ବଲାଙ୍ଗିର– ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଭୀମପାହାଡ଼ । ଏହି ପାହଡ଼ରେ ଆଦିମ କାଳରୁ ଥିବା ଅନେକ ଐତିହାସିକ କିମ୍ବଦନ୍ତୀ ରହିଛି । ଇଂରେଜମାନଙ୍କ ସହ ଲଢେ଼ଇ କରିବା ପାଇଁ ଦରକାର ପଡ଼ୁଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଏଠି ଦେଖିବାକୁ ମିଳିଛି । ରାଜ୍ୟ ସରକାର ପର୍ଯ୍ୟଟସ୍ଥଳୀର ମାନ୍ୟତା ଦେଇଥିବା ବେଳେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ନିଜ ଅଧୀନକୁ ନେଇ ଗବେଷଣା କଲେ ଅନେକ ଲୁଚି ରହିଥିବା ତଥ୍ୟ ସାମ୍ନାକୁ ଆସିବ । ଭାରତ ଗସ୍ତରେ ଆସିଥିବା ଜର୍ମାନୀ ବାସିନ୍ଦା ଆୟରଲାଣ୍ଡ ୟୁନିଭରିସିଟିର ପ୍ରତ୍ନତତ୍ତ୍ୱବିଦ୍ ପ୍ରଫେସର ଡ. ଲିଡ଼ିଆ ଗୁଜି ଓ ତାଙ୍କ ସ୍ଵାମୀ ନିକୋଲାସ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକରେ ଥିବା ଭୀମଡ଼ୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀକୁ ଆସି ପାହାଡ଼ ଉପରେ ଥିବା ୬୪ ଗୁମ୍ଫା ସହ ଆଦିମ ଯୁଗର ଅସ୍ତ୍ରଶସ୍ତ୍ରକୁ ଦେଖିବା ପରେ କୁମୁରିଆ ଗାଁକୁ ଯାଇ କନ୍ଧ ଆଦିବାସୀମାନଙ୍କ ସହ ଶୁଲିଆ ଯାତ୍ରା ବିଷୟରେ ପଚାରି ବୁଝିଥିଲେ । ଡ. ଗୁଜି ପାହାଡ଼ ଚାରିପଟରେ ତନ୍ନ ତନ୍ନ ଦେଖିବା ପରେ ଜାଣିବାକୁ ପାଇଛନ୍ତି ଯେ, ଏଠାରେ ଆଦିମ ଯୁଗର ଶିଳାର ଅସ୍ତ୍ର ଓ ଲୁହାର ତୀର ରହିଛି । ଆଦିବାସୀଙ୍କ ଜୀବନ ଶୈଳୀକୁ ନେଇ ରହିଛି ଅନେକ ଇତିହାସ ସହ ବଡ଼ ବଡ଼ ଗୁମ୍ଫା । ଯୁଗ ଯୁଗର ଇତିହାସକୁ ନେଇ ଗବେଷଣା କରିବାକୁ ଭାରତ ସରକାରଙ୍କୁ ନିବେଦନ କରିବି, ଏଠାକୁ ଆସି ବହୁତ ଖୁସି ଲାଗିଲା ବୋଲି ପ୍ରଫେସର ଡ. ଗୁଜି ମତ ପ୍ରକାଶ କରିଛନ୍ତି । ଏହାପରେ ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟି ବଲାଙ୍ଗିର ଜିଲ୍ଲାର ରାଣୀପୁର ଝରିଆଲ, ହରିଶଙ୍କର, ଚାନ୍ଦଲି ପାହାଡ଼, ଭୀମପାହାଡ଼ ଓ ଶୁଲିଆ ପୀଠରେ କିମ୍ବଦନ୍ତୀ ଭରପୁର ହୋଇରହିଛି । ଏହାର ବିକାଶ ପାଇଁ ଅନୁରୋଧ କରିଥିବା ବେଳେ ବଲାଙ୍ଗିର ଜିଲ୍ଲାର ବିକାଶରେ ସହଯୋଗ କରିବା ପାଇଁ ଜର୍ମାନୀ ମହିଳା ଡ. ଗୁଜିଙ୍କୁ ମଧ୍ୟ ଜିଲ୍ଲାପାଳ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।
ଏହି ଗସ୍ତରେ ପତ୍ନତତ୍ତ୍ୱବିଦ୍ ସାଲେଗ୍ରାମ ହୋତା, ସୁରେନ୍ଦ୍ର ସାହୁ, ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ବିଜେଡି ବ୍ଲକ ଯୁବ ସଭାପତି ଶୈଳେନ୍ଦ୍ର ସାହୁ, ଭୀମପାହାଡ଼ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର, ଗୋବର୍ଦ୍ଧନ ସାହୁ, ସୁନୀଲ ମେହେରଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।