ସମ୍ବଲପୁର– ପଶ୍ଚିମ ଓଡିଶା ବିକାଶ ପରିଷଦ ୧୧ ନଭେମ୍ବର, ୧୯୯୮ ମସିହାରେ ଆରମ୍ଭ ହୋଇଥିଲା । ଆଂଚଳିକ ତାରତାମ୍ୟ ଦୂର କରିବା ଲକ୍ଷ୍ୟରେ ବିକାଶ ପରିଷଦ ଗଠନ ହୋଇଥିଲା । ଇତିମଧ୍ୟରେ ଏହା ୨୫ ବର୍ଷ ଅତିକ୍ରାନ୍ତ କରିସାରିଛି । ମାତ୍ର ଯେଉଁ ଆଶା ନେଇ ଏହା ଗଠନ ହୋଇଥିଲା ତାହା ପୂରଣ ହୋଇପାରିନାହିଁ । ବିକାଶ ପରିଷଦ କେବଳ ଅଧିକାରୀ ଓ ନେତାଙ୍କ ଥଇଥାନ କେନ୍ଦ୍ର ପାଲଟିଛି । ଏଭଳି ସ୍ଥଳେ ଗତ ନିର୍ବାଚନରେ ପରାଜୟ ବରଣ କରିଥିବା ବିଜେପି ନେତା ମାନେ ଏହି ପଦ ଅଳଙ୍କୃତ କରିବେ ବୋଲି ଆଶାବାନ୍ଧି ବସିଛନ୍ତି । ଦୌଡ଼ରେ ପଶ୍ଚିମ ଓଡିଶାର ଅଧିକାଂଶ ପରାଜିତ ନେତା ଥିବାବେଳେ ସେମାନେ ଏକ ପ୍ରକାର ଲବି ଆରମ୍ଭ କରି ଦେଇଛନ୍ତି ।
ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଶାସନ କରୁଛି । ଦୀର୍ଘ ବର୍ଷ ଶାସନ କରିଥିବା ବିଜେଡି ସରକାର ହଟିଛି । ଫଳରେ ବିଭିନ୍ନ ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ୟକ୍ଷ ପଦବୀରୁ ସବୁ ବିଜେଡି ନେତାଙ୍କୁ ବିଦା ହେବାକୁ ପଡିଛି । ଏହା ପୂର୍ବରୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଗତ ୧୭ ଅଗଷ୍ଟ, ୨୦୨୪ରେ ନିଜେ ଇସ୍ତଫା ଦେଇଥିଲେ । ସୁବାସ ଚୌହାନଙ୍କ ଅକାଳ ବିୟୋଗ ପରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଗତ ୨୬ ଡିସେମ୍ବର, ୨୦୨୦ରେ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ପର୍ଯ୍ୟଟନ, ଗମନାଗମନର ବିକାଶ ଏବଂ ବିଭିନ୍ନ ବ୍ଲକରେ ଗୋଷ୍ଠୀ କଲ୍ୟାଣ କେନ୍ଦ୍ର ମାନ ଗଠନ ପାଇଁ ସେ ପଦକ୍ଷେପ ନେଇଥିଲେ । ଏଥିସହ ଆଭ୍ୟନ୍ତରୀଣ ଅଂଚଳର କିଛି ଶିକ୍ଷାନୁଷ୍ଠାନ ଗୁଡିକର ଭିତିଭୂମି ବିକାଶ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା । ସରକାର ଗଠନର ୬ ମାସ ପରେ ମଧ୍ୟ ଏହି ମର୍ଯ୍ୟଦାପୂର୍ଣ୍ଣ ବିକାଶ ପରିଷଦ ଅଧ୍ୟକ୍ଷ ଆସନ ଖାଲି ପଡିଛି । ସେହିପରି ଏହାର ଅନେକ ଉପଦେଷ୍ଟା ପଦବୀ ଗୁଡିକ ମଧ୍ୟ ସେହି ଅବସ୍ଥାରେ ପଡି ରହିଛି ।
ପରିଷଦ ଗଠନ ପରେ ପ୍ରଫୁଲ୍ଲ ଘଡେଇଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ସେହି କମିଟି ଅର୍ଥନୈତିକ ସ୍ଥିତି ସହ ବିଭିନ୍ନ ମାନଦଣ୍ଡକୁ ନେଇ ତାଙ୍କ ରିପୋର୍ଟରେ ଦର୍ଶାଇଥିଲା । ଏଥିରେ ପଛୁଆ ବ୍ଲକ ଗୁଡିକର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ରହିଥିଲା । ସେହି ରିପୋର୍ଟର ପ୍ରାୟ ୨ ଦଶନ୍ଧି ପରେ ମଧ୍ୟ ବିକାଶ ପରିଷଦ ପଛୁଆ ବ୍ଲକଗୁଡିକର ସାମଗ୍ରିକ ବିକାଶ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହେଉଛି । କଂଗ୍ରେସ ସରକାର ସମୟରେ ଏହି ବିକାଶ ପରିଷଦ ଗଠିତ ହୋଇଥିଲା । ଏହି ସମୟରେ ବିଜେଡି ଓ ବିଜେପି ବିକାଶ ପରିଷଦକୁ ସ୍ୱୟଂଶାସିତ ମର୍ଯ୍ୟାଦା ଦେବା ଏବଂ ନିର୍ବାଚିତ ପ୍ରତିନିଧି ମୂଳକ କରିବା ପାଇଁ ଦାବି କରି ଆନ୍ଦୋଳନ କରିଥିଲେ । ତେବେ ଉଭୟ ଦଳ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଶାସନରେ ଥିବାବେଳେ ତାଙ୍କ ପୂର୍ବ ଦାବି ଉପରେ ଏକ ପ୍ରକାର ନୀବରତା ଅବଲମ୍ବନ କରିଥିଲେ । ବିଭିନ୍ନ ସମୟରେ ରାଜ୍ୟ ସରକାର ପରିଷଦ ପାଇଁ ପାଣ୍ଠି ବୃଦ୍ଧି କରିଛନ୍ତି । ମାତ୍ର ତାହା ପର୍ଯ୍ୟାପ୍ତ ନୁହେଁ । ନରସିଂହ ମିଶ୍ର, ଅଇଁଠୁ ସାହୁ, ପଦ୍ମିନୀ ଶେଖର ଦେଓ , ନିରଞ୍ଜନ ପଣ୍ଡା, କିଶୋର ମହାନ୍ତି, ସୁବାସ ଚୌହାନ ଓ ଅସୀତ ତ୍ରିପାଠୀ ଭଳି ବିଶିଷ୍ଟ ବ୍ୟକ୍ତି ବିଶେଷ ଏହାର ଅଧ୍ୟକ୍ଷ ହୋଇଛନ୍ତି । ହେଲେ ଗଠନ ପର ଠାରୁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧନରେ ବିକାଶ ପରିଷଦ କେତେ ଦୂର ସକ୍ଷମ ହୋଇଛି ତାହା କାହାରିକୁ ଅଛପା ନାହିଁ । ପଶ୍ଚିମ ଓଡିଶାର ମୁଖ୍ୟାଳୟ ତାର କାର୍ଯ୍ୟକ୍ଷେତ୍ରର ପରିସୀମାରେ ରହିବା ଉଚିତ୍ । ତାହା ମଧ୍ୟ ଅପୂରଣୀୟ ହୋଇ ରହିଛି । ଏ ସମ୍ପର୍କରେ ରାଜ୍ୟ ସରକାର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ।
Related Stories
December 28, 2024