କେନ୍ଦୁଝର, କେନ୍ଦୁୁଝର କାଳୀ ପଡିଆ ଏବଂ କେନ୍ଦୁଝର ଷ୍ଟାଡିୟମଠାରେ ଗତ ୧୮ ତାରିଖଠାରୁ ଆରମ୍ଭ ହୋଇଥିବା ଗୋନାସିକା କେନ୍ଦୁଝର ମହୋତ୍ସବ ଏବଂ ଜିଲ୍ଲାରେ ପ୍ରଥମକରି ଆୟୋଜିତ ଆଂଚଳିକ ସରସ ମେଳା ମଧ୍ୟରୁ ଗୋନାସିକା କେନ୍ଦୁଝର ମହୋତ୍ସବ ଗତ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋନାସିକା ମହୋତ୍ସବ ସହିତ ଆଂଚଳିକ ସରସ ମେଳାକୁ ଗତ ୧୮ ତାରିଖ ସନ୍ଧ୍ୟାରେ ଉଦ୍ଘାଟନ କରିଥିଲେ । ଆଂଚଳିକ ସରସମେଳା ଦୁଇଦିନ ବୃଦ୍ଧି ପାଇ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ବୁଧବାର ଏହା ଅଷ୍ଠମ ଦିନରେ ପହଁଚିଛି । ମଝିରେ ଲଘୁଚାପଜନିତ ବର୍ଷା କାରଣରୁ ସରସ ମେଳାକୁ ଆସିଥିବା ଜିଲ୍ଲା ତଥା ଜିଲ୍ଲା ବାହାର ଏବଂ ବିଭିନ୍ନ ରାଜ୍ୟର ହସ୍ତଶିଳ୍ପୀମାନଙ୍କ କାରବାର ସାମାନ୍ୟ ଧିମା ଥିଲେ ମଧ୍ୟ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ 2କୋଟି ଟଙ୍କାର କାରବାର କରିସାରିଥିବା ଓରମାସ ସୂତ୍ରରୁ ସୂଚନା ମିଳିଛି ।ଯାହାକି କେନ୍ଦୁଝର ପାଇଁ ନୂତନ ରେକର୍ଡ ହେବ | ସରସ ମେଳା ଶେଷ ପର୍ଯ୍ୟନ୍ତ କାରବାର 3 କୋଟି ଟପିବ ବୋଲି ଅନୁମାନ କରାଯାଉଛି. I ସରସ ମେଳା ଦୁଇଦିନ ବୃଦ୍ଧି ପାଇ ଆହୁରି 4 ଦିନ ପର୍ଯ୍ୟନ୍ତ ବାକି ରହି ଥିବାରୁ ଏବଂ ପାଗ ଭଲ ଥିବାରୁ ବିଭିନ୍ନ ଅଂଚଳରୁ ଆସିଥିବା ବ୍ୟବସାୟୀଙ୍କ ଷ୍ଟଲ ଗୁଡିକର କାରବାର ୩କୋଟି ଛୁଇଁବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ବିଗତବର୍ଷ ମାନଙ୍କରେ କେନ୍ଦୁଝରରେ ପଲ୍ଲୀଶ୍ରୀ ମେଳା ଆୟୋଜନ ହେଉଥିବାବେଳେ ଚଳିତବର୍ଷ ପ୍ରଥମ କରି କେନ୍ଦୁଝରଠାରେ ଆଂଚଳିକ ସରସ ମେଳା ଆୟୋଜିତ ହୋଇଛି । ବିଗତବର୍ଷ ପଲ୍ଲିଶ୍ରୀ ମେଳାରେ ହେଉଥିବା ଷ୍ଟଲ ସଂଖ୍ୟାରୁ ଅଧିକ ଷ୍ଟଲ ହୋଇ ଚଳିତବର୍ଷର ଷ୍ଟଲ ଗୁଡିକର ସଂଖ୍ୟା ବୃଦ୍ଧି ପାଇ ୩୦୦ ଷ୍ଟଲ ଛୁଇଁଛି । ଏଥିମଧ୍ୟରୁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହସ୍ତକଳା କାରିଗରୀ ସାମଗ୍ରୀ,ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହସ୍ତକଳା ସାମଗ୍ରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ତିଆରି ସାମଗ୍ରୀ,ଜିଲ୍ଲାର ବିଭିନ୍ନ ଉପଖଣ୍ଡରୁ ହସ୍ତକଳା କାରିଗରୀ ଲୋକଙ୍କର ମନ ଜିଣିବାରେ ସଫଳ ହୋଇଛି । ସାଧାରଣ ବଜାରରେ ମିଳୁନଥିବା ବସ୍ତ୍ର, ଶୁଖୁଆ ପକେଟ, ଭଳିକି ଭଳି ଘର କରଣା ସାମଗ୍ରୀ ଷ୍ଟଲ ବୁଲୁଥିବା ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି. ସନ୍ଧ୍ୟାରେ ସରସ ମେଳାରେ ଷ୍ଟଲ ଗୁଡିକରେ ଗହଳି ଯମୁଥିବାବେଳେ ସ୍ଥାନୀୟ ଅଞ୍ଚଳର କୁନି କଳାକାର ମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ମନଲୋଭା ହେଉଛି.ଦିନବେଳା ମଧ୍ୟ ସରସମେଳାରେ ଜନଗହଳି ପରିଲକ୍ଷିତ ହେଉଥିବାବେଳେ କାର୍ଯ୍ୟକ୍ରମକୁ ରୁଦ୍ଧିମନ୍ତ କରିବା ପାଇଁ ଆଂଚଳିକ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବାରୁ ମେଳାକୁ ଆସୁଥିବା ଲୋକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ମେଳାରେ ଭଳିକି ଭଳି ବିଭିନ୍ନ ଘରକରଣା ସାମଗ୍ରୀ ସହିତ ଆନନ୍ଦପୁର ଉପଖଣ୍ଡରୁ ଆସିଥିବା ପେପର ମାଚି ଏବଂ କଳାନୈପୁଣ୍ୟ ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଜିଲ୍ଲାପାଳ ବିଶାଲ ସିଂ ଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ,ଓରମାସ ର ଉପନିର୍ଦେଶକ ସପନ ଗୋସ୍ୱାମୀ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଆଞ୍ଚଳିକ ସରସ ମେଳା ଆୟୋଜିତ ହେଉଥିବାବେଳେ ଆଗାମୀ ଦିନରେ ମେଳାର କାରବାର ବୃଦ୍ଧି ହୋଇ ଜିଲ୍ଲା ପାଇଁ ନୂତନ ରେକର୍ଡ ସୃଷ୍ଟି ହେବ ବୋଲି କୁହାଯାଉଛି । ସରସ ମେଳା ଅବସରରେ ବିଭିନ୍ନ ଅଂଚଳରୁ ଆସିଥିବା ଖାଦ୍ୟ ମେଳା,ସ୍ଥାନୀୟ ଖାଦ୍ୟକୁ ନେଇ ଷ୍ଟଲ, ଘରୋଇପକରଣ, ପୁସ୍ତକ ମେଳା ମଧ୍ୟ ମେଳାକୁ ଅଧିକ ସରସ କରିଛି ।
Related Stories
December 26, 2024