୟ ଦଶ ଫୁଟ ଲମ୍ବା ର ଏକ ନିଶୁଣି ତିଆରି କରିଛନ୍ତି l ଯେଉଁଥିରେ କି ବୟସ୍କ ଲୋକ ଯାଇପାରିବେ ନାହିଁ l ପୂର୍ବରୁ ସେଠାର ଡଙ୍ଗା ଚାଲୁଥିଲା ପୋଲ କାମ ଆରମ୍ଭ ହେବା ପରେ ତାହା ବି ବନ୍ଦ ହୋଇଗଲା l ଦୁଇ ଜଣ ହେଲେ ଦଶ ଫୁଟ ଉପରେ ଟେକି ସାଇକେଲ ପାର କରନ୍ତି l ପାଦ ଚଲା ଲୋକ ଏହି ନିଶୁଣି ଚଡ଼ି ବହୁ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରନ୍ତି l ସେଠାର ଅନେକ ଥର ପଡ଼ି ଆହତ ହେଲେଣି l ବର୍ତ୍ତମାନ ମଧ୍ୟ ପୋଲ କାମ ବନ୍ଦ ଅଛି,ହେବାର କିଛି ସୂଚନା ବି ନାହିଁ l ସୂଚନା ଫଳକ ବି ଖତ ଖାଇଗଲାଣି I ତେବେ ଏ ନେଇ ଅଞ୍ଚଳ ବାସୀ ସ୍ଥାନୀୟ ବିଡ଼ିଓ ଠାରୁ ଆରମ୍ବ କରି ଜିଲ୍ଲାପାଳ ଏବଂ ବିଧାୟକ ସାଂସଦ ସମସ୍ତଙ୍କୁ ବହୁବାର ଲିଖିତ ଅଭିଯୋଗ କରିଆସୁଛନ୍ତି ତଥାପି କୌଣସି ସୁଫଳ ମିଳୁନାହିଁ l ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ରାସ୍ତା ପୋଲ ସମ୍ପୂର୍ଣ୍ଣ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ l