ଚଣ୍ଡିଗଡ – ପଂଜାବରେ ଚାଷୀ ଓ ଅନ୍ୟ ସଙ୍ଗଠନର ଆହ୍ୱାନ କ୍ରମେ ସୋମବାର ସକାଳେ ରାଜ୍ୟ ବ୍ୟାପୀ ବନ୍ଦ ପାଳନ ହୋଇଛି । ରାଜ୍ୟର କିଛି ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଚାଷୀମାନେ ଫସଲ ଓ ଏମଏସପିର ଗ୍ୟାରେଂଟି ଆଇନ ସମେତ ଅନେକ ଦାବିକୁ ନେଇ ଆନ୍ଦୋଳନ କରୁଛନ୍ତି । ଚାଷୀ ସଙ୍ଗଠନ ଦ୍ୱାରା ଅମୃତସର-ଦିଲ୍ଲୀ ଓ ଜଳନ୍ଧର-ଦିଲ୍ଲୀ ନ୍ୟାସନାଲ ହାଇୱେରେ ଧାରଣା ଦେବା ଆରମ୍ଭ କରିଛନ୍ତି ।
ଚଣ୍ଡିଗଡ-ଦିଲ୍ଲୀ ରାସ୍ତାରେ ପଂଜାବର ଡେରାବସ୍ତି ତଥା ହରିୟାଣାର ଅମ୍ବାଲାରୁ ହିଁ ଗାଡିକୁ ଡାଇଭର୍ଟ କରିଦିଆଯାଇଛି । ପଂଜାବ ରୋଡୱେଜ କର୍ମଚାରୀ ସଂଘ ବି ଚାଷୀଙ୍କୁ ସମର୍ଥନ ଦେଇ ବସ ବନ୍ଦ କରିଦେଇଛନ୍ତି । ପଟିୟାଲା, ବଠିଣ୍ଡା, ସଙ୍ଗରୁର, ଜଳନ୍ଧର ଓ ଲୁଧିଆନା ଆଦି ସହରରୁ ସରକାରୀ ବସ ବସଷ୍ଟେଣ୍ଡରୁ ବାହାରିନାହିଁ ।ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି ।
ପଂଜାବର କିଛି ସ୍ଥାନରେ ଚାଷୀମାନେ ରେଳ ଟ୍ରାକରେ ବସିଛନ୍ତି । ଫଳରେ ରାଜ୍ୟରେ 52ଟି ଟ୍ରେନ ରଦ୍ଦ କରିଦିଆଯାଇଛି । ସେହିପରି 22ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି ।