ଭୁବନେଶ୍ୱର,ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଏହାର ନିରାକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେଇ ସାରା ବିଶ୍ୱରେ ଭାରତକୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ
କରିଛନ୍ତି । ଏହି କ୍ରମରେ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ବୃକ୍ଷରୋପଣକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବା ସହ ନୂଆବର୍ଷ ଅବସରରେ ‘ଫୁଲଟିଏ ବଦଳରେ ଗଛଟିଏ’ ଉପହାର ଦେବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ପୂର୍ତ୍ତ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକରେ ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ମଧ୍ୟ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ ।
ଆଜି ବକୁଳ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ‘ଫୁଲ ବଦଳରେ ଗଛଟିଏ’ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ପରିବେଶ ପାଇଁ ଗଛଟିଏର ପ୍ରମୁଖ ଭୂମିକା ରହିଛି । ଆଜିକାଲି ରାସ୍ତା ପ୍ରଶସ୍ତିକରଣ ଏବଂ ବିଭିନ୍ନ ଉନ୍ନତିକରଣ ନାମରେ ଅନେକ ବଡ଼ ବଡ଼ ଗଛକୁ କଟା ଯାଉଛି । ତେଣୁ, ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରି ପୁରୁଣା ଗଛକୁ କିପରି ଅନ୍ୟତ୍ର ସ୍ଥାନାନ୍ତରିତ କରିହେବ ସେଥି ପାଇଁ ସରକାର ଚିନ୍ତା କରୁଛନ୍ତି । ତେଣୁ ନୂଆବର୍ଷରେ ଫୁଲଟିଏ ବଦଳରେ ଗଛଟିଏ ଉପହାର ପ୍ରଦାନ କଲେ ଏହା ପରିବେଶର ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଅନୁରୂପ ଭାବେ ନୂଆବର୍ଷ ଅବସରରେ ‘ଫୁଲଟିଏ ବଦଳରେ ଗଛଟିଏ’ ଉପହାର ଦେବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ବକୁଳ ଫାଉଣ୍ଡେସନ୍ର କର୍ମକର୍ତ୍ତା, ବୁଦ୍ଧିଜୀବୀ ଏବଂ ପ୍ରକୃତିପ୍ରେମୀ ଉପସ୍ଥିତ ଥିଲେ ।
Related Stories
December 28, 2024