ପୁରୀ– ନୂଆବର୍ଷରେ ପୁରୀରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ଏସପି ବିନୀତ ଅଗ୍ରୱାଲ । ଏନେଇ ଅଧିକ ସୂଚନା ଦେଇ ଏସପି କହିଛନ୍ତି ଯେ, ସହରର ବିଭିନ୍ନ ସ୍ଥାନରେ, ଶ୍ରୀମନ୍ଦିର ଭିତରେ ଓ ବାହାରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ସିସିଟିଭି ବଳୟରେ ରହିବ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପର୍ଯ୍ୟଟକଙ୍କ ସୁରକ୍ଷା, ଟ୍ରାଫିକ ସୁପରିଚାଳନାକୁ ଗୁରୁତ୍ୱ ଦିଆଯିବ ।
ସମୁଦ୍ର କୂଳରେ ଅଘଟଣ ରୋକିବାକୁ ମୁତୟନ ହେବେ ଲାଇଫ ଗାର୍ଡ । ଡିସେମ୍ବର ୩୧ରୁ ଜାନୁଆରୀ ୧ ତାରିଖ ଯାଏ ଏହି କଟକଣା ବଳବତର ରହିବ । ପୁରୀର ମୁଖ୍ୟ ପ୍ରବେଶ ପଥରେ ଚେକିଂକୁ କଡ଼ାକଡ଼ି କରାଯିବ । ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନ ଜେଲ୍ ରୋଡ ପାର୍କିଂରେ, କୋଣାର୍କରୁ ଆସୁଥିବା ଚାରିଚକିଆ ତାଳବଣିଆ ପାର୍କିଂରେ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରିକା ପାର୍କିଂରେ ରହିବ । ମେଡିକାଲ୍ ଛକ ଠାରୁ ଶ୍ରୀମନ୍ଦିର ଓ ବେଳାଭୂମି ପର୍ଯ୍ୟନ୍ତ କୌଣସି ଚାରିଚକିଆ ଯାନ ଯାତାୟାତ କରିବ ନାହିଁ । ମାର୍କେଟ ଛକ ଠାରୁ ହେବ ନୋ ଭେଇକିଲ ଜୋନ୍ । ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନର ସୁବ୍ୟବସ୍ଥା କରାଯିବ । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯିବ । ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ଉପରେ ତୀକ୍ଷ୍ନ ନଜର ରଖାଯିବ ବୋଲି ଏସପି ଶ୍ରୀ ଅଗ୍ରୱାଲ କହିଛନ୍ତି ।
Related Stories
December 28, 2024